ଆହ୍ଲାବାଦ ବ୍ୟାଙ୍କ କେଳେଙ୍କାରୀ ଘଟଣା : ମ୍ୟାନେଜରଙ୍କ ବଦଳି, ୩ ବହିଷ୍କୃତ

ଦଶରଥପୁର : ଯାଜପୁର ଜିଲ୍ଲା ଅନ୍ତର୍ଗତ ମଙ୍ଗଳପୁରସ୍ଥିତ ଆହ୍ଲାବାଦ ବ୍ୟାଙ୍କ କେଳେଙ୍କାରୀ ଘଟଣାରେ ଶାଖାର ମ୍ୟାନେଜର୍‌ଙ୍କୁ ବଦଳି କରାଯାଇଥିବାବେଳେ ୩ ଜଣଙ୍କୁ ବହିଷ୍କାର କରାଯାଇଛି। ବ୍ୟାଙ୍କ୍ କେଳେଙ୍କାରୀ ସଂପର୍କରେ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇବା ପରେ ବିଭାଗୀୟ କର୍ତୃପକ୍ଷ ଘଟଣାକୁ ଗୁରୁତ୍ବ ଦେବା ସହିତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଅଭିଯୋଗ ଅନୁସାରେ, ଦୁଦୁରାଅନ୍ତା ପଞ୍ଚାୟତ କଣ୍ଟପଡା ଗ୍ରାମର ଦେବଦତ୍ତ ରାୟ ନାମକ ଜଣେ ମୃତ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୫ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା। ହେଲେ ଦୁଦୁରାଅନ୍ତ ପଞ୍ଚାୟତର କିମ୍ବା କଣ୍ଟପଡା ଗ୍ରାମରେ ଦେବଦତ୍ତ ରାୟ ନାମକ କୌଣସି ବ୍ୟକ୍ତି ନାହାନ୍ତି। ମୃତ ଦେବଦତ୍ତଙ୍କ ଆକାଉଣ୍ଟରୁ ୧୫ ଲକ୍ଷ ଲୁଟିବାକୁ ବିଧିବଦ୍ଧ ଯୋଜନା କରାଯାଇଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ମିଥ୍ୟା ଆକାଉଣ୍ଟ ଖୋଲାଯାଇ ସେହି ବ୍ୟାଙ୍କର ଜଣେ ଅସ୍ଥାୟୀ କର୍ମଚାରୀଙ୍କ ବ୍ୟାଙ୍କ ଖାତା ନଂ ୫୦୧୫୧୧୭୫୧୪୭କୁ ଅର୍ଥ ଟ୍ରାନ୍ସଫର କରାଯାଇଥିଲା। ଏ ସମ୍ପର୍କରେ ଖବର ପ୍ରକାଶ ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ଏବଂ, ତଦନ୍ତ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୧୪ ତାରିଖରେ ସଂଧ୍ୟାରେ ଶ୍ରୀ ବେହେରାଙ୍କୁ ଆହ୍ଲାବାଦ ବ୍ୟାଙ୍କର ଆଞ୍ଚଳିକ ଶାଖା ଭୁବନେଶ୍ବରକୁ ବଦଳି କରାଯାଇଥିବା ନେଇ ମେଲ କରାଯିବା ସହିତ ତୁରନ୍ତ ଯୋଗଦେବା ପାଇଁ ନିର୍ଦେଶ ଦିଆଯାଇଥିଲା। ତାଙ୍କ ସ୍ଥାନରେ ମଂଗଳପୁର ଶାଖା ଦାୟିତ୍ବରେ ମନୋରଂଜନ ବରିଆଙ୍କୁ ଅବସ୍ଥାପିତ କରାଯାଇଛି। ବହିଷ୍କୃତ ହୋଇଥିବା କର୍ମଚାରୀମାନେ ହେଲେ ମନୋଜକୁମାର ରାୟ, ମମତା ମୋହନ ପଣ୍ଡା, ଅଞ୍ଜନ ଦଳାଇ।

ସମ୍ବନ୍ଧିତ ଖବର