ଅମ୍ଫାନ ବିତ୍ପାତ: ୧୫୦୦ ପଞ୍ଚାୟତରେ ଭୀଷଣ କ୍ଷତି, ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ନବୀନ

କ୍ଷତି ଦେଖି ବିଚଳିତ, ଅଧିକାରୀଙ୍କୁ ନିର୍ଦେଶ, ତିନି ଦିନ ମଧ୍ୟରେ କୃଷି କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ବର: ମାତ୍ର ୧୨ ଘଣ୍ଟା ଭିତରେ ମହାବାତ୍ୟା ଅମ୍ଫାନ୍ ଏଭଳି ବିତ୍ପାତ ରଚିଲା ଯେ ରାଜ୍ୟର ୮୯ଟି ବ୍ଲକ୍‌ ଅଧୀନସ୍ଥ ୧୫୦୦ ଗ୍ରାମପଞ୍ଚାୟତ ଅସ୍ତବ୍ୟସ୍ତ ହୋଇଗଲା। ୬୭୪୫ଟି ଗାଁ ମଧ୍ୟରୁ କେତେକରେ ଗଭୀର ପ୍ରଭାବ ପକାଇଛି, ଆଉ କେତେ ଗ୍ରାମକୁ ଅଳ୍ପ କ୍ଷତି ପହଞ୍ଚାଇଛି। ପାଖାପାଖି ୪୪ ଲକ୍ଷ ୮୦ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ େହାଇଛନ୍ତି ଏହି ବାତ୍ୟାରେ। ୧ ଲକ୍ଷ ହେକ୍ଟର ଜମିରେ ଫସଲ ଉଜାଡ଼ି ଦେଇଯାଇଛି ବାତ୍ୟା। ୪୪ ଲକ୍ଷ ଉପଭୋକ୍ତାଙ୍କର ବିଜୁଳି ସଂଯୋଗ କଟିଯାଇଥିଲା। ବାତ୍ୟାର ଏଭଳି ଭୀଷଣ କ୍ଷତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଚଳିତ କରିଛି। ଆଜି ହେଲିକପ୍ଟରରେ ଆକାଶମାର୍ଗରୁ ବାତ୍ୟା କ୍ଷତିର ଚିତ୍ର ଦେଖିବା ପରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିର୍ଦେଶ ଦେଇଛନ୍ତି, ତିନି ଦିନ ଭିତରେ କୃଷି କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ ହେବା ଦରକାର। ସପ୍ତାହେ ମଧ୍ୟରେ ଘର ଭଙ୍ଗା ରିପୋର୍ଟ ପ୍ରସ୍ତୁତ କର। ୨୪ ଘଣ୍ଟାରେ ସେସୁ ଅଞ୍ଚଳରେ ଓ ୭୨ ଘଣ୍ଟା ମଧ୍ୟରେ େନସ୍କୋ ଅଞ୍ଚଳରେ ବିଦ୍ୟୁତ ସେବାରେ ସୁଧାର ଆସିବା ଉଚିତ୍। ଏଥିପାଇଁ ଯୁଦ୍ଧକାଳୀନ ଭିତରେ ଶକ୍ତିବିଭାଗ କାର୍ଯ୍ୟ କରୁ। କାଲି ସୁଦ୍ଧା ପ୍ରଭାବିତ ଜିଲ୍ଲାମାନଙ୍କରେ ଯୋଗାଯୋଗ ବ୍ୟବସ୍ଥା ଶତ ପ୍ରତିଶତ ସୁଧାର ଆସିବାର ଆବଶ୍ୟକତା ରହିଛି। ଅମ୍ଫାନ୍ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଆଲୋଚନା ବେଳେ ଉଭୟ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ସ୍ବତନ୍ତ୍ର ରିଲିଫ୍ କମିସନର ସତର୍କ କରାଇ ଦେଇଛନ୍ତି ଯେ କୌଣସି ପରିସ୍ଥିତିରେ ରିପୋର୍ଟରେ ଯେଭଳି ଅଣପ୍ରଭାବିତଙ୍କ ନାମ ସ୍ଥାନ ନ ପାଏ। କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଜିଓ ଟ୍ୟାଗିଂ କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।

ସାତ ଦିନ ଭିତରେ ଘରଭଙ୍ଗା ସର୍ଭେ ଶେଷ କର
ଯୋଗାଯୋଗ ଓ ବିଦ୍ୟୁତ ସେବାରେ ସୁଧାର ଆଣ
ବାତ୍ୟାରେ ପ୍ରଭାବିତ ହୋଇଛନ୍ତି ୪୫ ଲକ୍ଷ
୧ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି
୪୪ ଲକ୍ଷ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କଟିଛି

ଏହା ପୂର୍ବରୁ ଆଜି ‘ଅମ୍ଫାନ’ କ୍ଷୟକ୍ଷତି ସମ୍ପର୍କ‌େର କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଥିଲେ। ମୁଖ୍ୟ ଶାସନ ସଚିବ ଜଣାଇଥିଲେ ଯେ ପାଣିପାଗ ବିଭାଗ ଠାରୁ ଠିକ୍ ସମୟରେ ଆଗୁଆ ସୂଚନା ମିଳିଥିବାରୁ ଲୋକମାନଙ୍କୁ ଏସ୍‌ଏମ୍‌ଏସ୍‌, ସ୍ବତନ୍ତ୍ର ପ୍ରଚାର ଗାଡ଼ି, ସାଇରନ୍ ଓ ୪୬ଟି ଟାୱାର୍‌ରୁ ଭଏସ୍‌ ମେସେଜ୍ ଯୋଗେ ସତର୍କ କରାଯାଇଥିଲା। ୧୬ଟି ଏନ୍‌ଡିଆର୍‌ଏଫ୍‌ ଟିମ୍, ୧୫ଟି ଓଡ୍ରାଫ୍ ଟିମ୍, ୨୧୭ ଅଗ୍ନିଶମ ଟିମ୍, ୭୫ ଓଏଫ୍‌ଡିସି ଟିମ୍, ଆପଦ ମିତ୍ର ଓ ଟାସ୍କ ଫୋର୍ସ ଟିମ୍ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା। ୩୨୨୮ ବାତ୍ୟା ଆଶ୍ରୟସ୍ଥଳୀରେ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୨୧୦ ମେଡିକାଲ୍‌ ଟିମ୍ ଓ ୫୪ ଭେଟେରନାରି ଟିମ୍ ପ୍ରଭାବିତ ଅଞ୍ଚଳରେ କାମ ଆରମ୍ଭ କରିଛନ୍ତି। କ୍ଷୟକ୍ଷତି ଆକଳନ ଜାରି ରହିଛି। ଖୁବ୍ ଶୀଘ୍ର ଚୂଡ଼ାନ୍ତ ରିପୋର୍ଟ ଆସିଯିବ। କ୍ୟାବ‌ିନେଟ୍‌ ସଚିବ ‘ଅମ୍ଫାନ’ ମୁକାବିଲା ଠିକ୍ ଭାବେ କରିିଥିବାରୁ ଓଡ଼ିଶାକୁ ପ୍ରଶଂସା କରିଥିଲେ। କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗରୁ ଆବଶ୍ୟକ ସହଯୋଗ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେବା ସହ ଉଭୟ କେନ୍ଦ୍ର ଓ ରାଜ୍ୟର ସଚିବମାନେ ପରସ୍ପର ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଥିଲେ। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଗଣମାଧ୍ୟମକୁ କହିଥିଲେ, ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଦେଲା ପରେ ତର୍ଜମା କରାଯିବ। ଆଉ ଥରେ ବିସ୍ତୁତ ରିପୋର୍ଟ ଦେବା ପାଇଁ କୁହାଯିବ। ଘର, ଚାଷ ଜମି ସମେତ ଅନ୍ୟାନ୍ୟ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବେ। ରିପୋର୍ଟ ଦେବା ପରେ ସହାୟତା ଯୋଗାଇ ଦିଆଯିବ। କ୍ଷୟକ୍ଷତି ରିପୋର୍ଟ ଅନୁଧ୍ୟାନ କରି କେନ୍ଦ୍ର ସହାୟତା ମଗାଯିବ କି ନାହିଁ ତାହା ସ୍ଥିର ହେବ।

ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଥିଲେ, ସେସୁର ୨୬ରୁ ୨୭ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିଲା ବେଳେ ନେସ୍କୋର ୧୬ ଲକ୍ଷ ଓ ସାଉଥ୍‌କୋର ୨ ଲକ୍ଷ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କଟିଯାଇଛି। କାଲି ରାତି ଭିତରେ ସବୁ ଜରୁରୀ ସେବାକୁ ବିଦ୍ୟୁତ ସଂଯୋଗ କରାଯାଇଛି। ୧୫୮ଟି ଗ୍ୟାଙ୍ଗ କାମ କରୁଛନ୍ତି। ଦୁଇ ଦିନ ଭିତରେ ୯୦ରୁ ୯୫ ପ୍ରତିଶତ ଲୋକଙ୍କୁ ସଂଯୋଗ ଦିଆଯିବ। ସାତ ଦିନ ଭିତରେ ସମ୍ପୂର୍ଣ୍ଣ ବିଦ୍ୟୁତ ସଂଯୋଗ କାମ ଶେଷ ହେବ।ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ଓ ପାଣି ସଂଯୋଗ ଦେବାକୁ କାମ ଚାଲିଛି। ଆଜି ସୁଦ୍ଧା ସେସୁ ଅଞ୍ଚଳରେ ୮୦% ଲୋକଙ୍କୁ ବିଜୁଳି ସଂଯୋଗ ଦିଆସରିଛି ବୋଲି ସରକାର ଦାବି କରିଛନ୍ତି। ଦୁଇ ଦିନ ଭିତ‌େର ୯୦ ପ୍ରତିଶତ ଓ ସପ୍ତାହକ ଭିତରେ ଶତ ପ୍ରତିଶତ ଲୋକଙ୍କୁ ବିଜୁଳି ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ସମ୍ବନ୍ଧିତ ଖବର