ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ମହିଳାଙ୍କ ସ୍ୱାସ୍ଥ୍ୟକୁ ନବୀନଙ୍କ ଗୁରୁତ୍ୱ, ୩୫.୩୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଳାର ୭ଟି ବ୍ଲକ୍‌ ପାଇଁ ୩୫ କୋଟି ୩୬ ଲକ୍ଷ ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ ଗୁଡ଼ିକ ହେଲା ଢ଼େଙ୍କାନାଳର ଗଁଦିଆ, ବରଗଡ଼ ଜିଲ୍ଳାର ଅତାବିରା, କୋରାପୁଟ ଜିଲ୍ଳାର ସମିଳିଗୁଡ଼ା ଓ ସୁନ୍ଦରଗଡ଼ର ଲାଠିକଟା ଓ ସବଡ଼େଗା ବ୍ଲକ।
ଆଜିର ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀମାନଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଥିଲେ, ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବା ବେଳେ ମହିଳାମାନଙ୍କ ପାଇଁ ଏହି ସୁବିଧା ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଯୋଜନା ରାଜ୍ୟ ସରକାର ଏବଂ ରାଜ୍ୟବାସୀଙ୍କ ଟଙ୍କାରେ କରାଯାଇଛି। ତେଣୁ ଏହି ଯୋଜନାର ସୁଯୋଗ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମହିଳା ଓ ଝିିଅମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦିଗରେ ଖୁସି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଅକ୍ଟୋବର ମାସରେ ଏହି ଯୋଜନା ମାଗଣାରେ ସାନିଟାରି ନାପକିନ୍‌ ଯୋଗାଇ ଦିଆଯିବ। ଏହା ଦ୍ୱାରା ମହିଳାମାନଙ୍କର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇ ପାରିବ। ତେଣୁ ମହିଳାମାନେ ଓ ଝିଅମାନେ ଏହି ସୁବିଧାର ସୁଯୋଗ ନେବା ଦରକାର। ମା’ ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବ ଏବଂ ସବୁ ପରିବାର ସୁସ୍ଥ ରହିଲେ ଗାଁର ବିକାଶ ଆଗେଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆଜି ମୁଖ୍ୟମନ୍ତ୍ରୀ ଉଲୁଣ୍ଡା ବ୍ଲକ୍‌ର ୧୭ଟି ପଞ୍ଚାୟତ ପାଇଁ ୪.୨୫କୋଟି ଟଙ୍କାରେ ୧୨୮ଟି ପ୍ରକଳ୍ପ, ବାସୁଦେବପୁର ବ୍ଲକ୍‌ର ୩୫ଟି ପଞ୍ଚାୟତ ପାଇଁ ୮.୬୫ କୋଟି ଟଙ୍କାରେ ୨୭୫ଟି ପ୍ରକଳ୍ପ, ଗଁଦିଆ ବ୍ଲକର ୨୯ଟି ପଞ୍ଚାୟତ ପାଇଁ ୬.୮୦ କୋଟି ଟଙ୍କାରେ ୨୯୮ଟି ପ୍ରକଳ୍ପ, ଅତାବିରା ବ୍ଲକର ୨୩ଟି ପଞ୍ଚାୟତ ପାଇଁ ୫.୬୪କୋଟି ଟଙ୍କାରେ ୯୩ଟି ପ୍ରକଳ୍ପ, ଲାଠିକଟା ପଞ୍ଚାୟତର ୧୮ଟି ପଞ୍ଚାୟତ ପାଇଁ ୪.୦୫ କୋଟି ଟଙ୍କାରେ ୧୩୩ଟି ପ୍ରକଳ୍ପ ଓ ସବ୍‌ଡ଼େଗା ବ୍ଲକ୍‌ର ୧୪ଟି ପଞ୍ଚାୟତ ପାଇଁ ୩କୋଟି ଟଙ୍କାରେ ୧୧୪ଟି ପ୍ରକଳ୍ପ ମଞ୍ଜୁର କରିଥିଲେ। ଏହିପରି ୭ଟି ବ୍ଲକର ୧୫୨ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୫.୩୬ କୋଟି ଟଙ୍କାରେ ୧୨୫୬ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର