ଅମିତ ଶାହାଙ୍କ ପ୍ରଂଶସା ତାଲିକାରୁ ବାଦ ପଡିଲେ ବୈଜୟନ୍ତ, ରାଜ୍ୟରେ ବିଜେପିର ସ୍ଥିତି ଦୃଢ ପାଇଁ ଦେଲେ ୪ ନେତାଙ୍କୁ ଶ୍ରେୟ

ଭୁବନେଶ୍ୱର : ବୈଜୟନ୍ତ ବିଜେପି ଶିବିରରେ ଏଣ୍ଟ୍ରି କରିବା ପରେ ବେଶ ଆକ୍ଟିଭ ରହିଛନ୍ତି । ଦଳର ପ୍ରତ୍ୟେକ କାର୍ଯ୍ୟକ୍ରମରେ ବୈଜୟନ୍ତ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କାର୍ଯ୍ୟକ୍ରମରେ ବୈଜୟନ୍ତଙ୍କୁ ମଞ୍ଚର ପ୍ରଥମ ଧାଡିରେ ମଧ୍ୟ ଦେଖିବାକୁ ମିଳୁଛି । ରାଜ୍ୟରେ ଗେରୁଆ ବାନା ଉଡାଇବାକୁ ଏବେ ବୈଜୟନ୍ତ ଜି ଜାନ ଲଗାଇ ଦେଇଛନ୍ତି । ଅଭିମାନ କରି ଦଳ ଛାଡିଥିବା ବିଜୟ ମହାପାତ୍ରଙ୍କ ଘରବାହୁଡା ପଛରେ ବୈଜୟନ୍ତ ହିଁ ମୁଖ୍ୟ କାର୍ପଟଦାର ଥିଲେ ବୋଲି ଚର୍ଚ୍ଚା ହୋଇଥିଲା । ବିଜେପିର ଭୁଷୁଡି ପଡିଥିବା ସଙ୍ଗଠନକୁ ବଳ ଯୋଗାଇବା ପାଇଁ ବୈଜୟନ୍ତ ମଧ୍ୟ ଦିନ ରାତି ଏକ କରି ଦେଇଛନ୍ତି । ପ୍ରତ୍ୟେକ ଦିନ ନେତାଙ୍କ ମିଶ୍ରଣ ଠାରୁ ଆରମ୍ଭ କରି ନବୀନଙ୍କୁ ଜୋରଦାର ଟାର୍ଗେଟ କରିବା କେଉଁଥିରେ ପଛଘୁଞ୍ଚା ଦେଉନାହାନ୍ତି ବୈଜୟନ୍ତ ।

କିନ୍ତୁ ବୈଜୟନ୍ତଙ୍କ ଏହି ପରିଶ୍ରମ ବୃଥା ଯିବା ଭଳି ଲାଗୁଛି । କାରଣ ଯେଉଁଭଳି ଭାବେ ବୈଜୟନ୍ତ ରାଜ୍ୟକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିବାକୁ ଅଣ୍ଟା ଭିଡିଛନ୍ତି ସେହି ହିସାବରେ ତାଙ୍କୁ ଦଳୀୟ ଶିବିରରୁ ଶ୍ରେୟ ମିଳିନାହିଁ । ଏପରିକି ଖୋଦ୍ ଦଳର ମୁଖିଆ ମଧ୍ୟ ବୈଜୟନ୍ତଙ୍କୁ ସେତେଟୋ ଗୁରୁତ୍ୱ ଦେଇନାହାନ୍ତି । ଯାହାର ଝଲକ ବିଜେପିର ପ୍ରତିଶୃତିପତ୍ର ଘୋଷଣା ଦିନ ଦେଖିବାକୁ ମିଳିଥିଲା ।

ରାଜ୍ୟରେ ବିଜେପି ବଢିଆ କାମ କରୁଛି । ଏପରିକି ଗତ କିଛି ଦିନ ହେବ ଦଳ ସଙ୍ଗଠିତ ହୋଇ ଲଢିବାକୁ ମୈଦାନକୁ ଓହ୍ଲାଇଛି । ଆଉ ଏଭଳି କହିବା ସହ ବିଜେପିର ୪ ପୁରୁଖା ନେତାଙ୍କୁ ସମସ୍ତ ଶ୍ରେୟ ଦେଇଥିଲେ ଅମିତ । ଯେଉଁଥିରେ ବୈଜୟନ୍ତଙ୍କର ନାଁ ନଥିଲା । ଧର୍ମେନ୍ଦ୍ର, ଜୁଏଲ, ବସନ୍ତ ଓ କନକ ବର୍ଦ୍ଧନଙ୍କ ଟିମ୍ ରାଜ୍ୟରେ ବିଜେପିକୁ ଶକ୍ତିଶାଳୀ କରିବା ପଛର ନାୟକ ବୋଲି ବୋଲି ଅମିତ କହିଥିଲେ । କିନ୍ତୁ ପାଖରେ ବସିଥିବା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତଙ୍କ ପରିଶ୍ରମ ଅମିତଙ୍କ ଆଖିରେ ମୂଲ୍ୟହୀନ ହୋଇ ପଡିଥିଲା ।

ଗୋଟିଏ ପଟେ ବୈଜୟନ୍ତଙ୍କ ରାଜନୈତିକ ଉଚ୍ଚାଭିଳାଷର କଥା କହି ନବୀନ ଷଣ୍ଢୁଆସୀ ଆକ୍ରମଣ କରୁଥିବା ବେଳେ ବିଜେପି ଦଳ ପାଇଁ ତାଙ୍କ ପରିଶ୍ରମକୁ ଅମିତ ସାମାନ୍ୟ ସ୍ୱୀକୃତି ଦେବାକୁ କୁଣ୍ଠାବୋଧ କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବୈଜୟନ୍ତଙ୍କ ନାଁ ଅମିତ ଭୁଲିଗଲେ ନା ଜାଣିଶୁଣି ନେଇ ନଥିଲେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଧର୍ମେନ୍ଦ୍ର ଥାଉ ଥାଉ ନୂଆ କରି ଦଳକୁ ଆସିଥିବା ବୈଜୟନ୍ତଙ୍କୁ ଏତେ ବଡ ଶ୍ରେୟ ଦେବା ଠିକ୍ ବୋଲି ବୋଧହୁଏ ଭାବିନଥିଲେ ଅମିତ । କେବଳ ବୈଜୟନ୍ତ ନୁହେଁ ବିଜୟ ମଧ୍ୟ ଅମିତଙ୍କ ପ୍ରଂଶସା ତାଲିକାରୁ ବାଦ ପଡିଥିଲେ।

ସମ୍ବନ୍ଧିତ ଖବର