ଇଂରାଜୀ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହିତ କଥା ହେଲେ ଅନୀଲ ସ୍ୱରୂପ : ରାଜ୍ୟକୁ ପ୍ରଶଂସା କଲେ କେନ୍ଦ୍ର ସଚିବ

ପ୍ରତି ସ୍କୁଲ୍‌ ସୁରକ୍ଷାକୁ ନେଇ ନିଜର ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପରାମର୍ଶ

ଭୁବନେଶ୍ୱର : ଶିକ୍ଷାର ବିକାଶ ଓ ପ୍ରସାର ନେଇ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ବେଶ୍‌ ପ୍ରଶଂସନୀୟ। ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ସହିତ ଗୁଣାତ୍ମକ ମାନ ବୃଦ୍ଧି କରିବା ନିମନ୍ତେ ଅନେକ ଅଭିନବ ବ୍ୟବସ୍ଥାର ପ୍ରବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏପରି ଢଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ପକେଇଥିଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସଚିବ ଅନୀଲ ସ୍ୱରୂପ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା, ଅଷ୍ଟମ ଶ୍ରେଣୀ ଛାତ୍ରକୁ ତୃତୀୟ ଶ୍ରେଣୀ ପାଠ ଆସୁନଥିବା କହି ବିଜେପି ନବୀନ ପଟ୍ଟନାୟକ ସରକାରକୁ ବାରମ୍ବାର ଘେରୁଥିଲେ ବେଳେ କେନ୍ଦ୍ରର ଜଣେ ବରିଷ୍ଠ ସଚିବ ରାଜ୍ୟର ଶିକ୍ଷା ବିଭାଗକୁ ପ୍ରଶଂସା କରିବା କେନ୍ଦ୍ରରେ ସରକାର ଥିବା ଦଳକୁ ଅକଳରେ ପକାଇ ଦେଇଛି।

ଆଜି ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ସୁଶୀଲାଦେବୀ ଅଡ଼ିଟୋରିୟମ୍‌ରେ ଆୟୋଜିତ ହୋଇଥିବା ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲର ଅଧ୍ୟକ୍ଷମାନଙ୍କ ସମ୍ମିଳନୀରେ ଏହା ପ୍ରକାଶ କରିଥିଲେ ଶ୍ରୀ ସ୍ୱରୂପ। ରାଜ୍ୟର ପ୍ରାୟ ସମସ୍ତ ଇଂଲିଶ୍‌ ମିଡ଼ିୟମ୍‌ ସ୍କୁଲରୁ ୨୫୦ ରୁ ଊର୍ଧ୍ୱ ଅଧ୍ୟକ୍ଷ ଏହି ବୈଠକରେ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ସ୍ୱରୂପ ପ୍ରତ୍ୟେକ ସ୍କୁଲ୍‌ ସୁରକ୍ଷାକୁ ପ୍ରାଥମିକତା ଦେବା ସହିତ ଏନେଇ ନିଜ ନିଜର ସ୍ୱତନ୍ତ୍ର ଆକ୍ସନ୍‌ ପ୍ଲାନ୍‌ ଦେବାକୁ ପରାମର୍ଶ ଦେଇଥିଲେ। ସେହିପରି ଏକ କୋର କମିଟି ଗଠନ କରି ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଥିବା ସମସ୍ୟାଗୁଡ଼ିକର ସରଳ ସମାଧାନ ବାହାର କରିବା ନିମନ୍ତେ ଶ୍ରୀ ସ୍ୱରୂପ ସିବିଏସ୍‌ଇ କ୍ଷେତ୍ରୀୟ ପ୍ରବନ୍ଧକଙ୍କୁ ପରାମର୍ଶ ଦେଇଥିଲେ। ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଗୁଣାତ୍ମକ ଏବଂ ଉନ୍ନତମାନର ଶିକ୍ଷା ପ୍ରଣାଳୀ ପାଇଁ ଶ୍ରୀ ସ୍ୱରୂପ ଏହାକୁ ଏକ ମଡ଼େଲ୍‌ ସ୍କୁଲ ଭାବେ ପ୍ରଶଂସା କରିଥିଲେ।

ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଥିଲେ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଶିକ୍ଷାର ଗୁଣବତ୍ତା ପାଇଁ ଯୋଗ୍ୟତା ଆଧାରରେ ଶିକ୍ଷକ ନିଯୁକ୍ତି କରାଯିବା ଏକ ଯୁଗାନ୍ତକାରୀ ପଦକ୍ଷେପ ନେଉଛନ୍ତି। ରାଜ୍ୟ କ୍ରାଫ୍ଟ ସଂଗ୍ରହାଳୟ ସଚିବ ଶୁଭା ଶର୍ମା, ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଚେୟାରମ୍ୟାନ୍‌ ଡ. ବିଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର