ବାଣିଜ୍ୟ ଶିକ୍ଷା ଓ ଗବେଷଣାରେ ଓସିଏର ଅବଦାନ ଅତୁଳନୀୟ: ରାଜ୍ୟପାଳ

ଅଲ୍‌ ଓଡ଼ିଶା କମର୍ସ ଆସୋସିଏସନ୍‌ର ୩୮ତମ ସମ୍ମିଳନୀ ଉଦ୍‌ଘାଟିତ

କଟକ : ଶିକ୍ଷା ଜ୍ଞାନର ଦ୍ୱାରକୁ ଉନ୍ମୁକ୍ତ କରିଥାଏ। ଏହା କେବଳ ବଞ୍ଚିବାର ରାହା ଦେଖାଇ ନଥାଏ, ବରଂ ଏକ ଶକ୍ତିଶାଳୀ ଅସ୍ତ୍ର ଭାବେ ସାମାଜ ଓ ଦେଶର ପରିବର୍ତ୍ତନରେ ସହାୟକ ହେବା ପାଇଁ ସୁଯୋଗ ସୃଷ୍ଟି କରିଥାଏ। ‘ଓଡ଼ିଶା କମର୍ସ ଆସୋସିଏସନ୍‌’ (ଓସିଏ) ଦୀର୍ଘ ୩୮ବର୍ଷଧରି ଓଡ଼ିଶାରେ ବାଣିଜ୍ୟ ଶିକ୍ଷାର ପ୍ରସାର ଓ ଗବେଷଣା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛି ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ୩୮ତମ ‘ଅଲ୍‌ ଓଡ଼ିଶା କମର୍ସ ଆସୋସିଏସନ୍‌ର’ ସମ୍ମିଳନୀକୁ ଉଦ୍‌ଘାଟନ କରି ରାଜ୍ୟପାଳ ତଥା କୁଳାଧିପତି ଡକ୍ଟର ଏସ୍‌.ସି. ଜମିର ଏହା କହିଛନ୍ତି।

ବିଶ୍ୱବିଦ୍ୟାଳୟର ହେରିଟେଜ୍‌ ହଲ୍‌ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ ଶରନ ମୁଖ୍ୟ ଅତିଥ ଭାବେ ଯୋଗଦେଇ ‘ଓଡ଼ିଶା କମର୍ସ ଆସୋସିଏସନ୍‌’ ରାଜ୍ୟର ବାଣିଜ୍ୟକୁ ଏକ ନୂତନ ରୂପ ଦେବା ସହ ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ସୁଦୃଢ କରିବାରେ ସହାୟକ ହୋଇଛି ବୋଲି କହିଥିଲେ। ଏହି ଦୁଇଦିନିଆ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ଇସାନ୍‌ କୁମାର ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ଓସିଏର ସଂପାଦକ ମେଜର ଡକ୍ଟର ଏସ୍‌.ଏ. ତାହିର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ପ୍ରଫେସର ଭଗବାନ ଦାସ ଅଭିଭାଷଣ ଦେଇଥିଲେ। ଏହି ଅବସରରେ ନିମନ୍ତ୍ରିତ ଅତିଥିଙ୍କ ଦ୍ୱାରା ଓସିଏର ସ୍ମରଣୀକା ଓ ‘ଓଡ଼ିଶା ଜର୍ନାଲ ଅଫ କମର୍ସ’କୁ ଉନ୍ମୋଚନ କରାଯିବା ସହ ବାଣିଜ୍ୟର ବରିଷ୍ଠ ପ୍ରଫେସର ରମାକାନ୍ତ ଜେନା ଓ ପ୍ରଫେସର ଗୁଣନିଧି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉତ୍ସବରେ ଡକ୍ଟର ସଞ୍ଜୟ କୁମାର ଶତପଥୀ ଧନ୍ୟବାଦ ଦେଇଥିଲେ। ବାଣିଜ୍ୟ ବିଭାଗର ମୁଖ୍ୟ ଡକ୍ଟର ତୁଷାରକାନ୍ତ ପାଣି, ଡିନ୍‌ ସ୍କୁଲ ଅଫ୍‌ କର୍ମସ ଡକ୍ଟର କିଶୋର କୁମାର ଦାସ, ପ୍ରଫେସର ମଳୟ କୁମାର ମହାନ୍ତି, ଦିଲ୍ଲୀପ ଶତପଥୀ, ଦିଲ୍ଲୀପ ବିଶୋଇ, ଭବାନୀଶଙ୍କର ପାଣି, ପ୍ରଫେସର ସାମ୍‌ସନ୍‌ ମହାରଣା, ଡକ୍ଟର ଗଙ୍ଗାଧର ନାୟକ, ପ୍ରଫେସର କେ.ବି.ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି। ସୂଚନାଯୋଗ୍ୟ ଯେ ୧୯୭୦ ମସିହାରେ ସଂଘର ପ୍ରଥମ ସମ୍ମିଳନୀ ତତ୍କାଳୀନ ଗଙ୍ଗାଧର ମେହେର କଲେଜ, ସମ୍ବଲପୁର ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଜ୍ୟପାଳ ତଥା କୁଳାଧିପତି ରେଭେନ୍ସା କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ‘ରେଭେନ୍ସା ୧୫୦ବର୍ଷ’ ପାଳନର ସ୍ମାରକୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି।

ସମ୍ବନ୍ଧିତ ଖବର