ଜନନୀ ଯନ୍ତ୍ରଣା : ପୁଣି ଫେଲ ମାରିଲା ଆମ୍ବୁଲାନ୍‌ସ ସେବା, ଅଟୋ ଓ ରାସ୍ତା କଡ଼ରେ ସନ୍ତାନ ପ୍ରସବ

ନବରଙ୍ଗପୁର/ଡାବୁଗାଁ/ଦଶମନ୍ତପୁର : ବାରମ୍ବାର ଯୋଗାଯୋଗ ସତ୍ତ୍ୱେ ଆସିଲା ନାହିଁ ୧୦୨ ଆମ୍ବୁଲାନ୍‌ସ। ଏପଟେ ପ୍ରସବ ଜନିତ ବେଦନା ବଢ଼ି ଚାଲିଥିଲା। ଶେଷରେ ବାଧ୍ୟ ହୋଇ ପରିବାର ଲୋକ ଅଟୋରେ ମେଡିକାଲ ନେବାକୁ ବାହାରିଲେ। କିନ୍ତୁ ମେଡିକାଲ ପହଞ୍ଚିବା ପୂର୍ବରୁ ସେହି ଅଟୋରେ ହିଁ ପ୍ରବସ ହେଲା ଶିଶୁ ପୁତ୍ର। ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଘୋଡାଖୁଣ୍ଟା ପଞ୍ଚାୟତ ଅଞ୍ଚଳରେ। ଏହି ଘଟଣା ପରେ ୧୦୨ ଆମ୍ବୁଲାନ୍‌ସ ସେବାକୁ ନେଇ ପ୍ରଶ୍ନ ଉଠିବା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଦାୟିତ୍ୱହୀନତାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ସୂଚନା ଅନୁଯାୟୀ ଡଙ୍ଗରା ଗାଁର ମୋତିରାମ ବିନ୍ଧାଣୀଙ୍କ ପତ୍ନୀ ରାଜବତୀ ବିନ୍ଧାଣୀ ଆଜି ସକାଳେ ପ୍ରସବ ବେଦନା ଅନୁଭବ କରିଥିଲେ। ତେଣୁ ପରିବାର ଲୋକ ସ୍ଥାନୀୟ ଆଶା କର୍ମୀଙ୍କୁ ଏନେଇ ସୂଚନା ଦେଇଥିଲେ। ଆଶା କର୍ମୀ ରାଜମଣି ଭତ୍ରା ୧୦୨ ଆମ୍ବୁଲାନ୍‌ସ ସେବା ଯୋଗାଇ ଦେବା ପାଇଁ ଫୋନରେ ଜଣାଇଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଅପେକ୍ଷା କରିବା ସତ୍ତ୍ୱେ ଆମ୍ବୁଲାନ୍‌ସର ଦେଖା ଦର୍ଶନ ମିଳି ନଥିଲା। ଅନ୍ୟପଟେ ଗର୍ଭବତୀଙ୍କ ଯନ୍ତ୍ରଣା ବଢ଼ି ଚାଲିଥିଲା। ତେଣୁ ବାଧ୍ୟ ହୋଇ ଗୋଟିଏ ଅଟୋ ଭଡ଼ା କରି ରାଜବତୀଙ୍କୁ ମେଡିକାଲ ନେବା ବ୍ୟବସ୍ଥା କରାଯାଇଥିଲା। ଗାଁ ଠାରୁ ପ୍ରାୟ ୪କିଲୋମିଟର ଯିବା ପରେ ଯନ୍ତ୍ରଣା ଅସହ୍ୟ ହେବାରୁ ସେହି ଅଟୋରେ ହିଁ ଶିଶୁ ପୁତ୍ର ପ୍ରସବ ହୋଇଥିଲା। ପରବର୍ତୀ ସମୟରେ ନବଜାତ ଶିଶୁ ଓ ପ୍ରସୂତିଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ଉଭୟ ସୁସ୍ଥ ଥିବା ନେଇ ସୂଚନା ମିଳିଛି।

ରାଜବତୀଙ୍କ ଏହା ଚତୁର୍ଥ ପ୍ରସବ ଥିଲା। ପୂର୍ବରୁ ୨ କନ୍ୟା ସନ୍ତାନ ସହ ଗୋଟିଏ ପୁତ୍ର ସନ୍ତାନ ରହିଛନ୍ତି। ସୌଭାଗ୍ୟ ବଶତଃ ସାଥୀରେ ଆଜି ଶାଶୂ ଓ ଅନ୍ୟ ଜଣେ ମହିଳା ରହିଥିବାରୁ ସୁରକ୍ଷିତ ଭାବେ ଅଟୋରେ ପ୍ରସବ କରିଥିବା କୁହାଯାଉଛି। ନଚେତ ଅବସ୍ଥା ଭୟଙ୍କର ହୋଇଥାନ୍ତା ବୋଲି ମତ ପ୍ରକାଶ ପାଇଛି। ଜଣେ ଗର୍ଭବତୀଙ୍କ ସହ ଏମିତି ଅବହେଳାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏଭଳି ଘଟଣା ଏହି ଅଞ୍ଚଳରେ ଆଦୌ ନୂଆ ନୁହେଁ। ତେଣୁ ପ୍ରଶାସନ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦବି ହୋଇଛି।

ସେହିପରି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମାଲକାନଗିରି ପଞ୍ଚାୟତ ଅନ୍ତର୍ଗତ କଦମଝୋଲା ଗ୍ରାମର ଖଗପତି ଗୌଡଙ୍କ ପତ୍ନୀ ପୂର୍ଣ୍ଣି ଆଜି ରାସ୍ତା କଡ଼ରେ ପ୍ରସବ କରିଛନ୍ତି। ଆଜି ସକାଳେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ କୋରାପୁଟ ମେଡିକାଲ ନିଆଯାଇତିଲା। କିନ୍ତୁ ଗ୍ରାମରୁ ମାତ୍ର ୭କିମି ଦୂର ଆଡମୁଣ୍ଡା ବିଦ୍ୟାଳୟ ନିକଟ ଏକ ନୀଳଗିରି ବଣକୁ ପରିସ୍ରା କରିବାକୁ ଯାଇ ସେଠାରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।

ସୂଚନା ଅନୁସାରେ, ଖଗପତି ଗତକାଲି ନିଜ ପତ୍ନୀ ପୂର୍ଣ୍ଣିଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କୋରାପୁଟ ମେଡିକାଲକୁ ଆଣିଥିଲେ। ସେହିଦିନ ତାଙ୍କର ପ୍ରସବ ତାରିଖ ରହିଥିବା ଖଗପତି ଡାକ୍ତରଙ୍କୁ କହିଥିଲେ। ତେବେ ଡାକ୍ତର ପୂର୍ଣ୍ଣିଙ୍କୁ ପରୀକ୍ଷା କରି ଆଉ କିଛି ଦିନ ବିଳମ୍ବ ଅଛି ବୋଲି କହିବା ପରେ ସନ୍ଧ୍ୟାରେ ଉଭୟ ସ୍ୱାମୀ, ସ୍ତ୍ରୀ ଘରକୁ ଫେରି ଯାଇଥିଲେ। ଆଜି ସକାଳେ ଖଗପତି ବିଲରେ ହଳ କରିବାକୁ ଯାଇଥିବା ବେଳେ ପତ୍ନୀ ପୂର୍ଣ୍ଣି ଗ୍ରାମ ନିକଟସ୍ଥ ଜଙ୍ଗଲରେ କୁସୁମ ମଞ୍ଜି ଗୋଟାଇବାକୁ ଯାଇଥିଲେ। ସେଠାରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ବହୁ କଷ୍ଟରେ ଘରକୁ ଫେରିଥିଲେ। ଖବର ପାଇ ଖଗପତି ଘରକୁ ଆସି ଦେଖିବା ପରେ ନିକଟସ୍ଥ ପୁଟମାରୀ ଗ୍ରାମକୁ ଯାଇ ଏକ ଅଟୋକୁ ଡାକି ଆଣିଥିଲେ। ଏହା ପୂର୍ବରୁ ସେ ୧୦୮କୁ ଫୋନ କରିବାରୁ କର୍ତ୍ତୃପକ୍ଷ ଲାଇନରେ ରହିବାକୁ କହି ବିଳମ୍ବ କରିଥିଲେ। ତେବେ ପୂର୍ଣ୍ଣିଙ୍କ ଯନ୍ତ୍ରଣା ବଢିବାରୁ ଖଗପତି ବାଧ୍ୟ ହୋଇ ହଜାରେ ଟଙ୍କା ଦେଇ ଅଟୋ ଭଡା କରି କୋରାପୁଟ ମେଡିକାଲକୁ ନେଉଥିଲେ। ତେବେ ଗ୍ରାମରୁ ମାତ୍ର ୭କିମି ଆସିବା ପରେ ପୂର୍ଣ୍ଣି ଆଡମୁଣ୍ଡା ବିଦ୍ୟାଳୟ ନିକଟ ନୀଳଗିରି ବଣ ପାଖରେ ପରିସ୍ରା କରିବାକୁ ଯାଇଥିଲେ। ସେହି ସମୟରେ ପ୍ରସବ ହୋଇ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି। ସେଠାରୁ ମା ଓ କନ୍ୟାକୁ ସେହି ଅଟୋରେ କୋରାପୁଟ ମେଡିକାଲକୁ ଆଣିଥିଲେ। ବର୍ତ୍ତମାନ ମା ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାପଡିଛି। ଏହା ପୂର୍ବରୁ ପୂର୍ଣ୍ଣିର ତିନିଟି ଝିଅ ଏବଂ ଗୋଟିଏ ପୁଅ ଥିବା ବେଳେ ଏହା ତାଙ୍କର ପଞ୍ଚମ ସନ୍ତାନ। ସେହି ଗ୍ରାମରେ କାର୍ଯ୍ୟରତ ଆଶା ଦିଦି ପଦ୍ମା କୁଳଦୀପ ଓ କିଛି ସଂପର୍କୀୟ ମହିଳାମାନେ ପୂର୍ଣ୍ଣିଙ୍କୁ ପ୍ରସବ କରାଇଥିଲେ।

ସମ୍ବନ୍ଧିତ ଖବର