ବାଜପେୟୀଙ୍କ ପରଲୋକ: ରାଜ୍ୟ ସରକାରଙ୍କ ଛୁଟି ଘୋଷଣା, ସାତ ଦିନ ପାଇଁ ରାଷ୍ଟ୍ରୀୟ ଶୋକ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ଶୁକ୍ରବାର ଓଡ଼ିଶା ସରକାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଗୁରୁବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି ଯେ, ଶୁକ୍ରବାର ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ। ବାଜପେୟୀଙ୍କ ପରଲୋକ ପରେ ସମଗ୍ର ଦେଶରେ ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଥିବା ବେଳେ ଦିଲ୍ଲୀ, ବିହାର ଓ ପଞ୍ଜାବର ସମସ୍ତ ସ୍କୁଲ-କଲେଜ ବନ୍ଦ ରହିବ ବୋଲି ଜଣାପଡ଼ିଛି। ସେହିଭଳି ଶନିବାର ଦିଲ୍ଲୀର ସମସ୍ତ ବଜାର ଗୁଡ଼ିକ ବନ୍ଦ ରହିବ।

ରାଜ୍ୟ ସରକାର ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହି ୭ ଦିନ ଧରି ରାଜ୍ୟର ସମସ୍ତ ସରକାରୀ କୋଠାବାଡ଼ିରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବା ସହିତ କୌଣସି ସରକାରୀ ଉତ୍ସବ ପାଳନ କରାଯିବ ନାହିଁ। ନିଷ୍ପତ୍ତି ଅନୁଯାୟୀ ଶୁକ୍ରବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

ସୂଚନାଯୋଗ୍ୟ ଯେ, ଅଟଳ ବିହାରୀ ବାଜପେୟୀଙ୍କର ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସରେ ୯୩ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ଅପରାହ୍ଣ ୦୫.୦୫ରେ ଶ୍ରୀ ବାଜପେୟୀ ଏମ୍ସରେ ଚିକିତ୍ସିତ ଥିବା ଅବସ୍ଥାରେ ପରଲୋକ ଗମନ କରିଛନ୍ତି।

ସମ୍ବନ୍ଧିତ ଖବର