ଏଆଇଏସ୍‌ଏଚ୍‌ଇ ରିପୋର୍ଟ : ଭିତ୍ତିଭୂମି ବଢ଼ୁଛି, ମାନ କମୁଛି

ଭୁବନେଶ୍ୱର, : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଅଲ୍‌ ଇଣ୍ଡିଆ ସର୍ଭେ ଅନ୍‌ ହାୟର ଏଜୁକେସନ (ଏଆଇଏସ୍‌ଏଚ୍‌ଇ) ରିପୋର୍ଟ ପ୍ରକାଶ ପାଇଛି। ୨୦୧୬-୧୭ ଶିକ୍ଷାବର୍ଷ ଲାଗି ପ୍ରକାଶିତ ଏହି ରିପୋର୍ଟରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି, ଶିକ୍ଷାଦାନ ପ୍ରଣାଳୀ, ଛାତ୍ରଛାତ୍ରୀଙ୍କ ସ୍ଥିତି, ଶିକ୍ଷକଙ୍କ ସଂଖ୍ୟା ପରି ବିଭିନ୍ନ ବିଷୟରେ ଉଲ୍ଲେଖ ହୋଇଛି। ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଗୁଣାତ୍ମକ ଶିକ୍ଷାଦାନ ହେଉ ନ ଥିବା ରିପୋର୍ଟରୁ ଜଣାପଡ଼ିଛି।

ତଥ୍ୟ ଅନୁଯାୟୀ ୨୦୧୦-୧୧ ତୁଳନାରେ ୨୦୧୬-୧୭ରେ ୮.୨ ମିଲିଅନ୍‌ ଛାତ୍ରଛାତ୍ରୀ ବୃଦ୍ଧି ପାଇଛନ୍ତି। ୨୦୧୦-୧୧ରେ ୨୭.୫ ମିଲିଅନ୍‌ ପିଲା ପଞ୍ଜୀକୃତ ହୋଇଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ପାଇ ୩୫.୭ ମିଲିଅନ୍‌ରେ ପହଞ୍ଚିଛି। ସେହିପରି ୨୦୧୦-୧୧ରେ ୧୮ରୁ ୨୩ବର୍ଷ ବୟସର ଉଚ୍ଚଶିକ୍ଷାରେ ଗ୍ରସ୍‌ ଏନରୋଲ୍‌ମେଣ୍ଟ ରେସିଓ(ଜିଇଆର) ୧୯.୪ ପ୍ରତିଶତ ରହିଥିବା ବେଳେ ୨୦୧୬-୧୭ରେ ୨୫.୨ ପ୍ରତିଶତ ରହିଛି। ୨୦୨୨ରେ ଜିଇଆରକୁ ୩୦ ପ୍ରତିଶତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ୩୫.୭ ମିଲିଅନ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୯ ମିଲିଅନ ଛାତ୍ର ଏବଂ ୧୬.୭ ମିଲିଅନ ଛାତ୍ରୀ ରହିଛନ୍ତି। ୧୬୨ ଦେଶରୁ ୪୭,୫୭୫ ଜଣ ଛାତ୍ରଛାତ୍ରୀ ଭାରତରେ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି।

୨୦୧୫-୧୬ ତୁଳନାରେ ବିଶ୍ୱବିଦ୍ୟାଳୟ ଓ କଲେଜ ବଢ଼ିଛି। ୮୬୪ଟି ବିଶ୍ୱବିଦ୍ୟାଳୟ ଓ ୪୨,୩୨୨ କଲେଜ ରହିଛି। ୩୧୩ଟି ଘରୋଇ ବିଶ୍ୱବିଦ୍ୟାଳୟ ରହିଛି। ୩୩୮ଟି ବିଶ୍ୱବିଦ୍ୟାଳୟ ଗ୍ରାମାଞ୍ଚଳରେ ଅବସ୍ଥାପିତ। ଛାତ୍ରୀଙ୍କ ଲାଗି ୧୫ଟି ବିଶ୍ୱବିଦ୍ୟାଳୟ ରହିଛି। ରାଜସ୍ଥାନରେ ୪ଟି ଥିବା ବେଳେ ତାମିଲନାଡୁରେ ୨, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ଦିଲ୍ଲୀ, ହରିଆଣା, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଗୋଟିଏ ଲେଖାଏଁ ମହିଳା ବିଶ୍ୱବିଦ୍ୟାଳୟ ରହିଛି। ଗୋଟିଏ କେନ୍ଦ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ, ୧୩ଟି ରାଜ୍ୟ ମୁକ୍ତ ବିଶ୍ୱବିିଦ୍ୟାଳୟ ଏବଂ ଗୋଟିଏ ଘରୋଇ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଡୁଆଲ୍‌ ମୁଡ୍‌ ବିଶ୍ୱବିଦ୍ୟାଳୟ ସଂଖ୍ୟା ୧୧୭ ଥିବା ବେଳେ କେବଳ ତାମିଲନାଡୁରେ ୧୭ଟି ଅଛି। ୪୮୮ଟି ସାଧାରଣ ବିଶ୍ୱବିଦ୍ୟାଳୟ, ୧୧୪ଟି ବୈଷୟିକ, ୬୭ଟି କୃଷି, ୫୨ଟି ମେଡିକାଲ, ୧୯ଟି ଲ’, ୧୩ଟି ସଂସ୍କୃତ ଏବଂ ୯ଟି ଭାଷା ବିଶ୍ୱବିଦ୍ୟାଳୟ ରହିଛି। ୬୩ଟି ଅନ୍ୟ ବିଭାଗର ବିଶ୍ୱବିଦ୍ୟାଳୟ ରହିଛି। ଓଡ଼ିଶାରେ ୨୪ଟି ବିଶ୍ୱବିଦ୍ୟାଳୟ, ୧୦୮୬ଟି କଲେଜ ରହିଛି। ୧୪୩ଟି ବୈଷୟିକ ଶିକ୍ଷାନୁଷ୍ଠାନ ଥିବା ବେଳେ ୬୫ଟି ଶିକ୍ଷକ ତାଲିମ ପ୍ରତିଷ୍ଠାନ, ୧୮୧ଟି ନର୍ସିଂ କଲେଜ, ୧୩ଟି ପିଜିଡିଏମ୍‌ ଶିକ୍ଷାନୁଷ୍ଠାନ ରହିଛି। ମନ୍ତ୍ରାଳୟ ଅଧୀନରେ ଓଡ଼ିଶାରେ ୩ଟି ଶିକ୍ଷାନୁଷ୍ଠାନ ରହିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।

ଅନ୍ୟପକ୍ଷରେ ୫୯.୩% କଲେଜ ଗ୍ରାମାଞ୍ଚଳରେ ଥିବା ବେଳେ ୯.୩% ମହିଳା କଲେଜ ରହିଛି। ମାତ୍ର ୨.୬% କଲେଜରେ ପିଏଚ୍‌ଡି କାର୍ଯ୍ୟକ୍ରମ ଏବଂ ୩୬.୭% କଲେଜରେ ପିଜି ପାଠ୍ୟକ୍ରମରେ ଶିକ୍ଷା ଦିଆଯାଉଛି। ୩୫% କଲେଜରେ ବି.ଇଡି ପାଠ୍ୟକ୍ରମ ରହିଛି। ୨୦.୧% କଲେଜରେ ଶହେରୁ କମ୍‌ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ୪.୧% କଲେଜରେ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି। ୧୦୦ ଶିକ୍ଷକରେ ୬୮ଜଣ ଶିକ୍ଷୟିତ୍ରୀ ରହିଛନ୍ତି। ୨୦୧୬ରେ ୨୮,୭୭୯୯ ଜଣ ପିଏଚ୍‌ଡି ଡିଗ୍ରି ହାସଲ କରିଛନ୍ତି।

ବି.କମ୍‌ ଓ ବି.ଏସ୍‌ସି ପାଠ୍ୟକ୍ରମ ଅପେକ୍ଷା ବିଏରେ ଅଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି। କଳାରେ ୩୮%, ବିଜ୍ଞାନରେ ୧୬.୭%, ବୈଷୟିକ ଶିକ୍ଷାରେ ୧୪.୭% ଏବଂ ବାଣିଜ୍ୟରେ ୧୪.୧% ପଢ଼ୁଛନ୍ତି। ବିଜ୍ଞାନ ବିଭାଗରେ ଅନେକ ଛାତ୍ରଛାତ୍ରୀ ପିଏଚ୍‌ଡି କରୁଛନ୍ତି। ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ପିଲା ରହିଥିବା ବେଳେ ମହାରାଷ୍ଟ୍ର ଏବଂ ତାମିଲନାଡ଼ୁ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର