ଫେଲ୍‌ ମାରିଲା ଆମ୍ବୁଲାନ୍‌ସ ସେବା : ରାସ୍ତାକଡ଼ରେ ଶିଶୁ କନ୍ୟା ପ୍ରସବ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପିଛା ଛାଡୁନାହିଁ ଜନନୀ ଯନ୍ତ୍ରଣା। ସରକାରଙ୍କ ଆମ୍ବୁଲାନ୍‌ସ ସେବା ଫେଲ ମାରିବାରୁ ଆଜି ପୁଣି ଜଣେ ମହିଳା ରାସ୍ତା କଡ଼ରେ ପ୍ରସବ କରିଛନ୍ତି। ଏଥିପାଇଁ ଗର୍ଭବତୀ ଆଦିବାସୀ ମହିଳାଙ୍କୁ ମଝି ରାସ୍ତାରେ ୨ଘଣ୍ଟା ଧରି ହିନସ୍ତା ହେବାକୁ ପଡିଥିଲା। ଅନ୍ୟପକ୍ଷରେ ବାରମ୍ବାର ଏମିତି ଘଟଣା ଘଟୁଥିବା ସତ୍ୱେ ଏଥିରେ ଅଙ୍କୁଶ ଲଗାଇବାରେ ଉଭୟ ପ୍ରଶାସନ ଏବଂ ସରକାର ଫେଲ ହୋଇଯାଇଥିବା କୁହାଯାଉଛି। ଏଭଳି ଘଟଣା ପାଇଁ ଦାୟୀ କିଏ ପ୍ରଶାସନ ନା’ ଆମ୍ବୁଲାନ୍‌ସ ସେବା ପାଇଁ ନିୟୋଜିତ ସଂସ୍ଥା ବୋଲି ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, କଲ୍ୟାଣସିଂହପୁର ପଞ୍ଚାୟତ ଅନ୍ତର୍ଗତ ଜାମ୍ବପଦର ଗାଁର ଗୋଲାପୀ ହିକକା ଗତକାଲି ରାତିରେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। କିନ୍ତୁ ରାତି ହୋଇଯାଇଥିବାରୁ ମେଡିକାଲ ନେବା ପାଇଁ କୌଣସି ସୁବିଧା ନଥିବା କାରଣରୁ ସକାଳେ ମେଡିକାଲ ନେବାକୁ ପରିବାର ଲୋକ ନିଷ୍ପତ୍ତି ନେଇଥିଲେ। ତେଣୁ ଆଜି ସକାଳ ପ୍ରାୟ ୫ଟାରେ ଗାଁର ହରିଶ୍ଚନ୍ଦ୍ର ହିକକା ୧୦୮ ଓ ୧୦୨ଆମ୍ବୁଲାନ୍‌ସ ସେବା ନିମନ୍ତେ ଫୋନ୍‌ କରିଥିଲେ। ତାଙ୍କୁ ଉତ୍ତର ମିଳିଥିଲା ଯେ ୧୦୮ଆମ୍ବୁଲାନ୍‌ସ ସେହି ସମୟରେ କଲ୍ୟାଣସିଂହପୁର ଠାରେ ନାହିଁ। କୋଲନରା ଠାରୁ ଅନ୍ୟ ଏକ ୧୦୮ ଆମ୍ବୁଲାନ୍‌ସ ଗାଁରେ ପହଞ୍ଚିବ। ହେଲେ ୨ଘଣ୍ଟା ଧରି ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍‌ସ ଆସିନଥିଲା। ଯାହାଫଳରେ ବାଧ୍ୟ ହୋଇ ଆଶା କର୍ମୀ କଡୁଞ୍ଜି କୁନାକା ପ୍ରସ୍କା, କୁନାକା ରେଲି, ହରିଶ୍ଚନ୍ଦ୍ର ହିକାକା, କୁନାକା ସୀତା ପ୍ରମୁଖ ପାର୍ସାଲି-କଲ୍ୟାଣସିଂହପୁର ରାସ୍ତା ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ନେଇ ଆସିଥିଲେ। ସେଠାରୁ ଗାଡ଼ି ଭଡ଼ା କରି ମେଡିକାଲ ନେବାକୁ ଯୋଜନା ହୋଇଥିଲା। କିନ୍ତୁ ଗାଁରୁ ଶହେ ମିଟର ଆସିବା ପରେ ଗୋଲାପୀ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। କିଛି ସମୟ ପରେ ରାସ୍ତା କଡ଼ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

ସକାଳ ସମୟ ହୋଇଥିବାରୁ ପ୍ରବଳ ଶୀତ ଅନୁଭୂତ ହେଉଥିଲା। ତେଣୁ ଗାଁର କିଛି ମହିଳା ନିଆଁ ଜାଳି ପ୍ରସୂତିଙ୍କୁ ସେଠାରେ ବସାଇଥିଲେ। ପ୍ରସବ ହେବାର କିଛି ସମୟ ବିତିଗଲା ପରେ କୋଲନରାରୁ ଆସି ପହଞ୍ଚିଥିଲା ଆମ୍ବୁଲାନ୍‌ସ। ଏହାପରେ ଉଭୟ ମା’ ଓ ନବଜାତ ଶିଶୁକୁ କଲ୍ୟାଣସିଂହପୁର ମେଡିକାଲକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର