ପ୍ରଭୁଙ୍କ ଅପୂର୍ବ ଲୀଳା: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତିନି ରଥ

ପୁରୀ: ଚଳିତ ବର୍ଷ ରଥଯାତ୍ରାରେ ମହାପ୍ରଭୁଙ୍କ ଅପୂର୍ବ ଲୀଳା ପୁଣି ଥରେ ଦେଖିବାକୁ ମିଳିଛି। ବିଗତ ୩ରୁ ୪ ବର୍ଷ ମଧ୍ୟରେ ଯାହା ଦେଖା ଯାଇ ନଥିଲା ତାହା ଶନିବାର ଦେଖିବାକୁ ମିଳିଛି। ସନ୍ଧ୍ୟା ୬ଟା ୩୦ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ, ବଡ଼ ଭାଇ ବଳଭଦ୍ରଙ୍କ ରଥ ତାଳଧ୍ବଜ ଓ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ପହଞ୍ଚି ସାରିଛି। ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିବାରୁ ଆଜି ପୂର୍ବ ଆକଳନ ଅନୁସାର ୩ ରଥ ଶରଧାବାଲିରେ ପହଞ୍ଚିଛି। ଫଳରେ ରତ୍ନ ସିଂହାସନରେ ଯେଭଳି ଦୈନନ୍ଦିନ ନୀତି ପାଳନ କରାଯାଇଥାଏ, ତାହା ଆଜି ଶରଧାବାଲିରେ ରଥ ଉପରେ ଅନୁଷ୍ଠିତ ହେବ।

ବଡ଼ଦାଣ୍ଡରେ ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜନସମୁଦ୍ର ଦେଖାଯାଇଥିଲା। ଅପରାହ୍ନରେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ସତ୍ତ୍ୱେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମି ନଥିଲା। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଭକ୍ତ ପ୍ରଭୁ ଜଗନ୍ନାଥଙ୍କୁ ବଡ଼ଦାଣ୍ଡରେ ଦର୍ଶନ କରିଥିଲେ। ସବୁଠାରୁ ବଡ଼ କଥା ହେଲା ଯେ, ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ଵୟ ଯୋଗୁଁ ଠିକ୍‌ ସମୟରେ ରଥଗୁଡ଼ିକ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚାଯାଇ ପାରିଛି।

ଶ୍ରୀଜିଉଙ୍କୁ ରବିବାର ଆଡ଼ପମଣ୍ଡପରେ ବିଜେ କରାଯିବ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଥିବା ବେଳେ, ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧିତ ଖବର