୧୨ ଘଣ୍ଟା ଡରେଇଲା ଅମ୍ଫାନ, ରାତିରେ ଶୋଇଲେନି ଲୋକେ

ଗାଁଠୁ ସହର ୨୦ ଘଣ୍ଟା ବିଦ୍ୟୁତ୍‌ ସରବରାହ ବନ୍ଦ

ପୁରୀ: ମହାବାତ୍ୟା ଅମ୍ପାନ ପୁରୀ ଜିଲ୍ଲାବାସୀଙ୍କୁ ୧୨ ଘଣ୍ଟାରୁ ଅଧିକ ସମୟ କଲବଲ କରିଥିଲା। ୧୨ ଘଣ୍ଟାରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ଓ ପବନ ଲୋକଙ୍କୁ ଆତଙ୍କିତ କରି ରଖିଥିଲା। ଏଥିରେ ସେ ଭଳି କିଛି କ୍ଷୟକ୍ଷତି ହୋଇନଥିଲେ ବି କିଛି କିଛି ସ୍ଥାନରେ ଗଛପତ୍ର ଭାଙ୍ଗି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଲୋକେ ବିନା ବିଜୁଳିରେ ରାତି କାଟିବା ସହ ୨୦ ଘଣ୍ଟାରୁ ଅଧିକ ସମୟ ଧରି ବିଜୁଳି ସେବାରୁ ବଞ୍ଚିତ ରହିଛନ୍ତି। ସେପଟେ ବର୍ଷା ଓ ପବନ ଉପକୂଳ ଅଞ୍ଚଳରେ ସେତେଟା କ୍ଷୟକ୍ଷତି ଘଟାଇନଥିଲେ ବି ଫନି ପୁନରାବୃତ୍ତି ଆଶଙ୍କାରେ ଲୋକେ ରାତିତମାମ ଅନିଦ୍ରା ରହିଥିଲେ। ମହାବାତ୍ୟା ଅମ୍ପାନ ଯୋଗୁଁ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ କିଛିଟା କ୍ଷୟକ୍ଷତି ହୋଇଛି।

ପୁରୀ ଜିଲ୍ଲାରେ ଗତକାଲି ଅପରାହ୍ଣରୁ ହିଁ ବାତ୍ୟାର ପ୍ରକୋପ ଆରମ୍ଭ ହୋଇଯାଇଥିଲା। ଆକାଶ ମେଘାଛନ୍ନ ରହିବା ସହ ହାଲୁକା ପବନ ବହିଥିଲା। ସଂଧ୍ୟା ବେଳକୁ ଏହାର ତୀବ୍ରତା ବଢ଼ିଥିଲା। ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ବଢ଼ିଥିଲା। କିନ୍ତୁ ରାତିରେ ଏହା ଭୟଙ୍କର ରୂପ ଦେଖାଇଥିଲା। ପବନ ବହୁ ଜୋରରେ ବହିବା ସହ ଲଗାଣ ବର୍ଷା ଜାରି ରହିଥିଲା। ଗତକାଲି ସଂଧ୍ୟାରୁ ଆଜି ସକାଳ ପର୍ଯ୍ୟନ୍ତ ବର୍ଷା ଓ ପବନର ବିତ୍ପାତ ଦେଖିବାକୁ ମିଳିଥିଲା। ସକାଳ ୯ଟା ବେଳକୁ ବର୍ଷା ଓ ପବନର ପ୍ରକୋପ କମିଥିଲା। ମଧ୍ୟାହ୍ନ ବେଳକୁ ପାଗ ପରିବର୍ତ୍ତନ ସହ ପବନ ବି ବନ୍ଦ ହୋଇଯାଇଥିଲା। ପବନକୁ ଦେଖି ବିଦ୍ୟୁତ୍ ବିଭାଗ ସହରମାନଙ୍କରେ ଗତକାଲି ସଂଧ୍ୟାରୁ ବିଜୁଳି କାଟି ଦେଇଥିଲା। କିନ୍ତୁ ଗ୍ରାମାଞ୍ଚଳରେ ଅପରାହ୍ଣରୁ ହିଁ ବିଜୁଳି କାଟି ଦିଆଯାଇଥିଲା। ଆଜି ସକାଳ ୯ଟାରେ ସହରାଞ୍ଚଳରେ ବିଜୁଳି ସରବରାହ ସ୍ବାଭାବିକ ହୋଇଥିଲା। କିନ୍ତୁ ଗ୍ରାମାଞ୍ଚଳରେ ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ବିଜୁଳି ସରବରାହ ସ୍ବାଭାବିକ ହୋଇଥିଲା। ସେପଟେ ପୁରୀ ସଦର ବ୍ଲକ୍ ସମେତ ଅନ୍ୟ କିଛି କିଛି ଅଞ୍ଚଳରେ ଗଛପତ୍ର ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। କିଛି କିଛି ସ୍ଥାନରେ ମାଟି ଘର ପ୍ରଭାବିତ ହୋଇଛି। କିନ୍ତୁ ଯେଉଁ ଭଳି କ୍ଷୟକ୍ଷତି ଆଶା କରାଯାଉଥିଲା, ସେଭଳି କିଛି ଘଟିନି। ଜନଜୀବନ ସୁରକ୍ଷିତ ରହିଛି। ଅନ୍ୟପକ୍ଷରେ ‘ଅମ୍ଫାନ’ ପ୍ରଭାବରେ ଅସ୍ତରଙ୍ଗ ଓ କୋଣାର୍କରେ କଚ୍ଚାଘର ଭାଙ୍ଗିବା ସହ କିଛି ଗଛ ଉପୁଡ଼ି ପଡ଼ିଥିବା ଦେଖାଯାଇଛି। ପବନ ମାଡ଼ରେ ପୁଣି ଥରେ ଅସ୍ତରଙ୍ଗରେ ପାନବରଜ ମାଟିରେ ମିଶିବା ସହ ପାନ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର