ଦାନ ଦକ୍ଷିଣାକୁ ନେଇ ଆମିକସ୍‌ କ୍ୟୁରି କ୍ଷୁବ୍ଧ

ବନ୍ଦ ହେବ ଅନ୍ନଦାନ ଆଟିକା, ଥାଳି, ଗରା ପ୍ରଥା, ଭକ୍ତଙ୍କ ପାଇଁ ଲାଗିବ ଆଉ ୪ ହୁଣ୍ଡି, ସେବା ଅନୁଯାୟୀ କମିବ ସେବକ ସଂଖ୍ୟା

ପୁରୀ : କାହାକୁ କିଛି ନଜଣାଇ ବିନା ସୁରକ୍ଷାରେ ସାଧାରଣ ଭକ୍ତଙ୍କ ଭଳି ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିବା ପରେ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଆଜି ଦାନଦକ୍ଷିଣାକୁ ନେଇ ବିରକ୍ତିଭାବ ପ୍ରକାଶ କରିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ଆଦେଶ ସତ୍ତ୍ୱେ ଶ୍ରୀମନ୍ଦିରରେ ସେବାୟତମାନେ ଜୋର ଜବରଦସ୍ତ ଦାନଦକ୍ଷିଣା ଆଦାୟ ଜାରି ରଖିଥିବାରୁ ଶ୍ରୀ ସୁବ୍ରମଣ୍ୟମ୍‌ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। କହିଛନ୍ତି, ଶ୍ରୀମନ୍ଦିର ପରିସରରେ ଥିବା ମନ୍ଦିର ଓ ଘର ଶ୍ରୀମନ୍ଦିର ପ୍ରଶାସନର। ସେବାୟତଙ୍କର ଅଧିକାର ଏଥିରେ ନାହିଁ। ଏଣୁ କୌଣସି ପରିସ୍ଥିତିରେ ସେବାୟତମାନେ ଏଠାରେ ଦାନଦକ୍ଷିଣା ଆଦାୟ କରିପାରିବେନି କି ଅନ୍ନଦାନ ଆଟିକା, ଥାଳି ଆଦି ରଖିପାରିବେନି। ଯାହା କିଛି ହେବ ଶ୍ରୀମନ୍ଦିର ବାହାରେ। ଶ୍ରୀମନ୍ଦିରକୁ ଆସୁଥିବା କୌଣସି ଭକ୍ତ ଯଦି ଦାନ ଦେବାକୁ ଚାହିଁବେ, ଶ୍ରୀମନ୍ଦିର ହୁଣ୍ଡିରେ ଦେଇପାରିବେ। ସେହି ଅନୁଯାୟୀ ଶ୍ରୀମନ୍ଦିରରେ ଆଉ ୪ଟି ହୁଣ୍ଡି ବ୍ୟବସ୍ଥା କରିବାକୁ ଶ୍ରୀ ସୁବ୍ରମଣ୍ୟମ୍‌ ମତ ଦେଇଛନ୍ତି। ବଂଶାନୁକ୍ରମିକ ସେବାରେ ସହମତି ପ୍ରକାଶ କରିଥିଲେ ବି ସେବକ ସଂଖ୍ୟା କମାଇବାକୁ ସେ ମତ ଦେଇଛନ୍ତି।

ଆମିକସ୍‌କ୍ୟୁରି ଶ୍ରୀ ସୁବ୍ରମଣ୍ୟମ୍‌ ଆଜି ପୂର୍ବାହ୍ଣ ୧୦ଟାରେ ଶ୍ରୀନଅରକୁ ଯାଇ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଭେଟି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଆଲୋଚନା କରିଥିଲେ। ଗଜପତି ମହାରାଜ ବଂଶାନୁକ୍ରମିକ ସେବା ଉଚ୍ଛେଦ ପ୍ରସଙ୍ଗରେ କହିଥିଲେ, ଶ୍ରୀମନ୍ଦିରର ପ୍ରଥା ଓ ପରମ୍ପରା ହଜାର ହଜାର ବର୍ଷର। ଶ୍ରୀମନ୍ଦିରର ସେବା ନିଆରା ଓ ଜଟିଳ। ଏଣୁ ବଂଶାନୁକ୍ରମିକ ସେବା ଉଚ୍ଛେଦ କରାନଯାଉ। ଦେଢ଼ଘଣ୍ଟାରୁ ଅଧିକ ସମୟ ଧରି ଗଜପତି ମହାରାଜଙ୍କ ସହ ଆଲୋଚନା ପରେ ଶ୍ରୀ ସୁବ୍ରମଣ୍ୟମ୍‌ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଯୋଗ ଦେଇଥିଲେ। ସୁପ୍ରିମ୍‌କୋର୍ଟ ଶ୍ରୀମନ୍ଦିର ସଂସ୍କାର ଉପରେ ୧୨ଟି ଅନ୍ତରୀଣ ଆଦେଶ ଦେଇଥିଲେ ହେଁ ତିନୋଟି ଆଦେଶକୁ ନେଇ କେଁ ଦେଖା ଦେଇଥିବାରୁ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବିଶେଷ କରି ବଂଶାନୁକ୍ରମିକ ସେବା ଉଚ୍ଛେଦ, ଅନ୍ନଦାନ ଆଟିକା, ଥାଳି ଓ ଗରା ପ୍ରଥା ବନ୍ଦ ଏବଂ ଶ୍ରୀମନ୍ଦିର ଆଇନରେ ସଂଶୋଧନ ଉପରେ ପରିଚାଳନା କମିଟିର ମତାମତ ନିଆଯାଇଥିଲା। ଆଲୋଚନା ପରେ ଶ୍ରୀ ସୁବ୍ରମଣ୍ୟମ୍‌ ବଂଶାନୁକ୍ରମିକ ସେବାରେ ସହମତ ଥିବାବେଳେ ସେବକ ସଂଖ୍ୟା ବିରୋଧରେ ମତ ଦେଇଥିଲେ। କହିଥିଲେ, ଶ୍ରୀମନ୍ଦିରରେ ସେବାୟତଙ୍କ ସଂଖ୍ୟା ଆବଶ୍ୟକତାଠାରୁ ଅଧିକ ବଢ଼ିଯାଇଛି। ଏହାକୁ ସୀମିତ ରଖାଯାଉ। ମହାପ୍ରଭୁଙ୍କ ସେବା ପାଇଁ ଯେତିକି ଜଣ ସେବାୟତ ଆବଶ୍ୟକ ସେତିକି ସେବାୟତଙ୍କୁ ରଖାଯାଉ। ଯେହେତୁ ଆର୍ଥିକ ଅନଟନ କଥା ଉଠୁଛି ସେଠି ସେବାୟତଙ୍କୁ କ୍ଷତିପୂରଣ ଦେବା ବିଷୟରେ ଚିନ୍ତା କରାଯାଉ। ଶ୍ରୀମନ୍ଦିର ପରିସରରେ ଦାନଦକ୍ଷିଣା ଆଦାୟ ହୋଇପାରିବନି। ଭକ୍ତ ସ୍ୱଇଚ୍ଛାରେ ଶ୍ରୀମନ୍ଦିର ହୁଣ୍ଡିରେ ଦାନ କରିପାରିବ। ଶ୍ରୀମନ୍ଦିରରେ ଯେଉଁ ସ୍ଥାନରେ ହୁଣ୍ଡି ରଖାଯାଇଛି, ତାହା ଦୃଶ୍ୟମାନ ହେଉନି। ଏଣୁ ଭକ୍ତଙ୍କ ଜାଣିବା ଭଳି ସ୍ଥାନରେ ହୁଣ୍ଡି ରଖାଯାଉ। ଶ୍ରୀମନ୍ଦିରର ଚାରିଦ୍ୱାରରେ ଭକ୍ତଙ୍କ ପାଇଁ ୪ଟି ହୁଣ୍ଡି ରଖିବା ଲାଗି ସେ ମତ ଦେଇଥିଲେ। ଅନ୍ନଦାନ ଆଟିକା, ଥାଳି, ଗରା ପ୍ରଥା ସଂପର୍କରେ ମତ ଦେଇ ଶ୍ରୀ ସୁବ୍ରମଣ୍ୟମ୍‌ କହିଥିଲେ ଯେ, ଯେହେତୁ ଶ୍ରୀମନ୍ଦିର ଉପରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାର ରହିଛି, ଏଠାରେ ସେବାୟତମାନେ ହସ୍ତକ୍ଷେପ କରିପାରିବେନି କି ନିଜ ଇଚ୍ଛାରେ ଦାନଦକ୍ଷିଣା ଆଦାୟ କରିପାରିବେନି। ଏଣୁ ଅନ୍ନଦାନ ଆଟିକା, ଥାଳି, ଗରା ଶ୍ରୀମନ୍ଦିର ପରିସରରେ ରଖାଯାଇ ପାରିବ ନାହିଁ। ଏହାକୁ ଶ୍ରୀମନ୍ଦିର ବାହାରେ ରଖାଯାଉ। ଅନ୍ନଦାନ ଆଟିକା, ଥାଳି, ଗରାକୁ ନେଇ ଯେଉଁ ପ୍ରଥା ଚାଲିଛି, ତା’ ପାଇଁ ସ୍ୱତନ୍ତ୍ର ନୀତିନିୟମ ରହୁ। ଏ ବାବଦକୁ କେତେ ଟଙ୍କା ଆଦାୟ ହେଉଛି ଶ୍ରୀମନ୍ଦିର ପ୍ରଶାସନ ତାର ହିସାବ ରଖୁ। ଏଥିପାଇଁ କାର୍ଯ୍ୟ କରୁଥିବା କମିଟିର ସଭାପତି, ସଂପାଦକ ଚୟନ ସଠିକ୍‌ ଭାବେ କରାଯାଉ। ଆଦାୟ ଟଙ୍କାର ଅଡିଟ୍‌ କରାଯାଉ।

ଯାତ୍ରୀ ସେବାକୁ ନେଇ ବି ସେବାୟତମାନେ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ଶ୍ରୀ ସୁବ୍ରମଣ୍ୟମ୍‌ କହିଥିଲେ, ଯାତ୍ରୀ ସେବାରେ କୌଣସି ଅସୁବିଧା ନାହିଁ। ଯେଉଁ ପଣ୍ଡାମାନେ ଯାତ୍ରୀ ନେଇ ଆସିଥିବେ ସେହି ଯାତ୍ରୀଙ୍କ ସେବା ସେମାନେ କରିପାରିବେ। କିନ୍ତୁ ଟଙ୍କା ନେଣଦେଣ ବାହାରେ ହେବା ଉଚିତ। ଶ୍ରୀମନ୍ଦିର ଭିତରେ ଯାତ୍ରୀ ସେବାକୁ ନେଇ ଟଣାଓଟରା ନହେଉ। ଭକ୍ତମାନଙ୍କ ଦର୍ଶନରେ ଯେଭଳି ଅସୁବିଧା ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଉ। ଯିଏ ବି ଭକ୍ତଙ୍କ ଦର୍ଶନରେ ବିଶୃଙ୍ଖଳା ସୃଷ୍ଟି କରୁଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ରୋଷଘରକୁ ନେଇ ବି ବୈଠକରେ ଆଲୋଚନା ହୋଇଥିଲା। ଦରଦାମ ତାଲିକା ଲଗାକୁ ନେଇ ବିବାଦ ମୁଣ୍ଡ ଟେକିଥିବାବେଳେ ସୁଆର ମହାସୁଆରଙ୍କ ସହ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଥିଲା। ସେହିପରି ସେବକ ଓ ଯାତ୍ରୀ ପଣ୍ଡାଙ୍କ ପାଇଁ ଅଲଗା ଅଲଗା ପରିଚୟପତ୍ର କରିବାକୁ ଶ୍ରୀ ସୁବ୍ରମଣ୍ୟମ୍‌ ମତ ରଖିଥିଲେ।

ଭକ୍ତଙ୍କ ସୁବିଧା ପାଇଁ ମେଘନାଦ ପାଚେରି କଡ଼ରେ ଚଉକି ବ୍ୟବସ୍ଥା, ଶୌଚାଳୟ ଆଦି କରିବାକୁ ଶ୍ରୀ ସୁବ୍ରମଣ୍ୟମ୍‌ ମତ ଦେଇଥିଲେ। ସିଂହଦ୍ୱାର ଦେଇ ଯାତ୍ରୀମାନେ ପ୍ରବେଶ କରିବେ ଓ ବାକି ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବା ବ୍ୟବସ୍ଥା କରାଯାଇଥିବା ପରିଚାଳନା କମିଟି ମତ ଦେଇଥିଲା। ଧାଡ଼ିରେ ଯାଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ପରିଚାଳନା କମିଟି କହିଥିଲେ। ପାର୍ଶ୍ୱ ଦେବାଦେବୀ ଓ ମନ୍ଦିର ବୁଲିବାକୁ ଯୋଜନା କରୁଥିବା ଭକ୍ତମାନେ ଧାଡ଼ିରୁ ବାହାରି ଦର୍ଶନ କରିପାରିବେ। ପରିଚାଳନା କମିଟି ବୈଠକ ପରେ ଅପରାହ୍ଣ ୪ଟାରେ ଛତିଶା ନିଯୋଗ ସହ ଶ୍ରୀ ସୁବ୍ରମଣ୍ୟମ୍‌ ଆଲୋଚନା କରିଥିଲେ। ଶ୍ରୀମନ୍ଦିରରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଫେରାଇବା ପାଇଁ ଆଲୋଚନାରେ ମତପ୍ରକାଶ ପାଇଥିଲା। ଶ୍ରୀମନ୍ଦିରରେ ସ୍ୱଚ୍ଛତା ଆଣିବା ପାଇଁ ପାନ, ଗୁଟ୍‌ଖା ପ୍ରବେଶ ଉପରେ କଟକଣା ଲଗାଯିବ। ଉପରୋକ୍ତ ଆଲୋଚନା ଆଧାରରେ ଶ୍ରୀ ସୁବ୍ରମଣ୍ୟମ୍‌ ସୁପ୍ରିମ୍‌କୋର୍ଟଙ୍କୁ ରିପୋର୍ଟ ଦେବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର