ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୮୫ ପଞ୍ଚାୟତ ପାଇଁ ୭୬୧ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଆଜି କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଲକ୍‌, ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ୍‌, ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ୍‌ ଓ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ବ୍ଲକ୍‌ର ୮୫ଟି ପଞ୍ଚାୟତ ପାଇଁ ୭୬୧ ପ୍ରକଳ୍ପ ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ମଞ୍ଜୁର କରିଛନ୍ତି।

ବୈପାରୀଗୁଡ଼ା ବ୍ଲକ୍‌ର ୨୦ଟି ପଞ୍ଚାୟତ ପାଇଁ ୩.୬୭ କୋଟି ଟଙ୍କାରେ ୨୦୯ଟି ପ୍ରକଳ୍ପ, ଦିଗପହଣ୍ଡି ବ୍ଲକ୍‌ର ୨୫ଟି ପଞ୍ଚାୟତ ପାଇଁ ୬.୨୫ କୋଟି ଟଙ୍କାରେ ୧୫୪ଟି ପ୍ରକଳ୍ପ, ସିନାପାଲି ବ୍ଲକ୍‌ର ୨୭ଟି ପଞ୍ଚାୟତ ପାଇଁ ୬.୭୫ କୋଟି ଟଙ୍କାରେ ୨୭୪ଟି ପ୍ରକଳ୍ପ ଓ ନବରଙ୍ଗପୁର ବ୍ଲକ୍‌ର ୧୩ଟି ପଞ୍ଚାୟତ ପାଇଁ ୩.୨୫ କୋଟି ଟଙ୍କାରେ ୧୨୪ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହିପରି ସମୁଦାୟ ୪ଟି ବ୍ଲକ୍‌ର ୮୫ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୧୯.୯୨ କୋଟି ଟଙ୍କାରେ ୭୬୧ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଜନସାଧାରଣ ଓ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରକଳ୍ପଗୁଡ଼ିକୁ ମିଳିମିଶି ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ନବରଙ୍ଗପୁର ବ୍ଲକ୍‌ରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ଜୋର୍‌ଦାର୍‌ ଆଗ୍ରହ ଦେଖିବାକୁ ମିଳିଥିଲା। ସେଠାରେ ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିକାଶ କାମରେ ଲୋକଙ୍କ ଏପରି ଆଗ୍ରହକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର