ରାଜ୍ୟ ବାର୍‌ ସମୂହର ବୈଠକ : ପୁରୀ ଜିଲ୍ଲାପାଳ, ଏସ୍‌ପିଙ୍କ ବଦଳି ଦାବିକୁ ସମର୍ଥନ

ପୁରୀ : ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ପୁରୀ ବାର୍‍ ଆସୋସିଏସନ ଚଳାଇଥିବା ଆନ୍ଦୋଳନ ନୂଆ ମୋଡ଼ ନେଇଛି। ମନ୍ତ୍ରୀଙ୍କ ପରାମର୍ଶ ଓ ଜିଲ୍ଲାପାଳଙ୍କ ଆମନ୍ତ୍ରଣ କାଟ୍‍ ଖାଇବା ପରେ ଆଜି ରାଜ୍ୟର ବାର୍‍ ସମୂହ ପୁରୀରେ ଏକାଠି ହୋଇଛନ୍ତି। ୩୦ ଜିଲ୍ଲାର ବାର୍‍ ଆସୋସିଏସନ ସଦସ୍ୟବୃନ୍ଦ ଏକାଠି ହୋଇ ପୁରୀ ବାର୍‍ ଆସୋସିଏସନର ଦାବିକୁ ସମର୍ଥନ ଦେଇଛନ୍ତି। ଏଥିସହ କାର୍ଯ୍ୟରତ ଆଇନଜୀବୀଙ୍କ ସୁରକ୍ଷା ନେଇ ସ୍ୱତନ୍ତ୍ର ଆଇନ ପ୍ରଣୟନ ପାଇଁ ଆନ୍ଦୋଳନ ତୀବ୍ରତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାର୍‍ ଆସୋସିଏସନ ପରିସରରେ ଆଜି ବସିଥିବା ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ପୁରୀ ଜିଲ୍ଲାପାଳ ଓ ଏସ୍‍ପିଙ୍କ ବଦଳି ଦାବି ଉପରେ ଜୋର୍‌ ଦେବା ସହ ସର୍ବଭାରତୀୟସ୍ତରରେ ଏହି ଆନ୍ଦୋଳନକୁ ପହଞ୍ଚାଇବା ପାଇଁ କେତେକ ବରିଷ୍ଠ ଆଇନଜୀବୀ ମତବ୍ୟକ୍ତ କରିଛନ୍ତିି। ସଭାପତି ବିଜୟ ମିଶ୍ର, ସମ୍ପାଦକ ଜୟୀନାରାୟଣ ପଟ୍ଟନାୟକ, କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମିଶ୍ର, ବିମଳ ଦାସ, ପୁଷ୍କର ମହାପାତ୍ର, ଆଦିତ୍ୟ ମିଶ୍ର, ସ୍ୟାଟ ବାର୍‍ ଆସୋସିଏସନର ଚନ୍ଦ୍ରଶେଖର ପଣ୍ଡା, ଶିକ୍ଷା ଟ୍ରିବ୍ୟୁନାଲର ସୁଧୀର ମହାନ୍ତି, ଭୁବନେଶ୍ୱରରୁ ଆସିଥିବା ରବିଶଙ୍କର ପଟ୍ଟନାୟକ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। ପୁରୀରେ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ସଭାପତି ବିଜୟ ମିଶ୍ର କହିଛନ୍ତି, ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଚାଲିବ। ୩୧ ତାରିଖରେ ସ୍ୱତନ୍ତ୍ର ବୈଠକ ବସିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ।

ସମ୍ବନ୍ଧିତ ଖବର