ଜୟପୁରରେ ଦୟନୀୟ ଅବସ୍ଥାରେ ୧୦୮ ଓ ୧୦୨ ଆମ୍ବୁଲାନ୍‌ସ ସେବା

ରୋଗୀଙ୍କୁ ନେଇ ଯାଉଥିବା ବେଳେ ଅଧା ରାସ୍ତାରେ ଅଟକୁଛି, ମରାମତି ଅଭାବରୁ ଅଧିକାଂଶ ସମୟ ଡାକ୍ତରଖାନା ପରିସରରେ ପଡି ରହୁଛି

ଜୟପୁର : ରୋଗୀ ସେବା ଭଳି ଜରୁରୀ କାର୍ଯ୍ୟରେ ଲାଗିଥିବା ଆମ୍ବୁଲାନସ ଗୁଡିକର ଅବସ୍ଥା ଦିନକୁ ଦିନ ଦୟନୀୟ ହୋଇପଡୁଛି । ନିୟମିତ ବ୍ୟବଧାନରେ ଆମ୍ବୁଲାନ୍‌ସ ଗୁଡିକର ମରାମତି ହେଉନଥିବା ବେଳେ ରୋଗୀଙ୍କୁ ଧରି ଯାଉଥିବା ବେଳେ ରାସ୍ତା ଅଧାରେ ଅଟକି ରହୁଥିବା କିଛି ଆମ୍ବୁଲାନସ ଡ୍ରାଇଭର ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ଦୁର୍ଘଟଣାରେ ସମ୍ମୁଖୀନ ହେଉଥିବା ରୋଗୀ ଏବଂ ଜରୁରୀକାଳୀନ ସ୍ଥିତିରେ ଆମ୍ବୁଲାନ୍‌ସ ଗୁଡିକ ନିୟୋଜିତ ହୋଇଥାନ୍ତି । ଗ୍ରାମାଞ୍ଚଳରୁ ଡାକ୍ତରଖାନାକୁ ଆଣିବା ଏବଂ ସଙ୍କଟାପନ୍ନ ଅବସ୍ଥାରେ ଥିବା ରୋଗୀଙ୍କୁ କୋରାପୁଟ ମେଡିକାଲ କଲେଜକୁ ଆମ୍ବୁଲାନ୍‌ସ ଜରିଆରେ ସ୍ଥାନାନ୍ତର କରାଯାଉଛି । ବର୍ଷ ବର୍ଷ ଧରି ଜରୁରୀକାଳୀନ ସେବାରେ ଆମ୍ବୁଲାନ୍‌ସ ଗୁଡିକ ନିୟୋଜିତ ହେଉଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଆମ୍ବୁଲାନ୍‌ସ ଗୁଡିକର ଟ୍ରି‌ଟମେଣ୍ଟ ସମୟ ଆସିଯାଇଛି ବୋଲି ବହୁ ଚାଳକ ସୂଚନା ଦେଇଛନ୍ତି ।

tathya.in

ରୋଗୀଙ୍କ ପାଇଁ ଆମ୍ବୁଲାନ୍‌ସ ମଧ୍ୟରେ ରହିଥିବା ଯନ୍ତ୍ରାଂଶ ଗୁଡିକ ବି ସଠିକ୍ ଭାବେ କାମ କରୁନାହିଁ । କେବଳ ତଳିପକା ନ୍ୟାୟରେ ଆମ୍ବୁଲାନ୍‌ସ ଗୁଡିକ ଚଳାଚଳ କରୁଥିବା ଜଣାଯାଇଛି । ରୋଗୀଙ୍କୁ ନେଇ ଯିବା ସମୟରେ ଆମ୍ବୁଲାନ୍‌ସ ଗୁଡିକ ଦ୍ରୁତ ଗତିରେ ଯାଉଥିବା ବେଳେ ଜିଲ୍ଲାରେ ରାସ୍ତାର ଅବସ୍ଥା ଯାହା ରହିଛି ସେଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଡାକ୍ତରଖାନାରେ ପହଞ୍ଚିବା ବି କଷ୍ଟକର ହୋଇପଡୁଥିବା କିଛି ଚାଳକ କହିଛନ୍ତି । ରୋଗୀଙ୍କ ପାଇଁ ଗାଡିରେ ଅକ୍ସିଜନ୍ ସିଲେଣ୍ଡର ରହିଥିବା ବେଳେ କେତେକ ସମୟରେ ଅକ୍ସିଜନ୍ ସରିଯାଇଥିଲେ ହେଁ ଏହାକୁ ପରିବର୍ତ୍ତନ କରାଯାଉନାହିଁ । ତଳିପକା ନ୍ୟାୟରେ ମରାମତି ହେଉଥିବା ଯୋଗୁଁ ଅଧିକାଂଶ ସମୟରେ ରାସ୍ତାରେ ଆଣ୍ଠେଇ ପଡୁଛି ।

ରାସ୍ତାରେ ଖରାପ ହେଲେ ଅନ୍ୟ ଆମ୍ବୁଲାନ୍‌ସକୁ ଖବର ଦେଲେ ସେଠାରୁ ରୋଗୀଙ୍କୁ ପୁଣି ଡାକ୍ତରଖାନାକୁ ନିଆଯାଉଛି । ଜୟପୁରରେ ଥିବା ଏକ ସର୍ଭିସ ଷ୍ଟେସନ ସହ ଆମ୍ବୁଲାନ୍‌ସକୁ ପରିଚାଳନା କରୁଥିବା ସଂସ୍ଥାର ଏମଓୟୁ ହୋଇଛି। ମରାମତି ବାବଦରେ ଅଧିକା ଟଙ୍କା ବାକି ରହିଲେ ସର୍ଭିସ ଷ୍ଟେସନ ମାଲିକ ମରାମତି କରିବାକୁ ମନା କରିଦେଉଥିବା ଜଣେ ଆମ୍ବୁଲାନ୍‌ସ ଡ୍ରାଇଭର କହିଛନ୍ତି। ମରାମତି ଅଭାବରୁ ଅଧିକାଂଶ ସମୟରେ ଜୟପୁର ପୁରୁଣା ଡାକ୍ତରଖାନା ପରିସରରେ ଆମ୍ବୁଲାନ୍‌ସ ଗୁଡିକ ପଡି ରହୁଛି । କିଛି ଆମ୍ବୁଲାନ୍‌ସ ଷ୍ଟାଟ୍ ହେଉନଥିବା ଯୋଗୁଁ ଠେଲାପେଲା କରି ଷ୍ଟାଟ୍ କରାଯାଉଥିବା ଜଣାଯାଇଛି । ପୁରୁଣା ଆମ୍ବୁଲାନ୍‌ସ ଗୁଡିକୁ ତୁରନ୍ତ ବଦଳାଇ ସେହି ସ୍ଥାନରେ ନୂଆ ଆମ୍ବୁଲାନ୍‌ସର ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର