ଅଣଓଡ଼ିଆ ଠିକାଦାରଙ୍କ ପ୍ରତି ସରକାରଙ୍କ ଅନୁକମ୍ପା : ଅଭିଯୋଗ କଲା ନିଖିଳ ଓଡ଼ିଶା ଠିକାଦାର ମହାସଂଘ

ଭୁବନେଶ୍ବର : ସୁନ୍ଦରଗଡ଼ରେ ପୋଲ ଭୁଶୁଡ଼ି ୨୫ ଜଣ ଶ୍ରମିକ ଆହତ ହୋଇଛନ୍ତି। ହେଲେ କାମ କରୁଥିବା ବାହାର ରାଜ୍ୟର ଠିକା ସଂସ୍ଥା ଏନ୍‌ବିସିସି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅପରପକ୍ଷେ ନିକଟ ଅତୀତରେ ଭୁବନେଶ୍ୱରରେ ଘଟିଥିବା ଏକ ଅଘଟଣରେ ଠିକାଦାରଙ୍କୁ ୨୪ ଘଣ୍ଟା ମଧ୍ୟ‌େର ଗିରଫ କରାଯାଇଥିଲା। ସରକାର ଜାଣିଶୁଣି ଓଡ଼ିଶା ବାହାର ଠିକାଦାରଙ୍କୁ ସୁରକ୍ଷା ଯୋଗାଉଛନ୍ତି। ଏହି ଅଣଓଡ଼ିଆ ଠିକାସଂସ୍ଥା ପଛରେ ସରକାରଙ୍କ ପୃଷ୍ଠପୋଷକତା ରହିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିଖିଳ ଓଡ଼ିଶା ଠିକାଦାର ମହାସଂଘ ଅଭିଯୋଗ କରିଛି।

ଖାଲି ସେତିକି ନୁହେଁ, ଅଣଓଡ଼ିଆ ସଂସ୍ଥାକୁ ଠିକା ଦେବା ପାଇଁ ଟେଣ୍ଡର୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା ହେଉଛି। ବିଭିନ୍ନ ପ୍ରକାରର ନିୟମ କାନୁନ୍‌ ପ୍ରଣୟନ କରାଯାଉଛି। ଓଡ଼ିଆ ଠିକାଦାରମାନଙ୍କୁ ୧୪.୯୯ ପ୍ରତିଶତ କମ୍‌‌ରେ ଟେଣ୍ଡର୍‌ ନେବାକୁ ବାଧ୍ୟ କରାଯାଉଥିବା ବେଳେ ଏକାଧିକ କାର୍ଯ୍ୟକୁ ଏକାଠି କରି ଟେଣ୍ଡର କରାଯାଉଥିବାରୁ ଓଡ଼ିଶାର ଠିକାଦାର ଏହି ପ୍ରକ୍ରିୟାରୁ ବାଦ୍‌ ପଡ଼ୁଛନ୍ତି। ଟେଣ୍ଡର ମୂଲ୍ୟଠାରୁ ଅଧିକ ଟଙ୍କାରେ ଅଣଓଡ଼ିଆ ସଂସ୍ଥା ଠିକା ‌ନେଉଛନ୍ତି। ଏହି ସଂସ୍ଥା କରୁଥିବା କାମ ମଧ୍ୟ ନିମ୍ନମାନର ହେଉଛି। ତେଣୁ ସରକାରଙ୍କ ଏହି ପାତରଅନ୍ତର ନୀତି ବିରୋଧରେ ମହାସଂଘ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ସେହିପରି ସଂଘ ପକ୍ଷରୁ ଦାବି କରାଯାଇଛି, ବର୍ଦ୍ଧିତମୂଲ୍ୟ ପାଇଁ ପ୍ରାପ୍ୟ ହାଇକୋଟର୍ଙ୍କ ନିର୍ଦ୍ଦେଶ ମୁତାବକ ପୁନଃ ନିର୍ଦ୍ଧାରଣ କରାଯାଉ ଓ ତାହା ୨୪.୧୨.୨୦୧୨ ଠାରୁ କାର୍ଯ୍ୟକାରୀ ହେଉ। ୨୦୧୮ର ଦର ସିଡୁଲ୍‌ ଓପିଡବ୍ଲ୍ୟୁଡି କୋର୍ଡ ଅନୁଯାୟୀ ପ୍ରକାଶ ପାଉ। ସରକାରୀ ନିର୍ଦ୍ଧାରିତ ୧୪.୯୯ ପ୍ରତିଶତ କମ୍‌ରେ ଟେଣ୍ଡର ନେବା ବ୍ୟବସ୍ଥାକୁ ରଦ୍ଦ କରାଯାଉ।

ସରକାର ଅଣଓଡ଼ିଆପ୍ରୀତି ଛାଡ଼ି ଓଡ଼ିଆ ଠିକାଦାରଙ୍କ ସ୍ବାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବାକୁ ସଂଘ ଆହ୍ବାନ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ପ୍ରଭାତ ଦାଶ, ସମ୍ପାଦକ ଭାଗ୍ୟଧର ଦାସ, ନିଖିଳେଶ୍ବର ସାହୁ, ସୁନୀଲ ସାହୁ, ଅନିଲ ମହାଳିକ ଓ ଦେବାଶିଷ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର