ପୁରୀରେ ପହଞ୍ଚିଲେ ଆମିକସ୍‌ କ୍ୟୁରି : ଗଜପତି, ପରିଚାଳନା କମିଟି, ଛତିଶା ନିଯୋଗ ସହ ଆଲୋଚନା ଆଜି

ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ନବନିଯୁକ୍ତ ଆମିକସ୍‌ କ୍ୟୁରି ରଂଜିତ କୁମାର ଆଜି ରାତି ୯ଟାରେ ପୁରୀରେ ପହଞ୍ଚିଛନ୍ତି। କାହାରିକୁ କିଛି ନଜଣାଇ ସାଧାରଣ ଭକ୍ତ ଭାବେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ସାରି ବିମଳାଙ୍କ ମନ୍ଦିର ନିକଟରେ ପହଞ୍ଚିଲା ବେଳକୁ ବିଳମ୍ବରେ ଖବର ପାଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ସୁବେଦାର ଆମିକସ୍‌ କ୍ୟୁରିଙ୍କୁ ଶ୍ରୀମନ୍ଦିରର ଅନ୍ୟ ମନ୍ଦିର ସବୁ ବୁଲାଇବା ସହ ବିଭିନ୍ନ ପ୍ରସଙ୍ଗରେ ଅବଗତ କରାଇଥିଲେ। ଆଜି ରାତ୍ର ଯାପନ ପରେ ଆମିକସ୍‌ କ୍ୟୁରି ସକାଳ ୮ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ପୂର୍ବାହ୍ନ ୧୧ଟାରେ ରାଜନଅରରେ ଗଜପତିଙ୍କ ସହ ଆଲୋଚନା କରିବେ। ସାଢ଼େ ୧୧ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପରିଚାଳନା କମିଟି, ଛତିଶାନିଯୋଗ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି।

ଆମିକସ୍‌କ୍ୟୁରିଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସପି ଉମାଶଙ୍କର ଦାଶ ପ୍ରମୁଖ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର