ବିଧାନସଭା ଘେରିବେ ଘରୋଇ ବିଦ୍ୟାଳୟ

ଭୁବନେଶ୍ୱର : ଘରୋଇ ବିଦ୍ୟାଳୟଗୁଡ଼ିକ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ସ୍କୁଲ ଆସୋସିଏସନ୍‌(ଆପୋସା)। ସଂଘ ପକ୍ଷରୁ କୁହାଯାଇଛି ଯେ ସମସ୍ତ ଘରୋଇ ବିଦ୍ୟାଳୟକୁ ସ୍ଥାୟୀ ସାର୍ଟିଫିକେଟ୍‌ ଅଫ୍‌ ରେକୋଗନିସନ (ସିଓଆର), ସରକାରୀ ଜମି ଓ ପାଠ୍ୟପୁସ୍ତକ ପ୍ରଦାନ, ୨୫ ପ୍ରତିଶତ ମାଗଣା ଶିକ୍ଷାର ବକେୟା ପ୍ରଦାନ, ସିଓଆର ଥାଉ ବା ନଥାଉ ବୃତ୍ତି ପରୀକ୍ଷା ଓ ଅନ୍ୟାନ୍ୟ ମେଧାବୀ ପରୀକ୍ଷାରୁ ଛାତ୍ରଛାତ୍ରୀଙ୍କୁ ବଞ୍ଚିତ କରା ନ ଯିବା ଓ ଶିକ୍ଷା ସମ୍ପର୍କରେ ସରକାରୀ ନିଷ୍ପତ୍ତି ନେଉଥିବା ଉଚ୍ଚସ୍ତରୀୟ କମିଟିରେ ଅପୋସା କର୍ମକର୍ତ୍ତାଙ୍କୁ ସାମିଲ କରିବାକୁ ବାରମ୍ବାର ଦାବି କରାଯାଉଛି। ଏଥିସହ ୨୦୦୯-୧୦ ଶିକ୍ଷା ଅଧିକାର ଆଇନର ତର୍ଜମା ନିମନ୍ତେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପାଇଁ ସଂଘ ଦାବି କରିଛି। ଏନେଇ ଅପୋସା ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସମେତ ନିର୍ଦେଶକଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳିନି।

ସଂଘ ଆହୁରି କହିଛି ଯେ ଶିକ୍ଷା ଅଧିକାର ଆଇନରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଉପଯୁକ୍ତ ଖେଳପଡ଼ିଆ, ବିଦ୍ୟାଳୟ ପାଚେରି, ରୋଷେଇ ଘର, ର‍୍ୟାମ୍ପ, ଉପଯୁକ୍ତ ଶ୍ରେଶୀଗୃହ ନ ଥିବା ବେଳେ ଏସବୁର ଆଳ ଦେଖାଇ ଘରୋଇ ବିଦ୍ୟାଳୟଗୁଡ଼ିକ ଉପରେ ଅଙ୍କୁଶ ଲଗାଯାଉଛି। ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଡିଏଲ୍‌ଇଡି ତାଲିମ ନେଉଥିବା କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସିଓଆର ପାଇଁ ଗ୍ରହଣ କରିବା ନିମନ୍ତେ ଅରାଜି ଅଛନ୍ତି। କିନ୍ତୁ ବିଭିନ୍ନ ସମୟରେ ଅଣତାଲିମପ୍ରାପ୍ତ ଯୁବକ ଯୁବତୀଙ୍କୁ ଅତୀତରେ ସିଧାସଳଖ ସରକାରୀ ଶିକ୍ଷକ ହିସାବରେ ଗ୍ରହଣ କରାଯାଇଛି ବୋଲି ସଂଘ ଅଭିଯୋଗ କରିଛି। ଏହା ବିରୋଧରେ ଆଗାମୀ ବିଧାନସଭା ସମୟରେ ରାଜ୍ୟରେ ଥିବା ୭୦୦ରୁ ଅଧିକ ଓଡ଼ିଆ ଓ ଇଂରାଜୀ ଘରୋଇ ବିଦ୍ୟାଳୟର କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟିତ୍ରୀ ବିଧାନସଭା ଘେରିବେ ବୋଲି ସଂଘର ସଭାପତି ସତ୍ୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ରୋଟାରି ଭବନଠାରେ ଅନୁଷ୍ଠିତ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର