ଅମୃତ ଯୋଜନା କାର୍ଯ୍ୟକାରୀରେ ଓଡ଼ିଶା ଦେଶରେ ଦ୍ୱିତୀୟ

ଭୁବନେଶ୍ୱର: ଅମୃତ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ନାସନାଲ୍‌ ରେଟିଂ ଫ୍ରେମ୍‌ ଓ୍ଵାର୍କରେ ଓଡ଼ିଶା ୫୩.୧୯% ମାର୍କ ରଖି ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆନ୍ଧ୍ରପ୍ରଦେଶ ୫୪.୧୧% ମାର୍କ ରଖି ପ୍ରଥମ ସ୍ଥାନରେ ରହିଛି। ଓଡ଼ିଶାର ଏହି ସଫଳତା ପାଇଁ ଗତ ତିନିଟି ଆର୍ଥିକ ବର୍ଷରେ ଓଡ଼ିଶାକୁ ୪୧.୬୬କୋଟି ଟଙ୍କା ପ୍ରୋତ୍ସାହନ ରାଶି ମଧ୍ୟ ମିଳିଛି।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ଜଣାପଡ଼ିଛି ଯେ, ସାରା ଦେଶରେ ଅମୃତ ସହରରେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟକୁ ଆଧାର କରି ଓଡ଼ିଶାକୁ ଏହି ର‍୍ୟାଙ୍କ ମିଳିଛି। ରାଜ୍ୟର ୯ଟି ସହର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ପୁରୀ, ବାଲେଶ୍ୱର, ଭଦ୍ରକ, ବାରିପଦାରେ ଅମୃତ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏଥିରେ ପ୍ରତ୍ୟେକ ଘରକୁ ପାଇପ୍‌ ପାଣି ଯୋଗାଣ, ସ୍ୱେରେଜ୍‌ ବ୍ୟବସ୍ଥା, ପାର୍କ ଓ ଖେଳପଡ଼ିଆ କାର୍ଯ୍ୟ ହେଉଛି। ୯ଟି ସହରରେ ୧୮୧୦କୋଟି ଟଙ୍କା ବ୍ୟୟରେ ମୋଟ୍‌ ୧୯୨ଟି ପ୍ରକଳ୍ପ ହେଉଥିବାବେଳେ ଏଥିରେ ୧୩୦ଟି ପାଇପ୍‌ ପାଣି ଯୋଗାଣ, ୧୪ଟି ସ୍ୱେରେଜ୍‌ ପ୍ରକଳ୍ପ, ୪୮ଟି ପାର୍କ ନିର୍ମାଣ ହେବ। ଏଥିରୁ ୧୮୭ଟି ପ୍ରକଳ୍ପ ପାଇଁ ଟେଣ୍ଡର ହୋଇଯାଇଥିବାବେଳେ ୪୨ଟି ପ୍ରକଳ୍ପ ଶେଷ ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷର ଆକଳନ ଅନୁଯାୟୀ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ୯୫%, ପୁରୀରେ ୯୪.୧%, ବାଲେଶ୍ୱରରେ ୯୩.୫%, ବାରିପଦାରେ ୯୨.୯%, ସମ୍ବଲପୁରରେ ୯୧.୮%, ରାଉରକେଲାରେ ୯୧.୯% ଏବଂ ଭଦ୍ରକରେ ୯୦.୫% କାର୍ଯ୍ୟ ହୋଇଛି। ଆଜିର ବୈଠକରେ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାର, ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ମିସନ୍‌ ନିର୍ଦ୍ଦେଶକ ପ୍ରେମ୍‌ କୁମାର ଝା ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର