ମାତୃଭାଷା ସମୃଦ୍ଧ ନ ହେଲେ ଗଣତନ୍ତ୍ର ପ୍ରତି ବିପଦ

‘ଜୁଗାର’ର ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ

ବଲାଙ୍ଗୀର : ଗଣତନ୍ତ୍ର ବ୍ୟବସ୍ଥାରେ ବିଭେଦ ସୃଷ୍ଟି କରିବା ସକାଶେ ସମାଜରେ ବହୁ ଧୁରନ୍ଧର ଅଛନ୍ତି। ଏଭଳି ବିଷମ ପରିସ୍ଥିତି ମଧ୍ୟରେ ବି ନିଜ ମାତୃଭାଷାକୁ ବଞ୍ଚାଇବାକୁ ହେବ। ଖାଲି ସେତିକି ନୁହେଁ, ମାତୃଭାଷାକୁ ସମୃଦ୍ଧ କରିବା ପାଇଁ ଏବେଠୁ ସଂକଳ୍ପ ନେବାକୁ ପଡ଼ିବ। କାରଣ ଭାଷା ବିନା ମଣିଷର କିଛି ଅସ୍ତିତ୍ୱ ନାହିଁ। ଭାଷାକୁ ସମୃଦ୍ଧ କରିବା ପ୍ରତି ଲୋକର କର୍ତ୍ତବ୍ୟ। ତେବେ ଅନ୍ୟ ଭାଷାକୁ କଦର୍ଥ କରି ନିଜ ଭାଷାକୁ ସମୃଦ୍ଧ କରି ହେବନି। କୌଣସି ଭାଷା ପାଇଁ ଆନ୍ଦୋଳନ ଅନ୍ୟ ଭାଷା ପ୍ରତି ବିପଦ ନଆଣୁ। କୌଣସି ଭାଷା ବିରୋଧରେ ଲଢ଼େଇ କଲେ ସଫଳତା ମିଳେ ନାହିଁ। ତେବେ ଅନ୍ୟ ଭାଷାକୁ ସମ୍ମାନ ଜଣାଇ ନିଜ ମାତୃଭାଷା ପାଇଁ ଲଢ଼େଇ ଜାରି ରଖିବାକୁ ହେବ ବୋଲି ରବିବାର ସଂଧ୍ୟାରେ ସ୍ଥାନୀୟ ଟାଉନ ହଲ୍‌ଠାରେ ‘ସମ୍ବାଦ-ଜୁଗାର’ର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଏହି ବର୍ଣ୍ଣାଢ଼୍ୟ ସମାରୋହରେ ଅଧ୍ୟକ୍ଷତା କରିଥିଲେ ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଭାଷାର ଗବେଷଣା ଉପରେ ଗୁରୁତ୍ୱାରୋପ କରିଥିଲେ। ମାତୃଭାଷା ଉପରେ ଅନ୍ୟ ଭାଷା ଗୁଡ଼ିକ ପ୍ରଭାବ ବିସ୍ତାର କରୁଛନ୍ତି। ମାତୃଭାଷାର ମର୍ଯ୍ୟାଦା ରକ୍ଷା ପାଇଁ ଲଢ଼େଇ କରିବାକୁ ସେ ଆହ୍ଵାନ ଦେଇଥିଲେ।

ସଭାପତି ଶ୍ରୀ ପଟ୍ଟନାୟକ ଭାଷା-ଭାଷା ଭିତରେ ଚାଲିଥିବା ବିବାଦକୁ ‘ଅବାଞ୍ଛିତ’ ବୋଲି ବିବେଚନା କରିଥିଲେ। ସେ ନିଜ ବକ୍ତବ୍ୟରେ କହିଲେ, ମାତୃଭାଷା ସମୃଦ୍ଧ ନହେଲେ ଗଣତନ୍ତ୍ରର ସମୃଦ୍ଧି ସମ୍ଭବ ନୁହେଁ। ତେଣୁ ପ୍ରାଥମିକ ଶିକ୍ଷାରେ ମାତୃଭାଷାକୁ ବାଧ୍ୟତାମୂଳକ କରାଯିବା ଉଚିତ। ଦେଶାନ୍ତର ରୋକିବାକୁ ହେଲେ ପିଲାଙ୍କୁ ମାତୃଭାଷା ସହ ଯୋଡ଼ିବାକୁ ସେ ଆହ୍ଵାନ ଦେଇଥିଲେ।

ମୁଖ୍ୟବକ୍ତା ଡ. ଶଶାଂକ ଶେଖର ପଣ୍ଡା ଆଧୁନିକ ଯୁଗରେ ପାଠକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ଭାଷା ସାଂସ୍କୃତିକ ଜାଗରଣର ବାର୍ତ୍ତାବହ ହେବା ସାଂଗକୁ ମଣିଷ ସମାଜ ପାଇଁ ଏକ ନୂଆ ଜାଗରଣ ସୃଷ୍ଟି କରିବା ଉଚିତ ବୋଲି ଡ. ପଣ୍ଡା ମତବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥି ପଦ୍ମଶ୍ରୀ ଡ. ହଳଧର ନାଗ ସଂପ୍ରତି ସମାଜିକ ସମସ୍ୟା, ସଭ୍ୟତା ଏବଂ ସଂସ୍କୃତି ଉପରେ ଚିରାଚରିତ ଶୈଳୀରେ କବିତା ପରିବେଷଣ କରିଥିଲେ। ନିଜ ବକ୍ତବ୍ୟରେ ସେ ‘ଜୁଗାର’କୁ ଭାଷା ଆନ୍ଦୋଳନର ଏକ ମେରୁଦଣ୍ଡ ବୋଲି ବିବେଚନା କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲାପାଳ ଆଶିଷ ଠାକରେ ଜଗତୀକରଣ ଦୁନିଆରେ ମାତୃଭାଷା ଉପରେ ପଡ଼ୁଥିବା କୁପ୍ରଭାବ ନେଇ ଚିନ୍ତା ପ୍ରକଟ କରିଥିଲେ। ଭାଷାକୁ ସୁରକ୍ଷିତ ରଖିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଏକ ଅସ୍ତ୍ର ବୋଲି ସେ କହିଥିଲେ।

ଏହି ଅବସରରେ ବରିଷ୍ଠ କ୍ରୀଡ଼ାବିତ ତଥା ଏସିଆଡ୍‌ ପଦକ ବିଜୟିନୀ ପ୍ରଣତି ମିଶ୍ର, ପଦ୍ମଶ୍ରୀ ଡ. ଚତୁର୍ଭୁଜ ମେହେର ଏବଂ ସାହିତ୍ୟ ଗବେଷକ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପୂର୍ବରୁ ‘ସମ୍ବାଦ’ ସମ୍ପାଦକୀୟ ପୃଷ୍ଠା ମୁଖ୍ୟ ରଣଜିତ ଗୁରୁ ‘ଜୁଗାର’ ପୃଷ୍ଠଭୂମି ଉପରେ ବକ୍ତବ୍ୟ ରଖିଥିଲେ। ‘ସମ୍ବାଦ’ ଜୋନ୍‌-୨ ମୁଖ୍ୟ ଅରବିନ୍ଦ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଆନୁଷ୍ଠାନିକ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ‘ସମ୍ବାଦ’ ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ପାର୍ଥ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର