ଆମ ଗାଁ ଆମ ବିକାଶ: ୪ ବ୍ଲକ୍‌କୁ ୨୭.୫୮ କୋଟି ମଞ୍ଜୁର

୧୧୦ ପଞ୍ଚାୟତର ୧୧୨୨ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : ବ୍ଲକସ୍ତରରେ ଆରମ୍ଭ ହୋଇଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଆଜି ୪ଟି ବ୍ଲକର ୧୧୦ଟି ପଞ୍ଚାୟତ ପାଇଁ ୨୭ କୋଟି ୫୮ଲକ୍ଷ ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ବରଗ଼ଡ଼ ଜିଲ୍ଲାର ବରଗଡ଼ ବ୍ଲକ, ବଲାଙ୍ଗୀର ଜିଲ୍ଲାର ଟିଟିଲାଗ଼ଡ଼ ବ୍ଲକ, ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ସଦର ବ୍ଲକ ଓ ନୟାଗଡ ଜିଲ୍ଲାର ଖଣ୍ଡପଡା ବ୍ଲକର ମୋଟ ୧୧୨୨ଟି ପ୍ରକଳ୍ପକୁ ତତ୍କାଳ ଅନୁମୋଦନ ଦେଇଥିଲେ।

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବରଗଡ ବ୍ଲକର ୨୭ଟି ପଞ୍ଚାୟତ ପାଇଁ ୬ କୋଟି ୭୫ଲକ୍ଷ ଟଙ୍କାର ୨୫୦ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଟିଟିଲାଗଡ ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୬ କୋଟି ଟଙ୍କାରେ ୨୩୧ଟି ପ୍ରକଳ୍ପ, ବାଲେଶ୍ୱର ସଦର ବ୍ଲକର ୩୭ଟି ପଞ୍ଚାୟତ ପାଇଁ ୯ କୋଟି ୩୦ଲକ୍ଷ ଟଙ୍କାରେ ୩୮୪ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହର ଲଗାଇଥିଲେ। କେବଳ ସେତିକି ନୁହେଁ, ଖଣ୍ଡପଡା ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୫.୫୩ କୋଟି ଟଙ୍କାରେ ୨୫୭ଟି ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି।

ଏହି କାର୍ଯ୍ୟକ୍ରମ ଅବସରରେ ଜନସାଧାରଣ ଓ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ପ୍ରକଳ୍ପକୁ ମିଳିମିଶି ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ବ୍ୟତୀତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର