ନୟାଗଡ଼ ଜିଲ୍ଲାରେ ଦିଗହରା ‘ଆମ ଗାଁ ଆମ ବିକାଶ’ କ‌ାର୍ଯ୍ୟକ୍ରମ : ୬୫ ପ୍ରତିଶତ ‌ପ୍ରକଳ୍ପ ଆରମ୍ଭ ହୋଇନି; ଦଶପଲ୍ଲା, ଗଣିଆ, ନୂଆଗାଁ ଓ ରଣପୁର ବ୍ଲକ୍‌ରେ ପ୍ରକଳ୍ପ ସ୍ଥିତି ନୈରାଶ୍ୟଜନକ

ନୟାଗଡ଼ : ଗାଁର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିନବ ଯୋଜନା ‘ଆମ ଗାଁ ଆମ ବିକାଶ’ ନୟାଗଡ଼ ଜିଲ୍ଲା‌ରେ ଦିଗହରା ହେଲା ଭଳି ଅନୁଭବ ହେଉଛି। ୨୦୧୮ ମା‌ର୍ଚ୍ଚ ମାସରେ ରାଜ୍ୟ ସରକାର ଏହି ଅଭିନବ ଯୋଜନାର ଶୁଭାରମ୍ଭ କରିଥିଲେ। ଲୋକସେବା ଭବନ (ସଚିବାଳୟ)ରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସିଧାସଳଖ ଗ୍ରାମ୍ୟ ସମମ୍ୟା‌ ଶୁଣିଲେ, ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଜରିଆରେ ଅର୍ଥ ମଧ୍ୟ ପ୍ରଦାନ କଲେ। ଗାଁର ଉନ୍ନତି ପାଇଁ ସ୍ଥାନୀୟ ସରପଞ୍ଚ ଯେଉଁ ପ୍ରକଳ୍ପ ନିମନ୍ତେ ପ୍ରସ୍ତାବ ଦେଲେ, ତାହା‌ ମଞ୍ଜୁର ହେଲା। କୋଟି କୋଟି ଟଙ୍କା ବିଭିନ୍ନ ପଞ୍ଚାୟତକୁ ଯେଗାଇ ଦି‌ଆଗଲା, ସ୍ଥା‌ନୀୟ ଲୋକଙ୍କ ପାଇଁ ରାସ୍ତାଘାଟ, କୋଠଘର, ଗାର୍ଡ ୱାଲ୍‌, ମନ୍ଦିର ଆଦି ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ। କିନ୍ତୁ ନୟାଗଡ଼ ଜିଲ୍ଲାରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ବିକାଶ ହୋଇପାରିନି।

ନୟାଗଡ଼ ଜିଲ୍ଲା ପାଇଁ ଏହି ଯୋଜନାରେ ୪୬ କୋଟି ୬୬ ଲକ୍ଷ ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଥିଲେ। ଏଥିରେ ସମୁଦାୟ ୨୪୬୬ଟି ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ସେଥି ମଧ୍ୟରୁ ବର୍ତ୍ତମାନ ମାତ୍ର ୮୭୧ଟି ପ୍ରକଳ୍ପ ଶେଷ ହୋଇଥିବା ବେଳେ ୯୪୩ଟି ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ୬୪୯ଟି ପ୍ରକଳ୍ପ କାର୍ଯ୍ୟ ଆଦ‌ୌ ଆରମ୍ଭ ହୋଇନି। ଆଜି ସୁଦ୍ଧା ସମୁଦାୟ ମଞ୍ଜୁର ଅର୍ଥରୁ ୧୬ କୋଟି ୧୧ ଲକ୍ଷ ୮୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହି ଯୋଜନାରେ ମଞ୍ଜୁର ହୋଇଥିବା ସମୁଦାୟ ପ୍ରକଳ୍ପର ଅଧା ପ୍ରକଳ୍ପ ବି ବର୍ତ୍ତମାନ ସୁଦ୍ଧା ଶେଷ ହୋଇପାରିନାହିଁ। ଆଶ୍ଚର୍ଯ୍ୟର କଥା ହେଲା ଜିଲ୍ଲାରେ ଆଦିବାସୀ ଅଧ୍ୟୁଷିତ ତଥା ବିକାଶରେ ପଛୁଆ ବ୍ଲକ‌୍ ଭାବେ ପରିଗଣିତ ହେଉଥିବା ଦଶପଲ୍ଲା, ଗଣିଆ, ନୂଆଗାଁ, ରଣପୁର ଆଦି ବ୍ଲକ୍‌ରେ ଆଣ୍ଠେଇଛି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ। ଏଠି ବିକାଶର ପଦଚିହ୍ନ ନାହିଁ। ଦଶପଲ୍ଲା ବ୍ଲକ୍‌ରେ ୩୦୮ଟି ପ୍ରକଳ୍ପ ମଧ୍ୟରୁ ମାତ୍ର ୧୪ଟି ପ୍ରକଳ୍ପ ଶେଷ ହୋଇଛି। ମଞ୍ଜୁର ହୋଇଥିବା ୪ କୋଟି ୭୫ ଲକ୍ଷ ଟଙ୍କାରୁ ମାତ୍ର ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେହଭଳି ଗଣିଆ ବ୍ଲକ‌‌୍‌ରେ ୧୨୪ଟି ପ୍ରକଳ୍ପ ମଧ୍ୟରୁ ୪ଟି ପ୍ରକଳ୍ପ ଶେଷ ହୋଇଛି। ମଞ୍ଜୁର ହୋଇଥିବା ୨ କୋଟି ୨ ଲକ୍ଷ ୫୦ ହଜାର ଟଙ୍କାରୁ ମାତ୍ର ୮ ଲକ୍ଷ ୫୦ ହଜାର ଖର୍ଚ୍ଚ ହୋଇଛି। ନୂଆଗାଁ ବ୍ଲକ୍‌ର ୩୧୪ଟି ପ୍ରକଳ୍ପ ମଧ୍ୟରୁ ମାତ୍ର ୨୨ଟି ଶେଷ ହୋଇଛି। ମଞ୍ଜୁର ହୋଇଥିବା ୫ କୋଟି ୫୯ ଲକ୍ଷ ଟଙ୍କାରୁ ୩୬ ଲକ୍ଷ ୪୦ ହଜାର ଟଙ୍କା‌ ଖର୍ଚ୍ଚ ହୋଇଛି। ରଣପୁର ବ୍ଲକ୍‌ରେ ୩୪୨ଟି ପ୍ରକଳ୍ପ ମଧ୍ୟରୁ ମାତ୍ର ୩୧ଟି ଶେଷ ହୋଇଛି। ୪ଟି ବ୍ଲକ୍‌ ଅର୍ଥାତ ଅଧ‌ା ଜିଲ୍ଲାରେ ଆମ ଗାଁ ଆମ ବିକାଶ ଯୋଜନାର ନାଁ ଗନ୍ଧ ନାହିଁ। ତା’ ହେଲେ ଏହି ଯୋଜନାରେ କାହାର ବିକାଶ ହୋଇଛି ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି।

