ସଂସଦୀୟ ଢାଞ୍ଚାରେ ହେଲା ସର୍ବଦଳୀୟ ବୈଠକ

ଗୋଟିଏ ବଦଳରେ ଦୁଇଟି ମୁଲତବୀ ଆଲୋଚନା ପାଇଁ ପ୍ରସ୍ତାବ, ଧ୍ୟାନ ଆକର୍ଷଣକାରୀ ଆଲୋଚନା ବି ହେବ, ବୈଠକରେ ସିପିଏମ ସଦସ୍ୟ ଅନୁପସ୍ଥିତ

ଭୁବନେଶ୍ବର : ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ। ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ କରି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଗୃହରେ ବିରୋଧୀଙ୍କୁ ସ୍ବର ଉଠାଇବାକୁ ପର୍ଯ୍ୟାପ୍ତ ସୁଯୋଗ ମଳିବା ସହ ଗୋଟିଏ ମୁଲତବୀ ପ୍ରସ୍ତାବ ବଦଳରେ ଗୃହରେ ଦୁଇଟି ବିଷୟ ଉପରେ ମୁଲତବୀ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଛି। ବୈଠକରେ କେବଳ ସିପିଏମ ସଦସ୍ୟଙ୍କୁ ଛାଡ଼ି ସବୁ ଦଳର ବିଧାୟକ ଉପସ୍ଥିତ ଥିଲେ।

ସୋମବାର ବାଚସ୍ପତିଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ, ବିଧାନସଭା କିପରି ସୁରୁଖୁରୁରେ ଚାଲିବ ସେଥିପାଇଁ ବାଚସ୍ପତି ବିରୋଧୀଙ୍କ ସହଯୋଗ କାମନା କରିଥିଲେ। ଅନ୍ୟପଟେ ବିରୋଧୀଙ୍କୁ ଗୃହ ଭିତରେ କହିବାକୁ ଯେପରି ଅଧିକ ସମୟ ମିଳିବ ସେଥିପାଇଁ ଦାବି କରାଗଲା। ପ୍ରତ୍ୟେକ ଦିନ ଧ୍ୟାନ ଆକର୍ଷଣକାରୀ ନୋଟିସ ନେବାକୁ ବାଚସ୍ପତିଙ୍କୁ ଅନୁରୋଧ କରାଯାଇଛି। ପ୍ରତି ଅଧିବେଶନରେ ଘରୋଇ ବିଲ ଉପରେ ଆଲୋଚନା କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲା ବିଜେପି।

ଶ୍ରୀ ମିଶ୍ର କହିଥିଲେ ଆସନ୍ତା ଅଧିବେଶନରେ ବିଜେପି ଫନି ବାତ୍ୟା କ୍ଷୟକ୍ଷତି ପ୍ରସଙ୍ଗ ଉଠାଇବା ସହ ଧାନର ଅଭାବି ବିକ୍ରୀ, ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯିବା ନେଇ ସରକାରଙ୍କୁ ଜବାବ ମାଗିବ। ବିଜେପିକୁ ଆଉ ସରକାରଙ୍କ ଦୋଷ ଦୁର୍ବଳତା ଦେଖାଯିବନି ବୋଲି କଂଗ୍ରେସ ଅଭିଯୋଗ କରୁଥିବା ନେଇ ପ୍ରଶ୍ନରେ ଶ୍ରୀ ମିଶ୍ର କହିଥିଲେ, ଏହା ଭୁଲ ଧାରଣା। ଅଶ୍ବିନୀ ବୈଷ୍ଣବଙ୍କ ପାଇଁ ବିଜେଡି ସହ ଖୋଲା ବୁଝାମଣା ହୋଇଛି। ଗୁପ୍ତ କିଛି ନାହିଁ। ରାଜ୍ୟର ବିକାଶ ପାଇଁ ଏହି ବୁଝାମଣା କରାଯାଇଛି।

୨୦୧୯ ନିର୍ବାଚନରେ ଓଡ଼ିଶାର ଭୋଟର ବିଜେପି ଉପରେ ଆସ୍ଥା ପ୍ରକଟ କରି ଯେଉଁ ମୁଖ୍ୟ ବିରୋଧୀ ଦଳର ଭୂମିକା ନିର୍ବାହ କରିବା ପାଇଁ ସୁଯୋଗ ଦେଇଛନ୍ତି ତାକୁ ଅକ୍ଷରେ ଅକ୍ଷରେ ତାଙ୍କ ଦଳ ପାଳନ କରିବ। ବୈଠକରେ ଅଂଶଗ୍ରହଣ କରିଥିବା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯିବା ପ୍ରଥମ ଘଟଣା। ସଂସଦରେ ଏଭଳି ପରମ୍ପରା ଦେଖିବାକୁ ମିଳିଥାଏ। ଶ୍ରୀ ମିଶ୍ର କହିଥିଲେ, ବିଧାନସଭା ବାଚସ୍ପତି ଏପରି ସର୍ବଦଳୀୟ ବୈଠକ ଡାକିଥିବାରୁ ବିରୋଧୀ ଦଳର ପ୍ରତିନିଧମାନେ ବାଚସ୍ପତିଙ୍କ ଉଦ୍ୟମକୁ ବୈଠକରେ ପ୍ରଶଂସା କରିଥିଲେ। ମୁଲତବୀ ପ୍ରସ୍ତାବକୁ ଏକ ଘଣ୍ଟା ମଧ୍ୟରେ ସୀମିତ ରଖିବାକୁ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ସମୟରେ ଗଠନ ହୋଇଥିବା କମିଟି ସୁପାରିସ କରିଥିଲା। ତାହାକୁ ପାଳନ ପାଇଁ ପ୍ରସ୍ତାବ ଆସିଥିଲା। ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ପାଇଁ ବିଜେପି ସହିତ କୌଣସି ପ୍ରସଙ୍ଗ ଭିତ୍ତିକ ବୁଝାମଣା ହୋଇନାହିଁ ବୋଲି ଶ୍ରୀ ମିଶ୍ର ଖଣ୍ଡନ କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ପୂର୍ବରୁ ଓଡ଼ିଶା ବିଧାନସଭାରେ ଦୁଇଟି ମୁଲତବୀ ଆଲୋଚନା ହେଉଥିଲା। କିନ୍ତୁ ଏହି ପରମ୍ପରାକୁ ବନ୍ଦ କରିଦିଆଯାଇଥିଲା। କିନ୍ତୁ ଆଜି ପୁଣି ଥରେ ଗୋଟିଏ କାର୍ଯ୍ୟଦିବସରେ ଗୃହରେ ଦୁଇଟି ପ୍ରସଙ୍ଗରେ ମୁଲତବୀ ଆଲୋଚନା କରିବାକୁ ସର୍ବଦଳୀୟ ବୈଠକରେ ଏକ ପ୍ରକାର ସହମତି ପ୍ରକାଶ ପାଇଛି। ଏହାସହ ବିଧାୟକମାନେ ତତ୍କାଳ ପ୍ରସଙ୍ଗ ଉଠାଇବା ସବୁ କାର୍ଯ୍ୟଦିବସରେ ଧ୍ୟାନ ଆକର୍ଷଣକାରୀ ନୋଟିସ ଦେଇପାରିବା ନେଇ ମଧ୍ୟ ଆଲୋଚନା ହୋଇଛି।

ପ୍ରଥମ ଥର ପାଇଁ ସର୍ବଦଳୀୟ ବୈଠକ ବାଚସ୍ପତି ଡାକିଥିବାରୁ ତାଙ୍କୁ କଂଗ୍ରେସ ଦଳ ତରଫରୁ ଧନ୍ୟବାଦ ଦିଆଯାଇଛି। ବିଧାନସଭାର ମୂଲ୍ୟବାନ ସମୟ ନଷ୍ଟ ନକରିବା ପାଇଁ ଏପରି ବୈଠକ କରି ଆଲୋଚନା କରିବା ପ୍ରଶଂସନୀୟ। ଏହାଯୋଗୁଁ ଗୃହରେ ଉଚ୍ଚକୋଟୀର ଆଲୋଚନା ହେବ।

ସର୍ବଦଳୀୟ ବୈଠକ ସମ୍ପର୍କରେ ସୂଚନା ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଥିଲେ, ବିଧାନସଭା ପରିଚାଳନା କରିବାରେ ଗୃହର ଅଧ୍ୟକ୍ଷଙ୍କୁ ସହଯୋଗ କରିବାକୁ ସବୁ ଦଳର ନେତା ପ୍ରତିଶ୍ରୁତି ଦେଇଛନ୍ତି। ବିଧାନସଭାରେ ଦୁଇଟି ମୁଲତବି ଆଲୋଚନା ପାଇଁ ସେ ଆଉଥରେ ସମସ୍ତଙ୍କ ସହ ପୁଣି ଥରେ ଆଲୋଚନା କରିବେ। ବିଧାନସଭାର ସମୟ ଦେଖି ସେ ନିଷ୍ପତ୍ତି ନେବେ। ପ୍ରଶ୍ନ ଉତ୍ତର ପରେ ଘଣ୍ଟାଏ ଶୂନ୍ୟକାଳ ଚାଲିବ। ଏହାପରେ ମୁଲତବି ଆଲୋଚନା ହେବ। ବିଧାନସଭା ଶାନ୍ତିଶୃଙ୍ଖଳା ସହ ଚାଲିବା ନେଇ ସାରା ଓଡ଼ିଶାବାସୀ ଚାହିଁବସିଛନ୍ତି। ଏ ନେଇ ଆଜି ସର୍ବଦଳୀୟ ବୈଠକରେ ଆଲୋଚନା ସଫଳ ହୋଇଥିବା ନେଇ ବାଚସ୍ପତି କହିଥିଲେ।

ବୈଠକରେ, ବିଜେଡି ପକ୍ଷରୁ ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର