ଆମିକସ୍‌ କ୍ୟୁରିଙ୍କ ସହାୟିକାଙ୍କ ଶ୍ରୀମନ୍ଦିର ପରିଦର୍ଶନ : ବଂଶଗତ ଅଧିକାରରେ ଆସିବ ସଂସ୍କାର

ପୁରୀ : ଶ୍ରୀଜଗନ୍ନାଥଙ୍କ ସେବାରେ ବଂଶଗତ ଅଧିକାର ରହିବ। ହେଲେ ଏଥିରେ ଅଣାଯିବ ସଂସ୍କାର। ସେବାୟତଙ୍କ ସଂଖ୍ୟା କମିଯିବ। ସର୍ତ୍ତଭିତ୍ତିକ ନିଯୁକ୍ତି ବି ଲାଗୁ ହେବ। ଦାନଦକ୍ଷିଣା ବ୍ୟବସ୍ଥା ସରକାରୀ ହେବ। ରୋଷଘର ଚୁଲା ଶ୍ରୀମନ୍ଦିର ପ୍ରଶାସନ ହାତକୁ ଯିବ। ଶ୍ରୀମନ୍ଦିରର ସଂସ୍କାର ନେଇ ଆଜି ଆମିକସ୍‌ କ୍ୟୁରିଙ୍କ ସହାୟିକା ପ୍ରିୟା ହିଙ୍ଗରାନୀଙ୍କ ଗସ୍ତରୁ ଏପରି କିଛି ଚିତ୍ର ମିଳିଛି।

ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜନ କୁମାରଙ୍କ ସହାୟିକା ପ୍ରିୟା ହିଙ୍ଗରାନୀ ବୁଧବାର ସରକାରୀ ଭାବେ ଶ୍ରୀମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ସିଂହଦ୍ବାରରୁ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ କିଛି ପୁରୁଖା ସେବକ ସ୍ବାଗତ କରିବା ପରେ ଭିତରକାଠ ନିକଟରେ ସେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ସେଠାରୁ ଫେରିବା ପରେ ଏହି ମାମଲାରେ ସୁପ୍ରିମକୋର୍ଟରେ ଇଣ୍ଟରଭେନର୍‌ ପିଟିସନ ଦାଖଲ କରିଥିବା ଗୋଷ୍ଠୀଙ୍କୁ ଭେଟିଥିଲେ। ସମସ୍ତଙ୍କର ଦାବି ଥିଲା ବଂଶଗତ ଅଧିକାର ରହୁ, ତା’ ସହିତ ଦାନଦକ୍ଷିଣା, ଅନ୍ନଦାନ ଆଟିକା ବ୍ୟବସ୍ଥା ବି ରହୁ। ନିଯୁକ୍ତି ପ୍ରକ୍ରିୟା କାର୍ଯ୍ୟକାରୀ ନହେଉ। ମାତ୍ର ପ୍ରିୟା କିଛି ଶୁଣି ନଥିଲେ। କେବଳ ଲିଖିତ ଆବେଦନ ମାଗିଥିଲେ।
ସେବାୟତଙ୍କ ଆଲୋଚନା କାଳରେ ସେ କହିଥିଲେ ଯେ, ବଂଶଗତ ସେବା ଅଧିକାର ନକଟିବା ପାଇଁ ସେ ଉଦ୍ୟମ କରିବେ। ହେଲେ ଏଥିରେ ସଂସ୍କାର ଆଣିବା ଲାଗି ସୁପ୍ରିମକୋର୍ଟଙ୍କୁ ଅବଗତ କରାଯିବ। ସେବାୟତଙ୍କ ସଂଖ୍ୟା ହ୍ରାସ କରିବା ସହ କେତେକ ସର୍ତ୍ତ ଲାଗୁ ହେବ ବୋଲି ପରୋକ୍ଷରେ ଶୁଣାଇ ଦେଇଥିଲେ। ଏହାବ୍ୟତୀତ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ସେ କହିଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନଥିବା ସମ୍ପର୍କରେ ଅନେକ ସେବାୟତ ସଫେଇ ‌ଦେଇଥିଲେ। ମାତ୍ର ଥାଳି ପଡ଼ିଥିବା, ରୋଷଘର ଚୁଲି ପ୍ରଶାସନ ହାତକୁ ଆସି ନଥିବା, ରୋଷ ଘରେ ପରିଚ୍ଛନ୍ନତା, ଆନନ୍ଦବଜାରରେ ଶୃଙ୍ଖଳା ଓ ସ୍ବଚ୍ଛତା ଉପରେ ମଧ୍ୟ ପ୍ରିୟା ଗୁରୁତ୍ବ ଦେଇଥିଲେ। ଏ ସମ୍ପର୍କରେ ସେ ଆମିକସ୍‌ କ୍ୟୁରିଙ୍କୁ ରିପୋର୍ଟ ଦେବେ ବୋଲି ପ୍ରିୟା ହିଙ୍ଗରାନୀ କହିଥିଲେ।

ସମ୍ବନ୍ଧିତ ଖବର