ନୂଆଗାଁ ବ୍ଲକ୍‌ରେ ବାଟ ହୁଡ଼ିଛି ‘ଆମ ଗାଁ ଆମ ବିକାଶ’ : ୩୧୪ ପ୍ରକଳ୍ପରୁ ଶେଷ ହୋଇଛି ମାତ୍ର ୨୫ଟି

ନୂଆଗାଁ : ରାଜ୍ୟ ସରକାର ଆମ ଗାଁ ଆମ ବିକାଶ ଯୋଜନାକୁ କାର୍ଯ୍ୟକାରୀ କରି ପ୍ରତି ପଞ୍ଚାୟତର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଛନ୍ତି। କିନ୍ତୁ ନୂଆଗାଁ ବ୍ଲକ୍‌ରେ ଏହି ଯୋଜନା ବାଟ ହୁଡ଼ିଥିବା ଦେଖିବାକୁ ମିଳିଛି। ପ୍ରକଳ୍ପ ପାଇଁ ଆସିଥିବା କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ି ରହିଛି। ଏହି ଘଟଣାକୁ ବ୍ଲକ୍ ପ୍ରଶାସନ ସ୍ବୀକାର କରିବା ସହିତ ଧୀରେ ଧୀରେ କାର୍ଯ୍ୟକାରୀ ହେଉଥିବା କହିଛନ୍ତି।

ଖବରରୁ ପ୍ରକାଶ, ମୁଖ୍ୟମନ୍ତ୍ରୀ ସବୁ ଗାଁର ବିକାଶ କରିବାକୁ ଯାଇ ପ୍ରତି ଗାଁକୁ ଅନୁଦାନ ଯୋଗାଇ ଦେଇଛନ୍ତି। ଏଥିରେ କୋଠଘର ସହିତ ମଣ୍ତପ ନିର୍ମାଣ କରିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ବ୍ଲକ୍‌ର ବିଡିଓ, ଜିଲ୍ଲାପାଳ, ବିଧାୟକ ଓ ଜନସାଧାରଣଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି ପ୍ରକଳ୍ପର ଉଦ୍‌ଘାଟନ କରି ତୁରନ୍ତ ସବୁକାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆମ ଗାଁ ଆମ ବିକାଶ ଯୋଜନାକୁ ଭୁଲିଯାଇଥିବା ଭଳି ମନେ ହେଉଛି। ତେବେ ଏହି ଯୋଜନା କେବେ ସରିବ, ତାହା ଅସ୍ପଷ୍ଟ ରହିଛି। ନୂଆଗାଁ ବ୍ଲକ୍‌କୁ ୩ ଶହ ୧୪ ପ୍ରକଳ୍ପ ପାଇଁ ୫ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଏହି ଘୋଷଣାକୁ ୮ମାସ ବିତି ଯାଇଥିଲେ ମଧ୍ୟ ଆଜି ସୁଦ୍ଧା ମାତ୍ର ୨୫ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି। ତେବେ ବ୍ଲକ୍ ପ୍ରଶାସନ ଗାଁଗୁଡ଼ିକର ବିକାଶ କଥାକୁ ପଛରେ ପକାଇ ଆବାସ ଯୋଜନା, ପାଇଖାନା ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଧିକ ଗୁରୁତ୍ବ ଦେଇ ଆସୁଛି। ଆମ ଗାଁ ଆମ ବିକାଶ ଏବେ କାହା ସ୍ବାର୍ଥରେ ବୋଲି ଜନସାଧାରଣ ସ୍ବର ଉଠାଇଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ ସରକାରୀ କର୍ମଚାରୀମାନେ ଅଣଦେଖା କରି ଆସୁଥିବା ଜଳଜଳ ହୋଇ ଦେଖାଯାଉଛି।

ମିଳିଥିବା ରିପୋର୍ଟରୁ ଜଣାପଡିଛି, ନୂଆଗାଁ ପଞ୍ଚାୟତକୁ ୨୮ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ଦିଆଯାଇଥିବା ବେଳେ, ମାଳିସାହି ପଞ୍ଚାୟତକୁ ୨୮ ଲକ୍ଷ, ଢେଙ୍କଣା, ଗାତେରୀ, ସୋରଡ଼ା, ଜାକେଡ଼ାକୁ ୨୪ ଲକ୍ଷ ଲେଖାଏଁ, ସିଙ୍ଗାରପଲ୍ଲୀ, ବେରୁଆଁବାରୀ, ବାହାଡ଼ାଝୋଲା, କାପ୍ତାପଲ୍ଲୀ, ହରିପୁର, ଦୁରୁଦୁରା, ଚାହାଳି, ମହୀପୁର, ବଡ଼ଗୋଠ, ପାରାଢିପି, ଉଦୟପୁରକୁ ୨୫ ଲକ୍ଷ ଲେଖାଏଁ, ଗୁମୀକୁ ୨୪ ଲକ୍ଷ ୫୦ ହଜାର, ସିକ୍ରୀଡାକୁ ୨୩ ଲକ୍ଷ, ଖଣ୍ତୁଗାଁକୁ ୨୨ ଲକ୍ଷ ୫୦ ହଜାର, ମାଈଛେଳିକୁ ୨୬ ଲକ୍ଷ ୫୦ ହଜାର ଏବଂ କୋରଡ଼ା ପଞ୍ଚାୟତକୁ ୩୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହା ଚଳିତ ବର୍ଷ ଜାନୁଆରୀ ମାସ ୧୫ ତାରିଖ ଦିନ ଘୋଷଣା ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ମୋଟ ୨୫ଟି ପ୍ରକଳ୍ପ ଶେଷ ହେବା ନିନ୍ଦାର ବିଷୟ ବୋଲି ସରପଞ୍ଚ, ସମିତିସଭ୍ୟମାନେ କ୍ଷୋଭର ସହ କହିଛନ୍ତି। ତେବେ କାଁ ଭାଁ କିଛି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ଜଣାପଡ଼ିଛି। ଏ ସଂପର୍କରେ ସହକାରୀ ଯନ୍ତ୍ରୀ ନକୁଳ ରାଉତ କହିଛନ୍ତି, ଆମେ ଧୀରେ ଧୀରେ କାର୍ଯ୍ୟ ସବୁ ସାରିବାକୁ ଚେଷ୍ଟା କରୁଛୁ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା କେବେ କାର୍ଯ୍ୟକାରୀ ହେଉଛି, ତାହା ଦେଖିବାକୁ ଜନସାଧାରଣ ଚାହିଁ ବସିଛନ୍ତି।

ସମ୍ବନ୍ଧିତ ଖବର