୨୮ରେ ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ : ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ସିଏଏ ସମର୍ଥନ ସଭାରେ ଯୋଗଦେବେ ଶାହ

୨୯ରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯିବେ

ଭୁବନେଶ୍ବର : ଆସନ୍ତା ୨୮ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେଦିନ ଅପରାହ୍ନରେ ଶ୍ରୀ ଶାହ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ‘ନାଗରିକତା ସଂଶୋଧନ ଆଇନ’ ସମର୍ଥନରେ ଏକ ବିଶାଳ ଜନସଭାକୁ ଉଦ୍‌ବୋଧନ କରିବେ। ଭୁବନେଶ୍ବରରେ ରାତ୍ରିଯାପନ କରିବେ। ୨୯ ତାରିଖ ଦିନ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ଓ ପରେ ଭୁବନେଶ୍ବର ଫେରି ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ।

କେନ୍ଦ୍ର ଗୃହ ମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମ ସଂପର୍କରେ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଥିଲେ ଯେ ସଂସଦର ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ଆଇନ ବିଲ୍ ପାରିତ ହେବା ପରେ ଜାନୁଆରୀ ୫ ତାରିଖରୁ ଦେଶବ୍ୟାପୀ ଏହି ଆଇନ ସଂପର୍କରେ ସଚେତନ କାର୍ଯ୍ୟକ୍ରମ ଜାରି ରହିଛି। କଟକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବ୍ରହ୍ମପୁରଠାରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ସମ୍ବଲପୁରଠାରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏବଂ ଜୟପୁରଠାରେ ସାଂସଦ ରୁପା ଗାଙ୍ଗୁଲି ଯୋଗଦାନ କରି ଏହି ଆଇନ ସଂପର୍କରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ଏହା ବ୍ୟତୀତ ପ୍ରତ୍ୟେକ ଜିଲ୍ଲାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନତା ରାଲି ଏବଂ ବିଶାଳ କାର୍ଯ୍ୟକ୍ରମ କରାଯାଇଥିଲା।

ବିଜେପି କାର୍ଯ୍ୟକର୍ତାମାନେ ପ୍ରତ୍ୟେକ ସାଙ୍ଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ, ପଦଯାତ୍ରା ସହ ଘରକୁ ଘର ଯାଇ ସିଏଏ ସଂପର୍କିତ ତଥ୍ୟ ପ୍ରଦାନ କରି ସାଧାରଣ ଲୋକଙ୍କୁ ସଚେତନ କରିଥିଲେ। ରାଜ୍ୟର ୧୦୦୪ ମଣ୍ଡଳର ୩୭୦୦୦ ବୁଥରୁ କାର୍ଯ୍ୟକର୍ତାମାନେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ପୋଷ୍ଟକାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପରିପେକ୍ଷୀରେ ଆସନ୍ତା ୨୮ ତାରିଖ ଦିନ ଭୁବନେଶ୍ୱରଠାରେ ବିଶାଳ ଜନସଭା ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତି ସୁଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

୨୮ ତାରିଖ ଦିନ ଲୋକସେବା ଭବନରେ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ କାଉନ୍‌ସିଲ ବୈଠକରେ ଗୃହ ମନ୍ତ୍ରୀ ଶ୍ରୀ ଶାହ ସଭାପତିତ୍ବ କରିବେ। ଏଥିରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର