ନବୀନ ସରକାରକୁ ଉପାଡ଼ି ଫିଙ୍ଗ: ଶାହ

ବିଜେପିର ଆଦିବାସୀ ରାଷ୍ଟ୍ରୀୟ ସମାବେଶ

ପୁରୀ : ୨୦୧୯ ସାଧାରଣ ନିର୍ବାଚନ ବୈତରଣୀ ପାର୍‌ ଲକ୍ଷ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଆଦିବାସୀ ଗୋଟି ଚାଳନା କରିଛନ୍ତି। ଆଦିବାସୀଙ୍କ ବିକାଶ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। କହିଛନ୍ତି, ଓଡ଼ିଶାରେ ବିଜେଡି କଂଗ୍ରେସର ‘ବି’ ଟିମ୍ ଭାବେ କାମ କରୁଛି। କେବଳ ସେତିକି ନୁହେଁ, ଓଡ଼ିଶାକୁ ଦିଆଯାଇଥିବା କେନ୍ଦ୍ରୀୟ ସହାୟତାର ହିସାବ ରଖିବା ସହ ଏହାର ଖର୍ଚ୍ଚ ହିସାବ ବି ମାଗିଛନ୍ତି।

ପୁରୀ ତାଳବଣିଆଠାରେ ଆୟୋଜିତ ବିଜେପିର ଜବାବ ମାଗୁଛି ଆଦିବାସୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଥିଲେ, ବାଜପେୟୀଙ୍କ ସମୟରୁ ବିଜେପି ସରକାର ଆଦିବାସୀଙ୍କୁ ଅଗ୍ରାଧିକାର ଦେଇଆସୁଛି। ବିଜେପିରେ ଅନୁସୂଚିତ ଜନଜାତିର ସର୍ବାଧିକ ୩୨ ଜଣ ସାଂସଦ ରହିବା ଏହାର ଉଦାହରଣ। ହେଲେ ଓଡ଼ିଶାରେ ଆଦିବାସୀ ସଂପ୍ରଦାୟ

ଘୋର ଅବହେଳିତ। ଖାଲି ଆଦିବାସୀ ନୁହନ୍ତି, ଓଡ଼ିଶାର ବିକାଶ ବି ଏକପ୍ରକାର ଠପ୍ ହୋଇଯାଇଛି। ବିଜେଡି ସରକାରକୁ ପୋଡ଼ା ଟ୍ରାନ୍ସଫର୍ମର କହି ଏହାକୁ କାଢ଼ି ଫିଙ୍ଗିଦେବାକୁ ଶାହ କହିଥିଲେ। କଂଗ୍ରେସ ଶାସନ ସମୟରେ କେନ୍ଦ୍ର ୩୦ ହଜାର ୭୦୦ କୋଟି ଟଙ୍କାର ଆଦିବାସୀ କଲ୍ୟାଣ ପାଣ୍ଠି ଘୋଷଣା କରିଥିଲା। ବିଜେପି ସରକାର ଏହାକୁ ୫୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରିଛି। କେନ୍ଦ୍ର ସରକାରଙ୍କ ୩୨୯ କୋଟି ଟଙ୍କାର ଛାତ୍ରବୃତ୍ତି ସହାୟତା ରାଶି ସହ ଆଦିବାସୀ ଛାତ୍ରାବାସ ପ୍ରସଙ୍ଗ ବି ଶାହ ଉଠାଇଥିଲେ। ମୋଦୀ ସରକାର ପ୍ରଥମ ଥର ପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍) ଘୋଷଣା କରିଛନ୍ତି। ଏହାଦ୍ବାରା ୯ ହଜାର କୋଟି ଟଙ୍କା ଆଦିବାସୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ। ଆଦିବାସୀ, ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ବିଜେପି ସରକାର ସ୍ବତନ୍ତ୍ର ମନ୍ତ୍ରଣାଳୟ ଖୋଲିଛି ବୋଲି ସେ କହିଥିଲେ।

ବିଜେପି ସରକାର ୫ ବର୍ଷର ଶାସନ କାଳରେ ଓଡ଼ିଶାକୁ ୫ ଲକ୍ଷ ୧୩ ହଜାର ୨୫୫ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦେଇଛି। ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ପକ୍ଷରୁ ୧ ଲକ୍ଷ ୩୭ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଉଜ୍ଜ୍ବଳା ଯୋଜନାଠାରୁ ଆରମ୍ଭ କରି ୧୨୯ ପ୍ରକାର ଜନକଲ୍ୟାଣ ଯୋଜନା ରାଜ୍ୟରେ କାର୍ଯ୍ୟ କରୁଛି। କିନ୍ତୁ ନବୀନ ସରକାର ଏହାର ବାଟ ଓଗାଳୁଛନ୍ତି। ଆର୍ଥିକ ଅନୁଦାନର ସୁବିନିଯୋଗ ହୋଇପାରୁନି। ନବୀନ ସରକାରଙ୍କୁ ଭୟ ଘାରୁଛି, କାଳେ ଏହାଦ୍ବାରା ମୋଦୀ ସରକାରଙ୍କୁ ଲୋକେ ଆଦରି ନେବେ। ଏହି ଅବସରରେ ସେ ବିଗତ ୫ ବର୍ଷରେ ମିଳିଥିବା ଅନୁଦାନର ଖର୍ଚ୍ଚ ହିସାବ ମାଗିଥିଲେ। ଶିକ୍ଷା, ସ୍ବାସ୍ଥ୍ୟ ସବୁଥିରେ ଓଡ଼ିଶା ପଛରେ ପଡ଼ିଥିବାବେଳେ ଏଥିରେ ପରିବର୍ତନ ପାଇଁ ୨୦୧୯ ନିର୍ବାଚନରେ ବିଜେପିକୁ ସୁଯୋଗ ଦେବାକୁ ଶାହ ଅନୁରୋଧ କରିଥିଲେ। ଆଜିର ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର ନେତମ୍‌, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଅର୍ଜୁନ ମୁଣ୍ଡା, ପ୍ରହଲ୍ଲାଦ ଦୋରା, ମୋହନ ମାଝି, ବିଜେପି ନେତା କେ.ଭି. ସିଂହଦେଓ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧାରୀ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର