ନ’ତାଲାରେ ଅଚଳାବସ୍ଥା ଜାରି : ଆଲୋଚନା ପାଇଁ ଡାକିଲେ ମୁଖ୍ୟ ଶାସନ ସଚିବ, ଅମଲାଙ୍କ ଅଗ୍ରାହ୍ୟ

0 118

ଭୁବନେଶ୍ୱର : ଦୀର୍ଘ ଦିନ ଧରି ନ’ତାଲା ଅମଲାମାନଙ୍କ କଲମ ଛାଡ଼ ଆନ୍ଦୋଳନ ଫଳରେ ସଂପୂର୍ଣ୍ଣ ନ’ତାଲା ଠପ୍‌ ହୋଇଯାଇଛି। ଏହାକୁ ନେଇ ରାଜନୀତି ଆରଂଭ ହେବା ଓ ସରକାରଙ୍କ ଉପରେ ଚାପ ସୃଷ୍ଟି ହେବା ପରେ ମୁଖ୍ୟ ଶାସନ ସଚିବ ଆସନ୍ତା ୪ ତାରିଖରେ ଆଲୋଚନା ପାଇଁ ଅମଲା ସଂଘକୁ ଡାକିଛନ୍ତି ବୋଲି ଓଡ଼ିଶା ବିଭାଗୀୟ ମୁଖ୍ୟ ଅମଲା ସଂଘର ସଂପାଦକ ସୁଧାଂଶୁ ପାତ୍ର ଏବଂ ‘ଓଡ଼ିଶା ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ସଂଘ’ର ସଭାପତି ସୁବ୍ରତ ମହାନ୍ତି ସୂଚନା ଦେଇଛନ୍ତି। ତେବେ କ୍ୟାଡ଼ର ପୁନର୍ବିନ୍ୟାସ ନଥିଟିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରି ସାରିବା ପରେ ପୁଣି ଆଲୋଚନା କ’ଣ ପାଇଁ ବୋଲି ଉଭୟ ସଂଘ ପ୍ରଶ୍ନ କରିଛି। ଏଣୁ ମୁଖ୍ୟ ଶାସନ ସଚିବଙ୍କ ସହ କୌଣସି ଆଲୋଚନାର ପ୍ରଶ୍ନ ଉଠୁନାହିଁ ବୋଲି ଉଭୟ ସଂଘ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କ୍ୟାଡ଼ର ପୁନର୍ବିନ୍ୟାସ ନଥିଟିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ ମଧ୍ୟ ଅର୍ଥ ଓ ସାଧାରଣ ପ୍ରଶାସନ ବିଭାଗର କିଛି ବରିଷ୍ଠ ଅଧିକାରୀ ଅମଲାମାନଙ୍କ ସ୍ୱାର୍ଥ ବିରୋଧରେ ଷଡଯନ୍ତ୍ର କରିବାକୁ ବିରୋଧ କରି ଅମଲାମାନେ ଗତ ମାସ ୧୭ ତାରିଖରୁ ନ’ତାଲା ସମ୍ମୁଖରେ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି। ଅପରପକ୍ଷେ, ଅମଲାମାନଙ୍କ ଆନ୍ଦୋଳନ ସମଗ୍ର ରାଜ୍ୟକୁ ବ୍ୟାପୁଥିବାରୁ ସମସ୍ତ ପ୍ରକାର ସରକାରୀ କାର୍ଯ୍ୟକ୍ରମ ଏକପ୍ରକାର ବନ୍ଦ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ ବହୁ ପ୍ରତିକ୍ଷିତ କ୍ୟାଡର ପୁନର୍ଗଠନ ନିଷ୍ପତ୍ତିକୁ ଦିଗଭ୍ରଷ୍ଟ କରିବା ପାଇଁ କିଛି ଉଚ୍ଚ ଅଧିକାରୀମାନେ ନାନା ମିଥ୍ୟାର ସହାୟତା ନେଉଛନ୍ତି ବୋଲି ଅମଲାମାନେ ଅଭିଯୋଗ କରିଆସୁଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅମଲମାନଙ୍କ ଆନ୍ଦୋଳନକୁ ନୈତିକ ସମର୍ଥନ ଦେବାପରେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.