ଅଁଳା ନବମୀ ଦର୍ଶନ : ଦୁଇ ସମନ୍ବୟ ବୈଠକ ପରେ ଜାରି ହେଲା ନିର୍ଦ୍ଦେଶନାମା

ପଶ୍ଚିମ ଦ୍ବାରରେ ପ୍ରବେଶ କରି ଉତ୍ତର ଦ୍ବାରରେ ପ୍ରସ୍ଥାନ କରିବେ ଭିଆଇପି

ଭୁବନେଶ୍ବର/ପୁରୀ : ଅଁଳା ନବମୀକୁ ଆଉ ୨ ଦିନ ବାକି। ଏହାକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ଦୁଇଟି ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ସମନ୍ବୟ ବୈଠକର ନିଷ୍ପତ୍ତିକୁ ଆଧାର କରି ଆଜି ଦେବୋତ୍ତର କମିସନର ବିରଜା ପ୍ରସାଦ ଦତ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ଦେବୋତ୍ତର ନିର୍ବାହୀ ଅଧିକାରୀ ଏହା ପାଳନ ହେଉଛି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶନାମା ପାଳନ ନ ହେଲେ ଏହାକୁ ଗୁରୁତର ସହ ନିଆଯିବ ବୋଲି କମିସନର ତାଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି।

ନିର୍ଦ୍ଦେଶ ମୁତାବକ, କାର୍ତ୍ତିକ ଶୁକ୍ଳପକ୍ଷ ନବମୀ ପବିତ୍ର ତିଥି ତଥା ୧୭ ତାରିଖ ଦିନ ସତ୍ୟବାଦୀ ଶ୍ରୀ ଗୋପୀନାଥ ଦେବ ମନ୍ଦିରରେ ପ୍ରସିଦ୍ଧ ଅଁଳା ନବମୀ ପାଳିତ ହେବ। ନୀତିକାନ୍ତି ଯଥାସମ୍ଭବ ଶେଷ କଲେ ସେବାୟତ ତଥା ତାଙ୍କ ପରିବାରବର୍ଗଙ୍କ ଦର୍ଶନ ସକାଳ ୫ଟାରୁ ଆରମ୍ଭ ହୋଇ ୬ଟା ସୁଦ୍ଧା ଶେଷ ହେବ। ଏହା ପରେ ଅର୍ଥାତ୍‌ ୬ଟାରୁ ସାଧାରଣ ଦର୍ଶନ ଆରମ୍ଭ ହେବ। ଗର୍ଭଗୃହରେ ସାଧାରଣ ଭକ୍ତ ପ୍ରବେଶ କରି‌ବେ। ରାଧାରାଣୀଙ୍କ ପାଦ ଠାରୁ ତିନିଫୁଟ ଦୂରରେ ହୋଇଥିବା କାଠ ବାରିକେଡ୍‌ ପାଖରେ ଛିଡ଼ା ହୋଇ ଦର୍ଶନ କରିବେ। କୌଣସି ଭକ୍ତ ରାଧାପାଦ ସ୍ପର୍ଶ କରିବେ ନାହିଁ। ଯଥେଷ୍ଟ ପୁଲିସ୍‌ ସହ ଧାଡ଼ି ବ୍ୟବସ୍ଥା କରି ପ୍ରଶାସନ ଏହା ନିଶ୍ଚିତ କରିବ। ସିସିଟିଭି କ୍ୟାମେରା ପୂର୍ବ ନିଷ୍ପତ୍ତି ମୁତାବକ ସ୍ଥାପନ ହେବ। ୪ଟି ହୁଣ୍ଡି ବିଭିନ୍ନ ସ୍ଥାନରେ ସ୍ଥାପନ ହେବ। କୌଣସି ପ୍ରକାରର ପାସ୍‌ ଇସ୍ୟୁ ହେବ ନାହିଁ। କେବଳ ପାଳି ଖଟିବା ପାଇଁ ସେବାୟତମାନଙ୍କୁ ଓ କର୍ମଚାରୀଙ୍କୁ ଡ୍ୟୁଟି କରିବା ପାଇଁ ଦେବୋତ୍ତର କମିସନ ପାସ୍‌ ଇସ୍ୟୁ କରିବେ। ଭିଆଇପି ପାସ୍‌ ବ୍ୟବସ୍ଥା ହେବ ନାହିଁ।

ଭିଆଇପିମାନେ ପଶ୍ଚିମ ଦ୍ବାରରେ ପ୍ରବେଶ କରି ଉତ୍ତର ଦ୍ବାରରେ ପ୍ରସ୍ଥାନ କରିବେ। ଏହି ରାସ୍ତା ଦେଇ ଯେଭଳି ସାଧାରଣ ଭକ୍ତ ପ୍ରବେଶ ନ କରନ୍ତି ସେ ନେଇ ସେଠାରେ ଡ୍ୟୁଟି କରୁଥିବା ଅଫିସର ଦାୟୀ ରହିବେ। ଦିବ୍ୟାଙ୍ଗଙ୍କୁ ସ୍ବତନ୍ତ୍ର ଦର୍ଶନ କରାଇବା ପାଇଁ ପୁରୀ ଏସ୍‌ପି ବ୍ୟବସ୍ଥା କରିବେ। ମନ୍ଦିର ପରିସରରେ କୌଣସି ପ୍ରକାର ଦୋକାନ ଖୋଲାଯିବ ନାହିଁ। ଦୋକାନ ଥିଲେ ପ୍ରଶାସନ ଏହାକୁ ଯଥେଷ୍ଟ ସମୟ ପୂର୍ବରୁ ଉଚ୍ଛେଦ କରିବ। ୧୬ ତାରିଖ ରାତି ୧୦ଟା ସୁଦ୍ଧା ମନ୍ଦିର ଭିତରେ ଯେଭଳି କେହି ରହିବେ ନାହିଁ ତାହା ପୁଲିସ ନିଶ୍ଚିତ କରିବ। ଗତ ବର୍ଷ ୧୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବା ସତ୍ତ୍ବେ ବିଶୃଙ୍ଖଳା ହୋଇଥିଲା। ପ୍ରତିବର୍ଷ ଭକ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏଥର ୧୬ ପ୍ଲାଟୁନ୍‌ ଫୋର୍ସ ମୁତୟନ କରିବା ପାଇଁ ନିର୍ଦ୍ଦେଶ ହୋଇଛି।

ସମ୍ବନ୍ଧିତ ଖବର