ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ଅଭିଯାନକୁ ଆମିକସ୍‌ କ୍ୟୁରିଙ୍କ ସବୁଜ ସଙ୍କେତ

ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଠିକ୍ ଦର୍ଶାଇ‌େଲ, ଶଙ୍କରାଚାର୍ଯ୍ୟ, ଗଜପତିଙ୍କୁ ବି ଭେଟିଲେ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ଅଭିଯାନକୁ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ସବୁଜ ସଙ୍କେତ ଦେଇଛନ୍ତି। ଆଜି ଉଚ୍ଛେଦ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ପରେ ଆମିକସ୍‌ କ୍ୟୁରି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସଠିକ୍ ଦର୍ଶାଇ କହିଛନ୍ତି, ଯାହା ହେଉଛି ସମସ୍ତଙ୍କର ଭଲ ପାଇଁ। ଏଥିରେ ସମସ୍ତେ ସହଯୋଗ କରିବା ଆବଶ୍ୟକ।

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆମିକସ୍‌ କ୍ୟୁରି କହିଥିଲେ, ଜୋରଜବରଦସ୍ତ କାହାକୁ ଉଚ୍ଛେଦ କରାଯାଉନାହିଁ। ସମସ୍ତଙ୍କ ସହମତି ଏବଂ କଥାବାର୍ତ୍ତାରେ ଏହି ପ୍ରକ୍ରିୟା ଚାଲୁ ରହିଛି। ଯେହେତୁ ସମସ୍ତଙ୍କର ଭଲ ପାଇଁ ଏହା କରାଯାଉଛି ତେଣୁ ଏହାକୁ କେହି ରୋକିବା ଉଚିତ ନୁହେଁ। ଆସନ୍ତାବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁଥିବାରୁ ପୁରୀଧାମକୁ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ଆସିବେ। ଉଚ୍ଛେଦ ଓ ସୌନ୍ଦର୍ଯ୍ୟୀକରଣ କାମ ସରିଲେ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିବା ସହ ବଡ଼ଦେଉଳ ମଧ୍ୟ ସୁରକ୍ଷା ବଳୟରେ ରହିବ। ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ବିକାଶ କାମ ହାତକୁ ନେଇଛନ୍ତି। ପୁରୀ ଐତିହ୍ୟ ସହର ହେଲେ ଏଠାକୁ ଅଧିକ ଲୋକ ଆସିବେ। ଯାହାଫଳରେ ଜଗନ୍ନାଥଙ୍କ ନାମ ଆହୁରି ଅଧିକ ଉଚ୍ଚା ହେବ ବୋଲି ଆମିକସ୍‌ କ୍ୟୁରି କହିଥିଲେ।

ଆମିକସ୍‌ କ୍ୟୁରିଙ୍କ ଏ ପ୍ରକାର ମନ୍ତବ୍ୟରୁ ଆଗାମୀ ଦିନରେ ୭୫ ମିଟର ଉଚ୍ଛେଦ ଅଭିଯାନ ଆହୁରି ଅଧିକ ତ୍ବରାନ୍ବିତ ହେବ ବୋଲି ସ୍ପଷ୍ଟ ହୋଇଯାଇଛି। ଆସନ୍ତା ଦିନେ ଦୁଇ ଦିନ ଭିତରେ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହେବ ବୋଲି ଜଣାପଡିଛି। ଆଜି ଆମିକସ୍‌ କ୍ୟୁରିଙ୍କ ସହିତ ସଲିସିଟର ଜେନେରାଲ ତୁଷାର ମେ‌ହେଟ୍ଟ‌ା, ଆଡଭୋକେଟ୍‌ ଜେନେରାଲ ଅଶୋକ ପରିଜା ଉଚ୍ଛେଦ ପ୍ରସଙ୍ଗରେ ଜଗତଗୁରୁୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଡିଆଇଜି ପ୍ରମୁଖ ବରିଷ୍ଠ ପଦାଧିକାରୀଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଥିଲେ।

ଆଜି ସକାଳେ ପ୍ରଥମେ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ଶ୍ରୀ ମେହେଟ୍ଟ‌ା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍‌ କୁମାର ଉଭୟଙ୍କୁ ଖଣ୍ଡୁଆପାଟ ଦେଇ ସ୍ବାଗତ କରିବା ପରେ ଦୁହେଁ ଶ୍ରୀମନ୍ଦିର ପରିକ୍ରମା କରିଥିଲେ। ଶ୍ରୀମନ୍ଦିର ପରିସରସ୍ଥିତ ଚାହାଣୀ ମଣ୍ଡପ ବୁଲି ଦେଖିବା ପରେ ସେଠାରୁ ଏମାର ମଠ, ରଘୁନନ୍ଦନ ପାଠାଗାର ଉଚ୍ଛେଦ ସ୍ଥଳ ଏବଂ ବର୍ତ୍ତମାନ ଚାଲିଥିବା ଉନ୍ନତୀକରଣ କାମ ଅନୁଧ୍ୟାନ କରିଥିଲେ। ପରେ ଆନନ୍ଦବଜାର ଦେଇ ସ୍ନାନମଣ୍ଡପ ଉପରକୁ ଯାଇଥିଲେ। ସେଠାରୁ ଭଙ୍ଗା ହୋଇଥିବା ଲଙ୍ଗୁଳି ମଠ ସ୍ଥାନରେ ଚାଲିଥିବା ବିକାଶ କାମ ଦେଖିଥିଲେ ଏବଂ ନିର୍ମାଲ୍ୟ ଖଳା, ଲକ୍ଷ୍ମୀ ମନ୍ଦିର ପରିଦର୍ଶନ କରିଥିଲେ।

ରାଜନଅରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହିତ ସଲିସିଟର ଜେନେରାଲ ଓ ଆମିକସ୍‌ କ୍ୟୁରି ପ୍ରାୟ ଅଧାଘଣ୍ଟା କାଳ ଶ୍ରୀମନ୍ଦିର ଐତିହ୍ୟ ସଂସ୍କୃତି ଓ ବର୍ତ୍ତମାନର ବିକାଶ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଡିଆଇଜି, ଏସ୍‌ପି ଓ ପରିଚାଳନା କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ। ବୈଠକରେ ପୁରୀ ବିକାଶ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଥିବା ବିଭିନ୍ନ ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ୍ ଦେଖିଥିଲେ। ସେଠାରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ୪୦ ମିନିଟ୍ ଆଲୋଚନା କରିଥିଲେ। ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିରର ବିଧି ବ୍ୟବସ୍ଥା, ସାଂପ୍ରତିକ ସ୍ଥିତି ଓ ପୁରୀର ସଂସ୍କୃତି, ପରମ୍ପରାକୁ କିଭଳି ରକ୍ଷା କରାଯାଇପାରିବ ସେ ସଂପର୍କରେ ପରାମର୍ଶ ଦେଇଥିଲେ। ଏ ନେଇ ୪୦ ପୃଷ୍ଠାର ଏକ ସ୍ମାରକପତ୍ର ମଧ୍ୟ ଆମିକସ୍‌ କ୍ୟୁରିଙ୍କୁ ଦିଆଯାଇଛି। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଚାରିପାଖରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାର ଅନୁଧ୍ୟାନ ପାଇଁ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିବା ଓ ଏ ନେଇ ରିପୋର୍ଟ ଦେବାକୁ ଆମିକସ୍‌ କ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ, ଏସ୍‌ପି ଉମାଶଙ୍କର ଦାଶ, ଉପଜିଲ୍ଲ‌ାପାଳ ଭବତାରଣ ସାହୁ ପ୍ରମୁଖ ଆମିକସ୍‌ କ୍ୟୁରି ଓ ସଲିସିଟର ଜେନେରାଲଙ୍କ ସହିତ ରହିଥିଲେ। ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଉଭୟ ପୁରୀରୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ସମ୍ବନ୍ଧିତ ଖବର