ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୯ ପ୍ରକଳ୍ପକୁ ମଞ୍ଜୁରି

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର, ପୁରୀ ଜିଲ୍ଲାର ବିଶ୍ୱନାଥପୁର, ବରଗଡ଼ ଜିଲ୍ଲାର ବୁଗବୁଗା ଓ ଦେବଗଡ ଜିଲ୍ଲାର ରିଆମାଳ ପଞ୍ଚାୟତ ପାଇଁ ୧ କୋଟି ୪୩ଲକ୍ଷ ଟଙ୍କାର ପ୍ରକଳ୍ପ ମଞ୍ଜୁରି ଦେଇଛନ୍ତି। ୪ଟି ପଞ୍ଚାୟତର ମୋଟ ୩୯ଟି ପ୍ରକଳ୍ପ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳ ମୋହର ଲଗାଇବା ସହିତ ଏସବୁର କାର୍ଯ୍ୟ ଶୀଘ୍ର ସାରିବା ଲାଗି ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଗୋବିନ୍ଦପୁର ପଞ୍ଚାୟତର ୮ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏହାର ମୂଲ୍ୟ ୩୬ ଲକ୍ଷ ଟଙ୍କା। ସେହିପରି ପୁରୀ ଜିଲ୍ଲାର ବିଶ୍ୱନାଥପୁର ପଞ୍ଚାୟତରେ ୩୫ଟି କୋଟି ଟଙ୍କା ବ୍ୟୟରେ ୧୦ଟି ପ୍ରକଳ୍ପ, ବୁଗବୁଗା ପଞ୍ଚାୟତର ୩୬ଲକ୍ଷ ଟଙ୍କାର ୧୨ଟି, ରିଆମାଳ ପଞ୍ଚାୟତର ୯ଟି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଥିଲା।

ମାର୍ଚ୍ଚ ୫ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସପ୍ତାହକୁ ଦୁଇ ଦିନ ବିଭିନ୍ନ ପଞ୍ଚାୟତର ଜନସାଧାରଣଙ୍କୁ ଭେଟି ଗାଁ ର ବିକାଶ ସଂପର୍କରେ ଆଲୋଚନା କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ଅଞ୍ଚଳର ନିର୍ବାଚିତ ପ୍ରତିନିଧି, ମୁଖ୍ୟଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ, ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର