ଆନନ୍ଦ ବଜାରରୁ ତଡ଼ାଖାଇବେ ଅଣସ୍ବୀକୃତ ବିକ୍ରେତା

ଅବଢ଼ା ବିକ୍ରେତା ଓ ସହଯୋଗୀଙ୍କ ପ୍ରସ୍ତୁତ ହେବ ତାଲିକା

ପୁରୀ: ଆନନ୍ଦ ବଜାରରେ ଅବଢ଼ା ବିକ୍ରି ପାଇଁ ସ୍ବୀକୃତିପ୍ରାପ୍ତ ବିକ୍ରେତା ଓ ସହଯୋଗୀଙ୍କ ତାଲିକା ପ୍ରସ୍ତୁତ ହେବ। ଅବଢ଼ା ବିକ୍ରି କରି ଅଣସ୍ବୀକୃତ ବିକ୍ରେତା ଧରାପଡ଼ିଲେ ତଡ଼ା ଖାଇବେ। ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କ୍ରେତାମାନଙ୍କର ଯଦି କିଛି ଅଭିଯୋଗ ଥାଏ ସେମାନେ ଆନନ୍ଦ ବଜାରସ୍ଥିତ ଅଭିଯୋଗ କେନ୍ଦ୍ରରେ ଅଭିଯୋଗ କରିପାରିବେ। ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ଆଜି ଏପରି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଅବଢ଼ା ବିକ୍ରି ପାଇଁ ୪୮ଟି ପିଣ୍ଡି କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ କାର୍ତିକ ପରେ ଅବଢା ଦର ତାଲିକା ଲଗାଯିବାକୁ ସ୍ଥିର ହୋଇଛି। ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅବଢ଼ା କିଣାକୁ ନେଇ ବାରମ୍ବାର ବିଶୃଙ୍ଖଳା ଉପୁଜୁଛି। ଭକ୍ତମାନେ ଶୋଷଣର ଶିକାର ହେଉଥିବା ନେଇ ଅଭିଯୋଗ କରୁଛନ୍ତି। ଧାର୍ଯ୍ୟ ଦରଠାରୁ ତିନିଗୁଣା ଅଧିକ ଦରରେ ଅବଢ଼ା ବିକ୍ରି ହେଉଥିବା ବେଳେ ଭକ୍ତମା‌ନେ ଅନେକ ସମୟରେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ଆନନ୍ଦ ବଜାରର ଏଭଳି ଅବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ସହ ଅବଢ଼ା ଦରଦାମରେ ଲଗାମ କଷିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଜି ସୁଆର ମହାସୁଆର ନିଯୋଗର ବୈଠକ ଡାକିଥିଲା। ବୈଠକରେ ବିସ୍ତୃତ ଆଲୋଚନା ପରେ ଆନନ୍ଦ ବଜାରରେ ୪୮ ପିଣ୍ଡି କରି ସେଠାରେ ଅବଢ଼ା ବିକ୍ରି କରିବାକୁ ନିଷ୍ପତ୍ତି ହୋଇଛି। ତେବେ କିଏ କେଉଁ ପିଣ୍ଡିରେ ବସିବ, ତାର ଦାୟିତ୍ବ ସୁଆର ମହାସୁଆର ନିଯୋଗ ଉପରେ ନ୍ୟସ୍ତ କରାଯାଇଛି। ସୁଆର ମହାସୁଆର ନିଯୋଗ ଦୈନିକ ଏହି ତାଲିକା ଶ୍ରୀମନ୍ଦିର ପ୍ରଶାସନକୁ ଦେବ। ସେହି ଅନୁଯାୟୀ ବିକ୍ରେତାମାନେ ପିଣ୍ଡିରେ ବସି ଅବଢ଼ା ବିକ୍ରି କରିବେ।

ଅବଢ଼ା ବିକ୍ରି ପାଇଁ ତିଆରି ହେବ ପିଣ୍ଡି
ପିଣ୍ଡି ଭାଗବଣ୍ଟାର ତାଲିକା ଦେବ ସୁଆର ମହାସୁଆର ନିଯୋଗ

ଅଧିକାଂଶ ସମୟ ବେଆଇନ୍ ଭାବେ ଅବଢ଼ା ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଏଥିରେ ରୋକ୍ ଲଗାଇବା ପାଇଁ ବିକ୍ରେତା ଓ ସେମାନଙ୍କ ସହଯୋଗୀ ତାଲିକା ପ୍ରସ୍ତୁତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏମାନଙ୍କ ବ୍ୟତୀତ ଅନ୍ୟ କେହି ଅବଢ଼ା ବିକ୍ରି କରୁଥିବା ଦେଖିବାକୁ ମିଳିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। କୋଠ ଭୋଗରେ ଅବଢ଼ା ରୋଷେଇ କରି ଦର ତାଲିକା ଧାର୍ଯ୍ୟ କରିବା ଲାଗି ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ କୋଠ ଭୋଗରେ ଅବଢ଼ା ରୋଷେଇ ପରେ ଦର ତାଲିକା ଧାର୍ଯ୍ୟ ହେବ। ଏହାକୁ କାର୍ତିକ ପରେ ଆନନ୍ଦ ବଜାରରେ ସର୍ବସାଧାରଣଙ୍କ ପାଇଁ ଲଗାଯିବ। ଆନନ୍ଦ ବଜାରରେ କେଉଁ କେଉଁ ସ୍ଥାନରେ ଅଭିଯୋଗ ବାକ୍ସ ଲାଗିବ ତାହା ଉପରେ ଆଲୋଚନା ହୋଇଥିବା ବେଳେ ଏହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ‌ହୋଇଛି। ଅଁଳା ନବମୀ, ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀମନ୍ଦିରରେ ଭିଡ଼ ଲଗାଇବେ। ସେହି ଦୃଷ୍ଟିରୁ ଏହାକୁ କାର୍ତିକ ପରେ ଲାଗୁ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର