ଆଜି ନବୀନବାବୁଙ୍କର ଜନ୍ମଦିନ। ଆମର ଜନ୍ମଦିନ ପାଳନର ପରମ୍ପରା ବହୁତ ପୁରୁଣା। ପିଲାମାନଙ୍କର ଜନ୍ମଦିନରେ ତାଙ୍କୁ ନୂଆ ଲୁଗା ଦେଇ ସିନ୍ଦୂର ଚନ୍ଦନରେ ସଜେଇ ଦିଆଯାଏ। ତା’ର ମନଲାଖି ଜିନିଷ ଖାଇବାକୁ ଦିଆଯାଏ। ସେଦିନ ତାକୁ କେହି ଆକଟ କରନ୍ତି ନାହିଁ। ତା’ର ସାତଖୁଣ ମାଫ୍। ସାଇ ପଡ଼ିଶାରୁ ମଉସା ମାଉସୀମାନେ ଆସି ତାକୁ ଶ୍ରଦ୍ଧା କରନ୍ତି ଓ ଉପହାର ଦିଅନ୍ତି। ଆମ ବିଚାରରେ ଏଭଳି ଉତ୍ସବ ପାଳନ ପଛରେ ଗୋଟିଏ ମହତ ଉଦ୍ଦେଶ୍ୟ ଅଛି। ଏହା ଦ୍ବାରା ପିଲାମାନଙ୍କୁ ଜଣାଇ ଦିଆଯାଏ ଯେ ବାପା ମା’ ଓ ଘରଲୋକଙ୍କ ଛଡ଼ା ସାଇପଡ଼ିଶାର ଆଉ ଅନେକ ଲୋକ ତାକୁ ଭଲ ପାଉଛନ୍ତି। ତାଙ୍କର ଏ ଭଲ ପାଇବା ବଦଳରେ ସେ ତାଙ୍କୁ କ’ଣ ଦେଇ ପାରିବ? ଅନ୍ତତଃପକ୍ଷେ ସେ ଜଣେ ଭଲ ମଣିଷ ହୋଇ ଜୀବନରେ ସଫଳ ହେଲେ ତାଙ୍କ ଭଲ ପାଇବା ସାର୍ଥକ ହେବ। ତେବେ ନବୀନବାବୁ ତ ପିଲା ନୁହନ୍ତି; ସେ ତ ଆମ ଘରର ମୁରବି। ତାଙ୍କ ଜନ୍ମଦିନ କାହିଁକି ପାଳିବା ଓ କେମିତି ପାଳିବା? ତେବେ ଆମ ପରମ୍ପରାରେ ବଡ଼ ଲୋକଙ୍କର ଜନ୍ମଦିନ ପାଳନ ପଛରେ ବି ଭିନ୍ନ ଏକ ଉଦ୍ଦେଶ୍ୟ ଥାଏ। ଅଜା ଓ ଜେଜେ ଆମ ପିତା ମାତାଙ୍କୁ ଜନ୍ମ ଦେଇ ନଥିଲେ ଆମେ ଏ ଦୁନିଆକୁ ଆସି ନଥାନ୍ତେ। ପିତା ମାତା ଆମକୁ ଭଲରେ ପାଳି ନଥିଲେ ଆମେ ଆଜି ସମାଜରେ ମୁଣ୍ଡଟେକି ଛିଡ଼ା ହୋଇ ପାରିନଥାନ୍ତେ। ଜନ୍ମଦିନ ପାଳନ ତାଙ୍କୁ କୃତଜ୍ଞତା ଜଣାଇବାର ସୁଯୋଗ ଦିଏ।

Advertisment

publive-image

ଆଜି ନବୀନବାବୁଙ୍କୁ କୃତଜ୍ଞତା ଜଣାଇବା ପାଇଁ ଅନେକ କାରଣ ରହିଛି। ନବୀନବାବୁ ୨୨ ବର୍ଷ ତଳେ ଓଡ଼ିଶା ରାଜନୀତିରେ ପ୍ରବେଶ କଲାଦିନୁ ଆଜି ପର୍ଯ୍ୟନ୍ତ ଯେଉଁ ସଫଳତାର ଅଧିକାରୀ ହୋଇଛନ୍ତି, ତାହା କେବଳ ଅଭୂତପୂର୍ବ ନୁହେଁ, ଈର୍ଷଣୀୟ ମଧ୍ୟ। ନିରବଛିନ୍ନ ଭାବରେ ୫ ଥର ମୁଖ୍ୟମନ୍ତ୍ରୀ ହେବାର ସେ ସୌଭାଗ୍ୟ ଅର୍ଜନ କରିଛନ୍ତି। ଓଡ଼ିଶାର ଜନସାଧାରଣ ପ୍ରତିଥର ତାଙ୍କୁ ଅଧିକରୁ ଅଧିକ ସମର୍ଥନ ଦେଇ ଭଲ ପାଇବାର ପ୍ରମାଣ ଦେଇଛନ୍ତି। ତାଙ୍କର ଭଲ ପାଇବାର ବଦଳରେ ନବୀନବାବୁ ମଧ୍ୟ ବିଗତ ବର୍ଷମାନଙ୍କରେ ଓଡ଼ିଶା ପାଇଁ ଅନେକ କିଛି କରିଛନ୍ତି। ୬୦-୭୦ ଦଶକରେ ଅନାହାର ମୃତ୍ୟୁ ଓ ପିଲାବିକ୍ରି ଓଡ଼ିଶାର ପରିଚୟ ଥିଲା। ଆଜି ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ କ୍ଷୁଧାମୁକ୍ତି ସଂଗ୍ରାମରେ ଆମକୁ ବିଜୟୀ କରିଛି। ‘ଭୋକେ ଓଡ଼ିଆ ନିଦ ଯାଏ’ କଥା ଆଉ କେହି କହିବାକୁ ସାହସ କରିବେ ନାହିଁ। ଏ ସଫଳତାର ଶ୍ରେୟ ନବୀନବାବୁଙ୍କୁ ଦେବାରେ କେହି କାର୍ପଣ୍ୟ କରିବେ ନାହିଁ। ଦାରିଦ୍ର୍ୟ ବିରୋଧରେ ସଂଗ୍ରାମର ଏହି ପ୍ରାଥମିକ ପର୍ଯ୍ୟାୟର ସଫଳତା ପରେ ଓଡ଼ିଶାର ପ୍ରତ୍ୟେକ ଲୋକ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଥିବା ଜୀବନ ଅବଧିରେ କିପରି ସୁଖରେ ରହିବ ସେଥିପାଇଁ ଜନନୀ ସୁରକ୍ଷା ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। କଥା କମ ଓ କାମ ବେଶିରେ ବିଶ୍ବାସ କରୁଥିବା ନବୀନବାବୁଙ୍କର ତିନିପଦ କଥା ଆଜି ଓଡ଼ିଶାର ଘରେ ଘରେ ଚର୍ଚ୍ଚାର ବିଷୟ ହୋଇଛି। ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ହସ ଓ ସେହି ଗୋଟିଏ କଥା ‘ଆପଣମାନେ ଖୁସି ତ?’ ନବୀନବାବୁ ବିଗତ ବର୍ଷମାନଙ୍କରେ ମହିଳାମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସଂଗଠିତ କରି ସଶକ୍ତୀକରଣର ବଳିଷ୍ଠ ପ୍ରମାଣ ଦେଖାଇଛନ୍ତି। ତାଙ୍କର ରାଜନୈତିକ ସଫଳତା ପଛରେ ମହିଳାମାନଙ୍କର ଭୂମିକାକୁ ତାଙ୍କର ଶତ୍ରୁମାନେ ବି ସ୍ବୀକାର କରନ୍ତି। ନବୀନବାବୁଙ୍କ ବିଭିନ୍ନ ସଫଳତା ମଧ୍ୟରୁ ଯେଉଁ ଦୁଇଟି କଥା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି ଓ ଆମ ଓଡ଼ିଶା ପାଇଁ ଗୌରବର କାରଣ ହୋଇଛି, ତାହା ହେଲା- ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ହକି ବିଶ୍ବକପ୍‌ର ଆୟୋଜନ। ୧୯୯୯ର ମହାବାତ୍ୟା ପରେ ଫାଇଲିନ୍‌ ଓ ଫନି ପରି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି କେବଳ ସାରା ବିଶ୍ବରେ ପ୍ରଶଂସିତ ହୋଇନାହାନ୍ତି, କୋଟିକୋଟି ଓଡ଼ିଆଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିପାରିଛନ୍ତି। ହକି ବିଶ୍ବକପ୍‌ର ସଫଳ ଆୟୋଜନ ଦୁନିଆର ଆଖି ଖୋଲି ଦେଇଛି। ଭାରତର ଖେଳ ସଂଗଠନମାନଙ୍କୁ ଓଡ଼ିଶାର ସାମର୍ଥ୍ୟ ଓ ଆତିଥ୍ୟ ଏତେ ପ୍ରଭାବିତ କରିଛି ଯେ ଭୁବନେଶ୍ବରକୁ ଭାରତର ଖେଳ ରାଜଧାନୀ ବୋଲି ଘୋଷଣା କରିବାରେ କେହି ସଙ୍କୋଚ କରି ନାହାନ୍ତି। ନବୀନବାବୁଙ୍କର ସଫଳତାର କାହାଣୀ ଯଥେଷ୍ଟ ଲମ୍ବା। ମହାତ୍ମା ଗାନ୍ଧୀଙ୍କର ୧୫୦ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ‘ଅହିଂସା’କୁ ସମ୍ବିଧାନରେ ଲିପିବଦ୍ଧ କରିବା ପାଇଁ ଏକ ନିଆରା ପ୍ରସ୍ତାବ ଦେଇ ସେ ସାରା ଭାରତରେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ପ୍ରମାଣିତ କରିଛନ୍ତି। ଶେଷରେ ମୋ ସରକାର ଓ ୫-ଟିର ଅଭିନବ କଳ୍ପନା ଓ ତାକୁ କାର୍ଯ୍ୟକାରୀ କରିବାରେ ଅଭୂତପୂର୍ବ ତତ୍ପରତା ଆଜି ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇଛି।

ନବୀନବାବୁଙ୍କ ସଫଳତାର ଏ ଲମ୍ବା କାହାଣୀ ପଛରେ କି ରହସ୍ୟ ରହିଛି, ତା’ର ଉତ୍ତର ସେ ନିଜେ ଅତ୍ୟନ୍ତ ସହଜ ଓ ସରଳ ଭାବରେ ଦେଇଛନ୍ତି। ସବୁବେଳେ ସାଧାରଣ ଲୋକଙ୍କ କଥାକୁ କେନ୍ଦ୍ରରେ ରଖିଲେ ଓ ସରଳ ଜୀବନଶୈଳୀକୁ ଆପଣାଇଲେ ସଫଳତା ଆପେ ଆପେ ମିଳେ ଏବଂ ତଥାକଥିତ ରାଜନୈତିକ ଦ୍ବନ୍ଦ୍ବ ଆଉ ରହେ ନାହିଁ। ନବୀନବାବୁଙ୍କ ବିବିଧ ଯୋଜନା ଏହାର ଏକ ଅକାଟ୍ୟ ପ୍ରମାଣ।

publive-image Facebook

ଏହି ସବୁ ସଫଳତା ସତ୍ତ୍ବେ ଆମେ ତାଙ୍କୁ କେଉଁ ଭାଷାରେ ଓ କେଉଁ ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା, ସେ ନେଇ ବେଳେବେଳେ ମନରେ ଦ୍ବନ୍ଦ୍ବ ଆସେ। ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ନବୀନବାବୁ ଚେଷ୍ଟା କରୁଥିବା ବେଳେ ଆମେ ସବୁ ଅତି ଖୁସିରେ ଅନେକ କଥା ଭୁଲି ଯାଉଛୁ। ସମସ୍ତେ ଖୁସିରେ ରୁହନ୍ତୁ, କିନ୍ତୁ ଖୁସିରେ ରହିବା ପାଇଁ କେବଳ ସରକାରୀ ଯୋଜନା ଉପରେ ନିର୍ଭର କରିବା ଏବଂ ତାହା ଯଥେଷ୍ଟ ବୋଲି ବିଚାର କରିବା ଆମ ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ। କ୍ଷୁଧାମୁକ୍ତି ପରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଦୃଷ୍ଟିରୁ ଓଡ଼ିଶାରେ ଅନେକ ପରିବର୍ତ୍ତନ ଘଟିଛି। ତା’ ସତ୍ତ୍ବେ ଓଡ଼ିଶାରେ ଏବେ ବି ଅନେକ ଗାଁ ଅଛି ଯେଉଁଗୁଡ଼ିକ ସର୍ବନିମ୍ନ ମୌଳିକ ସେବାରୁ ବଞ୍ଚିତ। ଉପଯୁକ୍ତ ମାନବ ସମ୍ବଳର ଅଭାବରୁ ଆମର ଶିକ୍ଷା ଓ ସ୍ବାସ୍ଥ୍ୟସେବା ଗୁଣାତ୍ମକ ମାନବୃଦ୍ଧିର ଅପେକ୍ଷା ରଖୁଛନ୍ତି। ଶିକ୍ଷକ ସମ୍ପ୍ରଦାୟ ଆଜି ହୁଏତ ଖୁସି। କିନ୍ତୁ ଆମ ସରକାରୀ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କର ସାମର୍ଥ୍ୟ ଦେଖିଲେ ଯେକୌଣସି ସ୍ବାଭିମାନୀ ଓଡ଼ିଆକୁ ଦୁଃଖ ଲାଗିବ। ଅଷ୍ଟମ ଶ୍ରେଣୀର ଛାତ୍ର ଏବେ ବି ପଞ୍ଚମ ଶ୍ରେଣୀର ପାଠକୁ ଆୟତ୍ତ କରିପାରୁନାହିଁ। ମୁଖ୍ୟମନ୍ତ୍ରୀଙ୍କର ବହୁବିଧ କଲ୍ୟାଣକାରୀ ଯୋଜନାଗୁଡ଼ିକ ଗ୍ରାମାଞ୍ଚଳରେ ଖୁସିର ଲହରି ଖେଳାଇଛି। ରାଜନୈତିକ କର୍ମୀମାନଙ୍କର ଖୁସି ଓ ଆତ୍ମବିଶ୍ବାସ ବଢ଼ିଛି। ଖାଦ୍ୟ ସୁରକ୍ଷା, ବାର୍ଦ୍ଧକ୍ୟ ଓ ବିଧବାଭତ୍ତା, ଇନ୍ଦିରା ଆବାସ, ବିଜୁ ପକ୍କାଘର ଓ ଆମ ଗାଁ ଆମ ବିକାଶ ଯୋଜନା ପାଇଁ ହେଉଥିବା ଖର୍ଚ୍ଚ ପାଣି ଭେଦିଲା ଭଳି ତଳସ୍ତରକୁ ପହଞ୍ଚିଛି। ସମସ୍ତେ ଖୁସି ହୋଇଥିଲା ପରି ମନେ ହେଉଛି। ଦୁର୍ନୀତି ବିରୋଧରେ ଓ ସ୍ବଚ୍ଛତା ସପକ୍ଷରେ ବାରମ୍ବାର ଉଲ୍ଲେଖ ହେଉଛି। ଦୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। କିନ୍ତୁ ଉପରୁ ତଳ ପର୍ଯ୍ୟନ୍ତ ଦୁର୍ନୀତି ସମ୍ପୂର୍ଣ୍ଣ ହଟି ଯାଇଛି ବୋଲି କେହି ହଲପ କରି କହିପାରୁ ନାହାନ୍ତି। ବରଂ ତାହା ଏକ ରକମ ଦେହସୁହା ହୋଇଗଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ନବୀନବାବୁଙ୍କ ସବୁ ଯୋଜନା ଆମକୁ ଖୁସି ଦେଇଛି ସତ, ଅଳ୍ପକେ ସନ୍ତୁଷ୍ଟ ହେଉଥିବା ଓଡ଼ିଆମାନେ କିନ୍ତୁ ନାକ ଆଗକୁ ଦେଖି ପାରୁନାହାନ୍ତି। ଆମେ କେତେ ପରିମାଣରେ ଅଳସୁଆ ହୋଇଯାଇଛେ ସେ ସମ୍ପର୍କରେ ଆମେ ଚେତିପାରୁ ନାହୁଁ। ଉଚ୍ଚାଭିଳାଷ, ମହତ୍ବାକାଂକ୍ଷା ଓ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗିତା କରି ସଫଳତା ପାଇବାର ଆଶା ଆଜି ଆମକୁ ଉଦ୍‌ବୁଦ୍ଧ କରୁନାହିଁ। ତେବେ ଏଥିପାଇଁ ଦୋଷ ଦେବା କାହାକୁ? ନବୀନବାବୁଙ୍କୁ ନା ନିଜକୁ? ନବୀନବାବୁଙ୍କ ଜନ୍ମଦିନରେ ତାଙ୍କୁ କୃତଜ୍ଞତା ଜଣାଇବା ଅବକାଶରେ ଆସନ୍ତୁ ଆମ ଉଚ୍ଚାରଣ ଓ ଆଚରଣରେ ଏପରି ପରିବର୍ତ୍ତନ ଆଣିବା ଯେପରି ନବୀନବାବୁଙ୍କ ବିକାଶର ଦ୍ବିତୀୟ ପର୍ବରେ ଆମେ ସମସ୍ତେ ସହଭାଗୀ ହୋଇପାରିବା। ସହଯୋଗୀ ମନୋଭାବ ରଖି ସ୍ବଚ୍ଛତାର ଉପାସକ ସାଜି ସମୟ ସୀମା ମଧ୍ୟରେ ବିଜ୍ଞାନ ଓ କାରିଗରୀ କୌଶଳର ଉପଯୋଗ କରି ଏକ ସଂସ୍କାରିତ ଓଡ଼ିଆ ସମାଜ ଗଠନର ସେ ଯେଉଁ ସ୍ବପ୍ନ ଦେଖିଛନ୍ତି ତାକୁ ସାକାର କରିବା। ତାହା ହେବ ନବୀନବାବୁଙ୍କୁ ତାଙ୍କ ଜନ୍ମଦିନରେ ଶ୍ରେଷ୍ଠ ଉପହାର।