ନୟାଗଡ଼ ବ୍ଲକ୍‌ରେ ସମୁଦା‌ୟ ୪୧୨ ପ୍ରକଳ୍ପ ମଧ୍ୟରୁ ୨୬୪ଟି ଶେଷ ହୋଇଥିବା ବେ‌ଳେ, ସମୁଦାୟ ୭ କୋଟି ୪୮ ଲକ୍ଷ ଟଙ୍କାରୁ ୪ କୋଟି ୮୯ ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଓଡ଼ଗାଁ ବ୍ଲକ୍‌ରେ ୩୭୫ଟି ପ୍ରକଳ୍ପ ମଧ୍ୟରୁ ୨୧୯ଟି ଶେଷ ହୋଇଥିବା ବେଳେ, ସମୁଦା‌ୟ ମଞ୍ଜୁର ଅର୍ଥ ୮ କୋଟି ୨୫ ଲକ୍ଷ ଟଙ୍କାରୁ ମାତ୍ର ୪ କୋଟି ୪୯ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ଖଣ୍ଡପଡ଼ା ବ୍ଲକ୍‌ରେ ୨୫୪ଟି ପ୍ରକଳ୍ପ ମଧ୍ୟରୁ ୧୩୨ଟି ଶେଷ ହୋଇଛି। ମଞ୍ଜୁର ହୋଇଥିବା ୫ କୋଟି ୫୩ ଲକ୍ଷ ୫୦ ହଜାର ଟଙ୍କାରୁ ୨ କୋଟି ୫୭ ଲକ୍ଷ ୮୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଭାପୁର ବ୍ଲକ୍‌ରେ ୩୩୭ ପ୍ରକଳ୍ପ ମଧ୍ୟରୁ ୧୮୫ଟି ଶେଷ ହୋଇଥିବା ବେଳେ, ମଞ୍ଜୁର ହୋଇଥିବା ୫ କୋଟି ୩ ଲକ୍ଷ ଟଙ୍କାରୁ ୨ କୋଟି ୬୨ ଲକ୍ଷ ୨୯ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଖୋଦ୍ ପଞ୍ଜାୟତ କର୍ତ୍ତୃପକ୍ଷ ନିଜ ଅଞ୍ଚଳର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ, ମୁଖ୍ୟମନ୍ତ୍ରୀ ମଧ୍ୟ ଅବିଳମ୍ବ‌େ ଅର୍ଥ ପ୍ରଦାନ କରିଥିଲେ। କିନ୍ତୁ ବର୍ତ୍ତମାନ ପ୍ରସ୍ତାବିତ ପ୍ରକଳ୍ପ କାହିଁକି କରାଯାଉନାହିଁ, ତାକୁ ନେଇ ସବୁଠି ଚର୍ଚ୍ଚା। ସରକାରୀ ତହବିଲରୁ ଅର୍ଥ ଲୁଟ୍ କରିବାକୁ ମନ ଇଚ୍ଛା ପ୍ରକଳ୍ପର ତାଲିକା ପଠା ଯାଇଥିଲା କି? ବ୍ଲକ୍‌ ସ୍ତରରେ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଏହି ସବୁ ପ୍ରକଳ୍ପର ତଦାରଖ କରିବା କଥା, ଯେଉଁ ବ୍ଲକ୍‌ଗୁଡ଼ିକର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଶୋଚନୀୟ ପ୍ରଦର୍ଶନ ରହିଛି। ଏଥିପାଇଁ କିଏ ଦାୟୀ, କାହାର ଅବହେଳା ପାଇଁ ବିକାଶ ପହଞ୍ଚି ପାରିଲା ନା‌ହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃ‌ଷ୍ଟି ହୋଇଛି।

ସମ୍ବନ୍ଧିତ ଖବର