ଆନନ୍ଦ ହୋମ୍‌ ପ୍ରୋଜେକ୍ଟ କେଳେଙ୍କାରୀ : ସୁଧ ସହ ମୂଳ ଟଙ୍କା ଫେରାଇବାକୁ ନିର୍ଦେଶ

ଭୁବନେଶ୍ୱର : ସୁଲଭ ମୂଲ୍ୟରେ ଫ୍ଲାଟ୍‌ ଯୋଗାଇ ଦେବା ଆଳରେ ଆନନ୍ଦ ହୋମ୍‌ ପ୍ରୋଜେକ୍ଟ କେଳେଙ୍କାରୀ ମାମଲା‌ ନୂଆ ମୋଡ଼ ନେଇଛି। କୋଟି କୋଟି ଟଙ୍କା ଠକି ନେଇଥିବା ଏହାର ପରିଚାଳନା ନିର୍ଦ୍ଦେଶକ ଜଗଜ୍ଜୀବନ ନାୟକ ଇଓଡବ୍ଲ୍ୟୁ ଦ୍ବାରା ଗିରଫ ହୋଇ ଜେଲ୍‌ ହାଜତ୍‌ରେ ଥିବା ବେଳେ ଓରେରା(ଓଡ଼ିଶା ରିୟଲ ଇଷ୍ଟେଟ୍‌ ରେଗୁଲେସନ ଅଥରିଟି)କୋର୍ଟ ଏହି ମାମଲାର ଶୁଣାଣି କରିଛି। ଜମାକାରୀଙ୍କୁ ସୁଧ ସହ ମୂଳ ଜମା ଅର୍ଥ ଫେରସ୍ତ ଦେବାକୁ ଆଦେଶ ହୋଇଛି।

ସୂଚନା ମୁତାବକ, ଲୋକଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବା ପାଇଁ ବିଭିନ୍ନ ହିତାଧିକାରୀଙ୍କ ଠାରୁ ୨୦୧୧ ମସିହାରୁ ଏଜେଣ୍ଟଙ୍କ ଜରିଆରେ ଓଡ଼ିଶା ହୋମ୍‌ସ ପ୍ରାଇଭେଟ୍‌ ଲିମି‌ଟେଡ୍‌ ଟଙ୍କା ସଂଗ୍ରହ କରିଥିଲା। ଜଟଣୀ ତହସିଲ ଅଧୀନ କୁହା ମୌଜାରେ ‘ଆନନ୍ଦ ହୋମ୍‌ ପ୍ରକଳ୍ପ’ ନାମରେ ଏକ ସଂସ୍ଥା ଖୋଲିବା ସହ ଜମି ନେଇ ଫ୍ଲାଟ୍‌ ତିଆରି କରିବା ଆରମ୍ଭ କରିଥିଲା। ୨୦୧୪ରେ ଜମାକାରୀଙ୍କୁ ଚାହିଦା ମୁତାବକ ଫ୍ଲାଟ୍‌ ପ୍ରଦାନ କରିବା ପାଇଁ ଚୁକ୍ତି କରିଥିଲା। ହେଲେ ଚୁକ୍ତି ମୁତାବକ ଫ୍ଲାଟ୍‌ ଯୋଗାଇ ପାରି ନଥିଲା। ଫଳରେ ଆଶିଷ ପଟ୍ଟନାୟକ ନାମକ ଜଣେ ଜମାକାରୀ କ୍ରାଇମ୍‌ ବ୍ରାଞ୍ଚର ଦ୍ବାରସ୍ଥ ହୋଇଥିଲେ। ସମ୍ପୃକ୍ତ ସଂସ୍ଥା ୧୧୫ ଜଣ ଜମାକାରୀଙ୍କଠାରୁ ପାଖାପାଖି ୫ କୋଟି ଟଙ୍କା ନେଇଥିବା ତଦନ୍ତ ବେଳେ ଜଣା ପଡ଼ିଥିଲା। ଏହାକୁ ଆଧାର କରି ଇଓଡବ୍ଲ୍ୟୁ ଏମ୍‌ଡି ଜଗଜ୍ଜୀବନ ନାୟକଙ୍କୁ ଗତବର୍ଷ ଜାନୁଆରି ୩୦ ତାରିଖରେ ଗିରଫ କରିଥିଲା। ଏଠାରେ ଜାମିନ୍‌ ଆବେଦନ ଖାରଜ ହେବା ପରେ ଅଭିଯୁକ୍ତ ହାଇକୋର୍ଟ ଯାଇଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ବିଚାର କରି ୯୦ ଦିନର ସର୍ତ୍ତ ମୂଳକ ଜାମିନ ଦେଇଥିଲେ। ଏହି ସମୟ ମଧ୍ୟରେ ସେ ଜମାକାରୀଙ୍କ ଅର୍ଥ ଫେରସ୍ତ କରିବାକୁ ଆଦେଶ ହୋଇଥିଲା। ହେଲେ ସେ ବିଫଳ ହେବାରୁ ତାଙ୍କୁ ଆଉ ଥରେ ଇଓଡବ୍ଲ୍ୟୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହାଇକୋର୍ଟରେ ତାଙ୍କର ଦ୍ବିତୀୟବାର ଜାମିନ ଆବେଦନ ଖାରଜ ହୋଇଥିଲା। ଏବେ ସେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଛନ୍ତି।

ଅନ୍ୟପଟେ ଏମ୍‌ଡି ଗିରଫ ହେବା ପରେ ଠକେଇର ଶିକାର ହୋଇଥିବା ଅନ୍ୟ ଜମାକାରୀମାନେ ଅନୁଗୁଳ ଜିଲ୍ଲା ନାଲ୍‌କୋ ନଗରର ଅଜୟ ମହାନ୍ତି, ପ୍ରକାଶ ସାହୁ, ଅଗଷ୍ଟିନ୍‌ ତେତେ, ଦୁଲାଲ ମାଝୀ, ତେଜରାଜ ମାଝୀ, ସୁବାସ ମିଶ୍ର, ବାସନ୍ତୀ ମୁଣ୍ଡା, ସୁକାନ୍ତ ସେଠ ପ୍ରମୁଖ ଭୁବନେଶ୍ବର ଓରେରା କୋର୍ଟର ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ଓରେରା କୋର୍ଟର ତିନିଜଣିଆ ବେଞ୍ଚ୍‌ ଏହି ଆଦେଶ ଦେଇଛନ୍ତି। ଜମାକାରୀଙ୍କ ପକ୍ଷରୁ ରଶ୍ମିରଞ୍ଜନ ଦାଶ ଓ ଆସୋସିଏଟ୍‌ସ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର