ଆଞ୍ଚଳିକ କାର୍ଡ ଖେଳିଲେ ଶାହ : ୧୯ ବର୍ଷର ବିଜେଡି ସରକାରକୁ ଉପାଡ଼ି ଫିଙ୍ଗିଦିଅ

ପାରଳା‌େଖମୁଣ୍ଡିରେ ବେକାର, ଉମରକୋଟରେ ବଙ୍ଗୀୟ ଶରଣାର୍ଥୀ ପ୍ରସଙ୍ଗ ଉଠାଇଲେ

ପାରଳାଖେମୁଣ୍ଡି/ନବରଙ୍ଗପୁର/ଉମରକୋଟ : ବେକାର ହେଉ କି ବଙ୍ଗୀୟ ଭୋଟରଙ୍କ ନାଗରିକତା- ଏହିସବୁ ପ୍ରସଙ୍ଗ ଉତ୍‌ଥାପନ କରି ଆଞ୍ଚଳିକ କାର୍ଡ ଖେଳିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ସିଧାସଳଖ ଟାର୍ଗେଟ୍‌ କରି ୧୯ ବର୍ଷର ବିଜେଡି ସରକାରକୁ ଉପାଡ଼ି ଫିଙ୍ଗିଦେବାକୁ ଆହ୍ବାନ ଦେବା ସହିତ ମୋଦୀ ସରକାରଙ୍କ ସପକ୍ଷରେ ଭୋଟ୍‌ ଦେବା ପାଇଁ ଆହ୍ବାନ ଦେଇଛନ୍ତି।

ବିଜେପି ସଭାପତି ଶ୍ରୀ ଶାହ ଆଜି ଓଡ଼ିଶା ଗସ୍ତରେ ଆସି ୨ଟି ନିର୍ବାଚନୀ ସଭାରେ ଯୋଗଦେଇଥିଲେ। ପ୍ରଥମେ ସେ ଗଜପତି ଜିଲା କାଶୀନଗର ବ୍ଲକର ସିଦ୍ଧମଡ଼ଙ୍ଗଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇଥିଲେ। ଏହି ସଭାରେ ସେ ବେକାରୀ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ୧୯ ବର୍ଷ ଶାସନ କଲେଣି, ଓଡ଼ିଶାର ବିକାଶ ପାଇଁ କିଛି କରିନାହାନ୍ତି। ଓଡ଼ିଶାର ହଜାର ହଜାର ଯୁବକ କାହିଁକି ଘରଛାଡ଼ି ସୁରଟ ଯାଉଛି ବୋଲି ସେ ପ୍ରଶ୍ନ କରି କହିଥିଲେ, ବିଜେପି ଆସିଲେ ଓଡ଼ିଶା ଯୁବକଙ୍କୁ ରାଜ୍ୟ ଛାଡ଼ି ଯିବାକୁ ପଡ଼ିବନି ବୋଲି କହିଥିଲେ।

ନବୀନ ସରକାରରେ ପ୍ରତି କାମରେ କମିଶନ ନେବା ଚାଲିଛି। ଏମିତି କି ମହାପ୍ରଭୁଙ୍କ ରତ୍ନଭଣ୍ଡାର ବି ଛାଡ଼ିନାହାନ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ହେଉଛି ଓଡ଼ିଶାର ସମ୍ପତ୍ତି, ଓଡ଼ିଶାର ଲକ୍ଷ୍ମୀ। କିନ୍ତୁ ତାହାର ହିସାବ ସରକାରଙ୍କ ପାଖରେ ନାହିଁ। ଏମିତି ଏକ ସରକାରକୁ ଉପାଡ଼ି ଫିଙ୍ଗିଦେବାକୁ ଶ୍ରୀ ଶାହ ଆହ୍ବାନ ଦେଇଥିଲେ। ଏଥିସହିତ, ଆହୁରି ମଧ୍ୟ ସମାଲୋଚନା କରି କହିଥିଲେ ଯେ, ୧୯ ବର୍ଷ ଧରି ଶାସନ କରି ମଧ୍ୟ ନବୀନ ଓଡ଼ିଆ କହୁନାହାନ୍ତି। ଏମିତି ଏକ ସରକାର ବାଛ ଯିଏ କି ଲୋକମାନଙ୍କ କଥା ବୁଝିପାରିବେ ଓ ଦୁଃଖ ବୁଝିପାରିବେ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ସରକାର ଆସିଲେ ମହାରାଜାଙ୍କ ଏକ ସ୍ମାରକୀ ନିର୍ମାଣ କରି ପାରଳାଖେମୁଣ୍ଡିକୁ ଏକ ସ୍ମାର୍ଟ ସହରରେ ପରିଣତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସର୍ବଦା ମହାନଦୀକୁ ନେଇ ରାଜ୍ୟ ସରକାର ହୀନ ଅଭିଯୋଗ କରୁଥିବାବେଳେ ଓଡ଼ିଶାର ଉପର ମୁଣ୍ଡରେ ଥିବା ବ˚ଶଧାରା ଏବ˚ ମହେନ୍ଦ୍ରତନୟା ନଦୀର ପାଣି ଉପଯୋଗ କରିପାରୁ ନଥିବାରୁ ଆନ୍ଧ୍ର ଏକଚାଟିଆ ଜଳ ବିନିଯୋଗ କରୁଛି ବୋଲି ସେ ଆକ୍ଷେପ କରିଥିଲେ।

ସିଦ୍ଧମଡ଼ଙ୍ଗଠାରେ ଆୟୋଜିତ ନିର୍ବାଚନୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ, ବ୍ରହ୍ମପୁର ଲୋକସଭା ଆସନର ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ, ପାରଳା ବିଧାନସଭାର ବିଜେପି ପ୍ରାର୍ଥୀ କେ. ନାରାୟଣ ରାଓ, ମୋହନା ବିଧାନସଭାର ବିଜେପି ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ, ପୂର୍ବତନ ମୋହନା ବିଧାୟିକା ବାସନ୍ତୀ ମଲ୍ଲୀକ, କାଶିନଗର ବ୍ଲକ ଅଧୢକ୍ଷ କେ. ସିମାଦ୍ରୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା ବିଜେପିରେ ମିଶିଥିବା ବେଳେ ଶ୍ରୀ ଶାହା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ବିଜେପି ସଭାପତି ଜି. ଭେଙ୍କଟ ରାବଣା, ଜିଲ୍ଲା ପରିଷଦ ଅଧୢକ୍ଷା ଅନିତା ବେହେରା, ବିଜେପି ନେତା ସିଦ୍ଧେଶ୍ବର ମିଶ୍ର, ପି. କ୍ରୀଷ୍ଣା ପ୍ରମୁଖ ପରିଚାଳନା କରିଥିଲେ।

ଏହାପରେ ନବରଙ୍ଗପୁରର ଉମରକୋଟ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଶ୍ରୀ ଶାହ ବଙ୍ଗୀୟ ଭୋଟରଙ୍କ ପାଇଁ ନାଗରିକତା କାର୍ଡ ଖେଳିଥିଲେ। ସ୍ଥାନୀୟ ପ୍ରସଙ୍ଗକୁ ବି ଗୁରୁତ୍ବ ଦେଇ ବଙ୍ଗୀୟ ଭାଷାଭ‌ାଷୀ ଭୋଟରଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଥିଲେ। କହିଥିଲେ ଯେ, ବାଲାଂଦେଶୀଙ୍କ ସହ ହିନ୍ଦୁ ଓ ଜୈନ ଭାରତକୁ ଆସି ଶରାଣାର୍ଥୀ ଭାବେ ରହୁଛନ୍ତି। ସେମାନଙ୍କ ସମସ୍ୟାକୁ ମୋଦୀ ସରକାର ବେଶ୍ ଭଲ ଭାବେ ଅବଗତ ଅଛନ୍ତି।

ଶ୍ରୀ ଶାହ ଆହୁରି ମଧ୍ୟ କେତେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ କେନ୍ଦ୍ର ସରକାରଙ୍କ ସଫଳତାର ଚିତ୍ର ଦେଇଥିଲେ। ଅନ୍ୟପଟେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ୍‌ କରିିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବରଙ୍ଗପୁର ଜିଲ୍ଲାକୁ ଦେଶର ୧୧୫ ତମ ଆକାଂକ୍ଷା ଜିଲ୍ଲାରେ ସାମିଲ କରାଯାଇଛି। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନିଜେ ତଦାରଖ କରୁଛନ୍ତି ବୋଲି କହିଥିଲେ।

ଏହି ଅବସରରେ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ, ଉମରକୋଟ ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ପ୍ରାର୍ଥୀ ପର୍ଶୁରାମ ମାଝୀ ଓ ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ ଗୌରୀ ମାଝୀଙ୍କୁ ଭୋଟ ଦେଇ ଜିତାଇବା ପାଇଁ ଶ୍ରୀ ଶାହ ଭୋଟରଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର