ସମ୍ବିଧାନର ପ୍ରାଥମିକତା ନରହିଲେ ଅରାଜକତା ବ୍ୟାପିବ: ସୁପ୍ରିମକୋର୍ଟ ମୁଖ୍ୟବିଚାରପତି

ଦୁଇ ଦିବସୀୟ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବାର୍ଷିକ ସମ୍ମିଳନୀ ଆରମ୍ଭ

ଭୁବନେଶ୍ୱର: ସମ୍ବିଧାନର  ପ୍ରାଥମିକତା ନରହିଲେ ଅରାଜକତା ବ୍ୟାପିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି। ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୬ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟଅତିଥି ରୂପେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ଜଷ୍ଟିସ ଶ୍ରୀ ମିଶ୍ର କହିଛନ୍ତି, ଆମ ସମସ୍ତଙ୍କୁ ସମ୍ବିଧାନରେ ପ୍ରଦତ୍ତ ଅାଇନକୁ ମାନିବାକୁ ପଡ଼ିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଇନଜୀବୀଙ୍କ ଭୂମିକା କେବଳ କୋର୍ଟ ପରସରରେ ସୀମିତ ନୁହେଁ। ଆମ ପ୍ରଶାସନିକ ବ୍ୟବସ୍ଥାରେ ମଧ୍ୟ ଆଇନଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଆଜିର ଦିନରେ ଠିକ୍‌ ସମୟରେ ନ୍ୟାୟ ମିଳିବା କଷ୍ଟକର ହୋଇ ପଡ଼ିଛି। ଅତି ନିକଟରେ ନ୍ୟାୟ ଉପଲବ୍ଧ କରିବା ପାଇଁ ଓଡ଼ିଶା ସରକାର ସୁବନ୍ଦୋବସ୍ତ କରିଛି। ବିଗତ ୪ ବର୍ଷରେ ରାଜ୍ୟ ସରକାର ୧୭୦ରୁ ଅଧିକ କୋର୍ଟ ପ୍ରତିଷ୍ଠା କରିଛି। ଆଗାମୀ ଦିନରେ ଆହୁରି ୫୦ଟି କୋର୍ଟ ପ୍ରତିଷ୍ଠା କରିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ପଟ୍ଟନାୟକ କହିଛନ୍ତି। ରାଜ୍ୟର ପ୍ରତିଟି ପଞ୍ଚାୟତରେ ମଧୁବାବୁ ଆଇନ ସହାୟତା କେନ୍ଦ୍ର ପ୍ରତିଷ୍ଠା ହେଉଛି। ଆଇଜଜୀବୀଙ୍କ କଲ୍ୟାଣ ପାଇଁ ବାର୍ଷିକ ୩ କୋଟି ଟଙ୍କା ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ଦିଆଯାଉଛି।

ସ୍ଥାନୀୟ ବକ୍ସି ଜଗବନ୍ଧୁ ବିନାୟକ କଲେଜ ପଡ଼ିଆରେ ଅନୁଷ୍ଠିତ ସମାରୋହରେ ନେପାଳ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଆନନ୍ଦ ମୋହନ ଭଟ୍ଟରାୟ, ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ବିନୀତ ଶରଣ ଓ ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ଆଇନ ସମ୍ପର୍କରେ ନିଜର ମତ ରଖିଥିଲେ। ଦୁଇ ଦିବସୀୟ ସମାରୋହରେ ରାଜ୍ୟର ୧୬୦ଟି ଓକିଲ ସଂଘର ପ୍ରାୟ ୨୦୦୦ ଆଇନଜୀବୀ ଆଇନ ସମ୍ପର୍କରେ ଆଲୋଚନା କରିବେ। ଉଦ୍‌ଘାଟନୀ ଅବସରରେ ଏକ ସ୍ମରଣୀକା ଉନ୍ମୋଚନ ହୋଇଥିଲା।

ସମ୍ବନ୍ଧିତ ଖବର