ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ସପ୍ତାହରେ ୧୦୦ କୋଟି ଦେଲେ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୧୮ଟି ପଞ୍ଚାୟତର ୧୧୦୧ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପର ମୂଲ୍ୟ ପାଖାପାଖି ୨୮ କୋଟି ୨୮ଲକ୍ଷ ଟଙ୍କା ହେବ। ଏଥିସହିତ ଗୋଟିଏ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୧୦୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁରୀ କଲେଣି। ଏଥିରେ ୩୯୭ଟି ପଞ୍ଚାୟତର ୩୯୭୨ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଥିଲା। ୧୬ଟି ବ୍ଲକର ୩୯୭ଟି ପଞ୍ଚାୟତର ଲୋକଙ୍କ ସହିତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବିତ ଏହି ପ୍ରକଳ୍ପ ଲାଗି ୧୦୦ କୋଟି ୭୮ଲକ୍ଷ ଟଙ୍କାର ଆର୍ଥିକ ଅନୁମୋଦନ ଦେବାକୁ ଘୋଷଣା କରିଥିଲେ।

ଉଲ୍ଲେଖଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକର ୧୧ଟି ପଞ୍ଚାୟତ ପାଇଁ ୨ କୋଟି ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦନ କରିଥିଲେ। ସେହିପରି ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ୧୦ଟି ପଞ୍ଚାୟତ ପାଇଁ ୩ କୋଟି ୪୫ ଲକ୍ଷରେ ୧୨୮ଟି ପ୍ରକଳ୍ପରେ ମୋହର ଲଗାଇଛନ୍ତି। ଭଦ୍ରକ ଜିଲ୍ଲାର ତିହିଡି ବ୍ଲକର ୩୧ଟି ପଞ୍ଚାୟତ ପାଇଁ ୭ କୋଟି ୭୫ଲକ୍ଷ ଟଙ୍କାର ୨୪୯ଟି ପ୍ରକଳ୍ପ, ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅଞ୍ଚଳସ୍ଥ ୨୯ଟି ପଞ୍ଚାୟତର ୩୪୨ ପ୍ରକଳ୍ପ ପାଇଁ ୭ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁରୀ ଦେଇଛନ୍ତି। ସେହିପରି କଟକ ଜିଲ୍ଲାର ମାହାଙ୍ଗା ବ୍ଲକ ଅନ୍ତର୍ଗତ ୩୭ଟି ପଞ୍ଚାୟତ ପାଇଁ ୨୮୮ ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯାହାର ମୂଲ୍ୟ ୭ କୋଟି ୪୦ଲକ୍ଷ ଟଙ୍କା।

ଆଜିର କାର୍ଯ୍ୟକ୍ରମରେ ଖଇରପୁଟ ବ୍ଲକରେ ବଣ୍ଡା ଜନଜାତି ସଂପ୍ରଦାୟର ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ସେମାନେ ସେମାନଙ୍କର ସମସ୍ୟା ବଖାଣିଥିଲେ। ସେମାନଙ୍କର ସମସ୍ୟା ସମାଧାନ ପାଇଁଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଏ ଟଙ୍କା ଆପଣମାନଙ୍କର, ଓଡ଼ିଶାବାସୀଙ୍କର। ଯେଉଁସବୁ ପ୍ରକଳ୍ପ ମଞ୍ଜୁର କରାଯାଉଛି, ସେଗୁଡିକୁ ଭଲ ଭାବରେ ଓ ଶୀଘ୍ର କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର