ସ୍ୱେଚ୍ଛା ରକ୍ତଦାନ କ୍ଷେତ୍ରରେ ‘ଆମ ଓଡ଼ିଶା’ର ଅଭୂତପୂର୍ବ ସଫଳତା

୧୪୪୪ଶିବିରରୁ ୬୫୪୪୯ ୟୁନିଟ୍‌ ରକ୍ତ ସଂଗୃହୀତ

ଭୁବନେଶ୍ୱର: ସ୍ୱେଚ୍ଛା ରକ୍ତଦାନ କ୍ଷେତ୍ରରେ ୨୦୧୭ ବର୍ଷରେ ‘ଆମ ଓଡ଼ିଶା’ ଅଭୂତପୂର୍ବ ସଫଳତା ହାସଲ କରିଛି। ୨୦୦୬ମସିହାରୁୁ ଆରମ୍ଭ ହୋଇଥିବା ଏହି ବୈପ୍ଲବିକ ଅଭିଯାନ ୧୧ଟି ସଫଳ ବର୍ଷ ଅତିକ୍ରମ କରିବା ପରେ ୨୦୧୭ରେ ରକ୍ତଦାନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ୨୦୧୬ରେ ସର୍ବାଧିକ ୧୨୨୨ଟି ଶିବିରରୁ ୫୭୩୩୭ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିବାବେଳେ ୨୦୧୭ରେ ରେକର୍ଡ଼ ସଂଖ୍ୟକ ୧୪୪୪ଟି ଶିବିରରୁ ୬୫୪୪୯ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇପାରିଛି।

ରାଜ୍ୟର ୩୦ଟି ଯାକ ଜିଲ୍ଲାକୁ ୮ଟି ଜୋନ୍‌ରେ ବିଭକ୍ତ କରାଯାଇ ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲେଶ୍ୱର ଜୋନ୍‌ରେ ସର୍ବାଧିକ ୧୩୭୨୪ ୟୁନିଟ୍‌ ସଂଗୃହୀତ ହୋଇଥିବାବେଳେ କଟକ ଜୋନ୍‌ରେ ୧୨୦୬୭, ସମ୍ବଲପୁର ଜୋନ୍‌ରେ ୧୦୭୭୩, ଅନୁଗୁଳ ଜୋନ୍‌ରେ ୯୯୧୮, ବ୍ରହ୍ମପୁର ଜୋନ୍‌ରେ ୮୦୬୫, ଭୁବନେଶ୍ୱର ଜୋନ୍‌ରେ ୬୦୨୯, ଜୟପୁର ଜୋନ୍‌ରେ ୩୪୯୩ ଏବଂ ରାଉରକେଲା ଜୋନ୍‌ରେ ୧୩୮୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଜିଲ୍ଲାରେ ଅଧିକ ରକ୍ତ ସଂଗ୍ରହ କରିବା କ୍ଷେତ୍ରରେ ପ୍ରଥମ ୫ଟି ସ୍ଥାନରେ ରହିଛନ୍ତି ବାଲେଶ୍ୱର (୮୭୯୦), କଟକ (୭୫୬୨), ଅନୁଗୁଳ (୭୦୧୮), ଗଂଜାମ (୬୨୫୪) ଓ ଖୋର୍ଦ୍ଧା (୪୦୮୩) ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖ ୨୦୦୬ ମସିହାରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରଥମ ଥର ପାଇଁ ଏକ ସପ୍ତାହବ୍ୟାପୀ ସ୍ୱେଚ୍ଛା ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେହି ବର୍ଷ ଅକ୍ଟୋବର ୨୫ରୁ ୩୧ ତାରିଖ ମଧ୍ୟରେ ୧୮୧ ଟି ଶିବିରରୁ ମୋଟ୍‌ ୯୨୫୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ‘ରକ୍ତ ଅଭାବରୁ ଆମ ରାଜ୍ୟରେ କାହାରିକୁ ମରିବାକୁ ଦେବା ନାହିଁ’ ଲକ୍ଷ୍ୟ ନେଇ ୨୦୦୬ ମସିହାଠାରୁ ଏହାକୁ ସାରା ବର୍ଷର ଏକ ନିୟମିତ କାର୍ଯ୍ୟକ୍ରମରେ ପରିଣତ କରାଯାଇଛି। ଏଥିରେ ୨୦୦୭ରେ ୩୧୧ଟି ଶିବିରରୁ ୧୫୫୫୭ୟୁନିଟ୍‌, ୨୦୦୮ରେ ୩୬୫ଟି ଶିବିରରୁ ୧୭୭୫୦, ୨୦୦୯ରେ ୪୭୪ଟି ଶିବିରରୁ ୨୫୨୭୩ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ୨୦୧୦ରେ ପ୍ରଥମଥର ପାଇଁ ୫୦୦ରୁ ଅଧିକ ଶିବିର ଆୟୋଜନ ହୋଇଥିଲା। ଏହି ବର୍ଷ ୫୦୯ଟି ଶିବିରରୁ ୨୭୩୦୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ସେହିପରି ୨୦୧୧ରେ ୮୦୨ଟି ଶିବିରରୁ ୪୮୦୬୧ ୟୁନିଟ୍‌, ୨୦୧୨ରେ ୮୨୮ଟି ଶିବିରରୁ ୪୫୦୨୬ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଏହାପରେ ୨୦୧୩ ମସିହରେ ‘ଆମ ଓଡ଼ିଶା’ ୧୦୦୦ରୁ ଅଧିକ ଶିବିର ଆୟୋଜନ କରି ଏବଂ ୫୦,୦୦୦ୟୁନିଟ୍‌ରୁ ଅଧିକ ରକ୍ତ ସଂଗହ କରି ଦୁଇଟି ନୂଆ ରେକର୍ଡ଼ ସ୍ଥାପନ କରିବାର ବିରଳ କୃତୀତ୍ଵ ଅର୍ଜନ କରିଥିଲା। ୨୦୧୩ ମସିହାରେ ୧୦୦୪ ଶିବିରରୁ ୫୨୭୯୫ ୟୁନିଟ୍‌ ସଂଗୃହୀତ ହୋଇଥିବାବେଳେ ୨୦୧୪ରେ ୧୦୨୬ଟି ଶିବିରରୁ ୫୨,୬୪୫ ୟୁନିଟ୍‌ ଓ ୨୦୧୬ ରେ ୧୨୨୨ ଟି ଶିବିରରୁ ୫୭,୩୩୭ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା।

ରାଜ୍ୟର କ୍ଷମତାସୀନ ଦଳ ଦ୍ଵାରା ପ୍ରାୟୋଜିତ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ୨୦୧୫ରେ ଆରମ୍ଭ ହୋଇଥିଲା। ସେହି ବର୍ଷ ‘ଆମ ଓଡ଼ିଶା’ର ମୋଟ ରକ୍ତସଂଗ୍ରହ ୪୨,୪୪୦ୟୁନିଟ୍‌ ଥିଲା। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତେ୍ଵ ୨୦୧୬ରେ ଏହି ସଂଖ୍ୟା ପ୍ରାୟ ୩୩ ପ୍ରତିଶତ ବୃଦ୍ଧି ପାଇ ୫୭,୩୩୭ ୟୁନିଟ୍‌ରେ ପହଞ୍ଚିଥିଲା। କିନ୍ତୁ ଏ ବର୍ଷ ସବୁ ବାଧାବିଘ୍ନକୁ ଅତିକ୍ରମ କରି ୨୦୧୭ରେ ୬୫,୪୪୯ ୟୁନିଟ୍‌ ରକ୍ତସଂଗ୍ରହ କରି ସମସ୍ତ ରେକର୍ଡ଼କୁ ଅତିକ୍ରମ କରାଯାଇପାରିଛି। ଯାହା ଗତବର୍ଷ ଠାରୁ ୧୪% ଅଧିକ ।

୨୦୧୭ ମସିହାର ସବୁଠାରୁ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଥିଲା ‘ବିପଦର ବନ୍ଧୁ’ । ଏହି କାର୍ଯ୍ୟକ୍ରମଟି କଟକ ସହରର ରକ୍ତ ଭଣ୍ଡାରଗୁଡ଼ିକରେ ଗ୍ରୀଷ୍ମଦିନର ରକ୍ତ ଅଭାବକୁ ଦୂର କରିବାରେ ସହାୟକ ହୋଇଥିଲା। ଯେଉଁ ସମୟରେ ରକ୍ତ ଅଭାବ ସଙ୍ଗିନ ପରିସ୍ଥିତି ସୃଷ୍ଟି କରେ ସେହି ସମୟରେ ଅର୍ଥାତ୍‌ ମାର୍ଚ୍ଚ ୧୫ରୁ ଜୁନ୍‌ ୧୨ ମଧ୍ୟରେ ନିରବଚ୍ଛିନ୍ନ ଭାବେ ଦୀର୍ଘ ୯୦ଦିନରେ ମୋଟ ୧୪୭୪ ଜଣ ରକ୍ତଦାତାଙ୍କୁ ନେଇ ରକ୍ତଭଣ୍ଡାରରେ ରକ୍ତଦାନ କରିବାର ସୁଯୋଗ ‘ଆମ ଓଡ଼ିଶା’ ସୃଷ୍ଟି କରିଥିଲା। ଯାହା ଚଳିତବର୍ଷର ରେକର୍ଡ ରକ୍ତ ସଂଗ୍ରହରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏତଦ୍‌ବ୍ୟତୀତ ଓଡ଼ିଶାରେ ସର୍ବାଧିକ ଏକଦିିବସୀୟ ରକ୍ତସଂଗ୍ରହ କ୍ଷେତ୍ରରେ ‘ଆମ ଓଡ଼ିଶା’କୁ ଆଉ ଏକ ବଡ଼ ସଫଳତା ମିଳିଛି। ଅଗଷ୍ଟ ୧୮ରେ ଯୁବ ସ୍ୱାଭିମାନ ଦିବସ ପାଳନ ଅବସରରେ ମୋଟ ୬୫ଟି ରକ୍ତଦାନ ଶିବିରରୁ ୫୧୧୯ ୟୁନିଟ୍‌ ସଂଗ୍ରହ ହେଲା। ସେହିପରି ଜାନୁଆରି ୨୩ରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳନ ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ଏକକାଳୀନ ରକ୍ତଦାନ ଶିବିର ଆୟୋଜନ କରି ଗୋଟିଏ ଦିନରେ ମୋଟ ୧୪୯୦ ୟୁନିଟ୍‌ ରକ୍ତସଂଗ୍ରହ କରାଯାଇପାରିଥିଲା।

୨୦୦୬ରୁ ୨୦୧୭ ମଧ୍ୟରେ ‘ଆମ ଓଡ଼ିଶା’ ସ୍ୱେଚ୍ଛା ରକ୍ତଦାନ ଶିବିର ମାଧ୍ୟମରେ ସର୍ବମୋଟ ୪,୫୮,୭୦୩ ୟୁନିଟ୍‌ ରକ୍ତ ସଂଗ୍ରହ କରି ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛି। ଓଡ଼ିଶାର ସମସ୍ତ ୩୧୪ଟି ବ୍ଲକ୍‌, ପୌରାଞ୍ଚଳ ଓ ସହରାଞ୍ଚଳରେ ଶିବିର ଆୟୋଜନ କରି ‘ଆମ ଓଡ଼ିଶା’ ଏହି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇଛି। ସାରା ଓଡ଼ିଶାର ସହରାଞ୍ଚଳ ଓ ପୁରପଲ୍ଲୀରେ ‘ଆମ ଓଡ଼ିଶା’ର ଏହି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଅକୁଣ୍ଠ ଶ୍ରଦ୍ଧା ଓ ସମର୍ଥନ ମଳିଛି, ତଥା ରାଜ୍ୟର କୋଣ ଅନୁକୋଣରୁ ଅଗଣିତ ରକ୍ତଦାତା ଓ ସହଯୋଗୀ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମକୁ ସଫଳ କରେଇବା ପାଇଁ ଆଗେଇ ଆସିଛନ୍ତି। ଏହି ଅବସରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ‘ଆମ ଓଡ଼ିଶା’ର ସମସ୍ତ ସଦସ୍ୟା ସଦସ୍ୟ, ସ୍ୱେଚ୍ଛାସେବୀ, ସହଯୋଗୀ ଅନୁଷ୍ଠାନ, ପୃଷ୍ଠପୋଷକ, ଶୁଭେଚ୍ଛୁ ତଥା ରାଜ୍ୟର ଅଗଣିତ ରକ୍ତଦାତାଙ୍କୁ ନବବର୍ଷ ୨୦୧୮ର ଅଭିନନ୍ଦନ ଜଣାଇବା ସଂଗେ ସଂଗେ ହାର୍ଦ୍ଦିକ ଧନ୍ୟବାନ ଓ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର