୪୮ ଘଣ୍ଟା କସରତ ପରେ ଫେରିଲେ ଆମିକସ୍‌ କ୍ୟୁରି : ସୁଧୁରିବା ପାଇଁ ତିନି ସପ୍ତାହ କଣ୍ଟ

ଭୁବନେଶ୍ୱର : ଭକ୍ତଜନ ଶୃଙ୍ଖଳାର ସହିତ ଦର୍ଶନ କରିବା ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସୁପ୍ରିମକୋର୍ଟ ମଧ୍ୟ ଏହା ଚାହାନ୍ତି। ଏ କ୍ଷେତ୍ରରେ କୌଣସି ସାଲିସ କରାଯାଇପାରିବ ନାହିଁ। ଏଣୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରତି ସେବକମାନଙ୍କର ବ୍ୟବହାରରେ ଶତ ପ୍ରତିଶତ ପରିବର୍ତନ ହେବାର ଆବଶ୍ୟକତା ରହିଛି। କୌଣସି ଭକ୍ତ, ବିଶେଷକରି ମହିଳା ଯେମିତି ଅଭିଯୋଗ କରିବାକୁ ସୁଯୋଗ ନ ପାଆନ୍ତି ଯେ ସେମାନଙ୍କ ପ୍ରତି ସେବକ ଠିକ୍‌ ଆଚରଣ କରିନାହାନ୍ତି।

ତିନି ଦିନିଆ ଗସ୍ତ ସାରି ଆଜି ଓଡ଼ିଶା ଛାଡିବା ପୂର୍ବରୁ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ସେବକମାନଙ୍କ ଉଦ୍ଦେଶ୍ୟରେ ଏମିତି କିଛି ସତର୍କବାଣୀ ଶୁଣାଇ ଯାଇଛନ୍ତି। ପରୋକ୍ଷରେ ସଙ୍କେତ ଦେଇଛନ୍ତି ଯେ ସେବକମାନେ ନ ସୁଧୁରନ୍ତି, ତାଙ୍କୁ ଦିଆଯାଇଥିବା ସୂଚନା ଅନୁସାରେ, ବ୍ୟବସ୍ଥାରେ ପରିବର୍ତନ ନ ହୁଏ, ତେବେ ଯେ କୌଣସି କଠୋର ପଦକ୍ଷେପ ନିଆଯାଇପାରେ। ସୁପ୍ରିମକୋର୍ଟକୁ ସେ ଯେଉଁ ରିପୋର୍ଟ ଦେବେ, ସେଥିରେ ତାହାର ପ୍ରତିଫଳନ ଘଟିପାରେ। ଯେହେତୁ ସେବକମାନେ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଛନ୍ତି, ଶୃଙ୍ଖଳା ଦର୍ଶନ ଆଦିକୁ ଅନୁପାଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ଏଣୁ କୌଣସି ବଡ଼ ପଦକ୍ଷେପ ନେବା ପୂର୍ବରୁ ସେମାନଙ୍କୁ ଯଥେଷ୍ଟ ସୁଯୋଗ ଦେବାର ଆବଶ୍ୟକତା ରହିଛି ବୋଲି ଆମିକସ୍‌ କ୍ୟୁରି କହିଛନ୍ତି।

କେବଳ ସେତିକି ନୁହେଁ, ଶ୍ରୀ ସୁବ୍ରମଣ୍ୟମ୍‌ ଏକଥା ବି ସୂଚାଇଛନ୍ତି ଯେ ଆଚାର, ବ୍ୟବହାର ସହିତ ସମୟାନୁବର୍ତ୍ତିତା ଉପରେ ସେବକମାନଙ୍କୁ ଧ୍ୟାନ ଦେବାକୁ ପଡ଼ିବ। କୌଣସି ବି ପରିସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ସେବାରେ ଯେମିତି ଆଦୌ ବିଶୃଙ୍ଖଳା, ବିଭ୍ରାଟ କିମ୍ବା ବିଳମ୍ବ ନ ହୁଏ, ସେଥିପ୍ରତି ସେବକ ଯତ୍ନବାନ ହେବାର ଆବଶ୍ୟକତା ରହିଛି।

ଅନ୍ୟପକ୍ଷରେ ବଂଶାନୁକ୍ରମିକ ସେବା ପ୍ରସଙ୍ଗରେ ଶ୍ରୀ ସୁବ୍ରମଣ୍ୟମ୍‌ ଆଜି ଏକ କଠୋର ମନ୍ତବ୍ୟ ଦେଇଛନ୍ତି। ସୂଚାଇଛନ୍ତି ଯେ ଅନ୍ୟ ସବୁ ମନ୍ଦିର ଭଳି ଶ୍ରୀଜଗନ୍ନାଥ ମନ୍ଦିର ସେବା ପୂଜା ସମାନ ନୁହେଁ। ଏଠାରେ ପ୍ରତି ପୂଜା ନିଆରା ଉପାୟରେ ହୁଏ ଓ ସ୍ୱତନ୍ତ୍ର ସେବକ ଅଛନ୍ତି। ଏଣୁ ଅନ୍ୟ ମନ୍ଦିର ଭଳି ବ୍ୟବସ୍ଥା କରିବା ବେଳେ ଅଧିକ ଶାସ୍ତ୍ରୀୟ ତର୍ଜମା ଆବଶ୍ୟକ। କିନ୍ତୁ ବଂଶାନୁକ୍ରମିକ ସେବା ଅର୍ଥ ଅଧିକାର ନୁହେଁ। ଏକଥା ସମସ୍ତେ ଜାଣିରଖିବା ଉଚିତ୍‌। ବରଂ ସେବକଙ୍କୁ ଦିଆଯାଇଥିବା ଉଦ୍ଦିଷ୍ଟ ସେବା କିଭଳି ଠିକଣା ଢଙ୍ଗରେ ହେବ, ପୂଜାରୀତି ଯଥାରୀତି ସମ୍ପାଦିତ ହେବ, ସେଥିପାଇଁ ବଂଶାନୁକ୍ରମିକ ସେବା ବ୍ୟବସ୍ଥା ରହିଛି।

ଶ୍ରୀ ସୁବ୍ରମଣ୍ୟମ୍‌ କହିଥିଲେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ୪୮ ଘଣ୍ଟା ମଧ୍ୟରେ ସେ ଅନେକ ପଦକ୍ଷେପ ନେବାକୁ ଚେଷ୍ଟା କରିଛନ୍ତି। ହେଲେ ସବୁ ତଥ୍ୟ ମିଳିବା, ସବୁ ସମସ୍ୟାର ସମାଧାନ ହେବା ସମ୍ଭବ ନୁହେଁ। ତେବେ ବ୍ୟବସ୍ଥାରେ ପରିବର୍ତନ ଲାଗି ଅନେକ ସୁଯୋଗ ସୃଷ୍ଟି ହୋଇଛି। ଖୁବ୍‌ ଶୀଘ୍ର ଶ୍ରୀଜଗନ୍ନାଥଙ୍କର ସୁନ୍ଦର ଦର୍ଶନ ପାଇଁ ଧାଡି ବ୍ୟବସ୍ଥା ଆରମ୍ଭ ହେବ। ଶ୍ରୀମନ୍ଦିରରେ ସିସିଟିଭି ଲଗାଯାଇଛି ଓ ଏହାକୁ ସେ ସମୀକ୍ଷା କରିଛନ୍ତି। କିନ୍ତୁ ପ୍ରଶାସନ ନିୟମିତ ଏହାକୁ ଯାଞ୍ଚ କରିବାକୁ ଗୁରୁତ୍ୱାରୋପ କରିଛନ୍ତି।ସେବକଙ୍କମାନଙ୍କର ପରିଚୟ ମଧ୍ୟ ହେବା ଦରକାର, ଯାହା ଫଳରେ କିଏ ପୂଜାପଣ୍ଡା, କିଏ ଆଉ କେଉଁ ସେବାରେ ନିୟୋଜିତ ଅଛନ୍ତି, ଏକଥା ଭକ୍ତମାନେ ସହଜରେ ଜାଣିପାରିବେ।

ଶ୍ରୀ ସୁବ୍ରମଣ୍ୟମ୍‌ କହିଥିଲେ, ସେବକମାନଙ୍କ ସହିତ ତାଙ୍କର ବିସ୍ତତ ଆଲୋଚନା ହୋଇଛି। ସେବକମାନେ ଦୁଇ ସପ୍ତାହ ମଧ୍ୟରେ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବେ ବୋଲି କହିଛନ୍ତି। ତାଙ୍କୁ ତିନି ସପ୍ତାହ ସମୟ ଦିଆଯାଇଛି। ଏହା ପରେ ସ୍ଥିତି ଯାଞ୍ଚ ହେବ। ସେ ନୀତି ଓ ବ୍ୟବସ୍ଥା ସଂପର୍କରେ ଓଡ଼ିଆ ପୁସ୍ତକ ନେଇ ଯାଉଛନ୍ତି। ଏହାର ମଧ୍ୟ ତର୍ଜମା କରିବେ। କିଛି ଶାସ୍ତ୍ରଜ୍ଞ ଓ ବ୍ୟକ୍ତିଙ୍କୁ ସେ ଦିଲ୍ଲୀ ଡାକିଛନ୍ତି। ସେମାନେ ଏହି ପୁସ୍ତକର ଭାବାର୍ଥ ଓ ଅନୁଦାନ କରିବା ସହିତ ବ୍ୟବସ୍ଥାରେ ପରିବର୍ତନ ଲାଗି ଆବଶ୍ୟକ ପରାମର୍ଶ ଦେବେ।

ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର କେବଳ ଓଡ଼ିଶାବାସୀ କିମ୍ବା ସେବାୟତଙ୍କର ନୁହେଁ। ବରଂ ବିଶ୍ୱବାସୀଙ୍କର ତାଙ୍କ ପ୍ରତି ପ୍ରତି ଆକର୍ଷଣ ରହିଛି ବୋଲି ସୂଚାଇ ଶ୍ରୀ ସୁବ୍ରମଣ୍ୟମ୍‌ କହିଛନ୍ତି, ଯେତେ ସବୁ ତଥ୍ୟ ତାଙ୍କ ସାମ୍ନାରେ ବିଭିନ୍ନ ଆଲୋଚନା ବେଳେ ରଖାଯାଇଥିଲା, ତାହାକୁ ଅନୁପାଳନ ହୋଇଛି କି ନାହିଁ, ତାର ଅନୁଧ୍ୟାନ କରାଯିବ। ସିସିଟିଭି ଯାଞ୍ଚ କରାଯିବ। ସେବକମାନଙ୍କୁ ସେ ଯେଉଁ ଟାସ୍କ ଦେଇଛନ୍ତି, ତାହା କାର୍ଯ୍ୟକାରୀ ହୋଇଛି କି ନାହିଁ, ସେ ନିଜେ ତାହାର ପ୍ରତ୍ୟକ୍ଷ ଅନୁଧ୍ୟାନ କରିବେ। ଏହା ପରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରାଯିବ। ଅର୍ଥାତ୍‌ ଯଦି ସ୍ଥିତିରେ କିଛି ପରିବର୍ତନ ହୋଇନଥାଏ, ଅଥବା ଆମିକସ୍‌ କ୍ୟୁରି କୌଣସି ବି କାରଣରୁ ଅସନ୍ତୋଷ ରହନ୍ତି, ତେବେ ସେବକମାନଙ୍କୁ ଯେ ଏହାର ମୂଲ୍ୟ ଦେବାକୁ ପଡିପାରେ। ଅଣହିନ୍ଦୁ ପ୍ରସଙ୍ଗରେ କୌଣସି ପଦକ୍ଷେପ ଦିଆଯାଇନାହିଁ।

ଶ୍ରୀମନ୍ଦିର ଆୟବ୍ୟୟ ହିସାବ ନେଇ ସୁବ୍ରମଣ୍ୟମ ସନ୍ତୋଷ ପ୍ରକାଶ କରିଥିଲେ। ଏହାସହିତ ସେ ସୂଚନା ଦେଇଥିଲେ ଯେ ଶ୍ରିମନ୍ଦିରର ଆକାଉଣ୍ଟସ ସଂକ୍ରାନ୍ତ ତଥ୍ୟ ଖୁବଶୀଘ୍ର ଶ୍ରୀମନ୍ଦିର ଓ୍ଵବସାଇଟରେ ଉପଲବ୍ଧ ହେବ। ସେବାୟତମାନଙ୍କ ସଂପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇ ସେ କହିଲେ ଯେ ଯେତେ ସେବାୟତ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଦାରିଦ୍ର୍ୟ ସୀମା ରେଖା ତଳେ ରହିଛନ୍ତି। ତେଣୁ ସେମାନଙ୍କ ସଂପର୍କରେ ମାନବିକତା ଦୃଷ୍ଟିକୋଣରୁ ବିଚାର କରାଯିବା ଦରକାର।

ସମ୍ବନ୍ଧିତ ଖବର