ଅନନ୍ୟାଙ୍କ ଅନନ୍ୟ ଓଏଏସ୍ ଯାତ୍ରା

ଅନନ୍ୟା କହିଲେ କିଭଳି ଓଏଏସ ପରୀକ୍ଷାରେ ପାଇଲେ ୨୯ତମ ର‍୍ୟାଙ୍କ ?

ଭୁବନେଶ୍ୱର : ଜୀବନସାଥୀଙ୍କର ଭୂମିକା କ’ଣ ଥାଏ ? ଜୀବନର ପ୍ରତିଟି ପାହାଚରେ କେତେ ଗୁରୁତ୍ୱ ରଖେ ସାଥୀଙ୍କ ସାଥ ? ଦିନେ ଏହି କଥା ବି ଭାବୁଥିଲେ ଭୁବନେଶ୍ୱରର ଡ଼ାକ୍ତର ଅନନ୍ୟା ତ୍ରିପାଠୀ | ହେଲେ ଓଏଏସ(ଓଡିଶା ପ୍ରଶାସନିକ ସେବା) ପରୀକ୍ଷାରେ ୨୯ ତମ ର‍୍ୟାଙ୍କ ପାଇଥିବା ଅନନ୍ୟା ନିଜେ ଅନୁଭବ କରିଛନ୍ତି ସଫଳତା ପାଇବାକୁ ହେଲେ ପରିଶ୍ରମ ସହ ଜଣେ ସାଥିଙ୍କର ବି ଢେର ଆବଶ୍ୟକତା ରହିଛି |

ସୋଆ ବିଶ୍ୱବିଦ୍ୟାଳୟରେ ବିଡିଏସ(ବ୍ୟାଚଲର ଇନ ଡେଣ୍ଟାଲ ସାଇନ୍ସ) ପରେ ଅନନ୍ୟା ଓଏଏସ ପରୀକ୍ଷା ଦେଇଥିଲେ | ଓଏଏସ ପରୀକ୍ଷାର ତିନିଟି ସୋପାନ ମଧ୍ୟରୁ ପ୍ରିଲିମ୍ ପରେ ମେନ୍ ପରୀକ୍ଷା ମଧ୍ୟ ଦେଇଥିଲେ | ଭାଏଭା ବା ସାକ୍ଷାତକାର ପରୀକ୍ଷା ବାକି ଥିବାବେଳେ ଅନନ୍ୟାଙ୍କର ବିବାହ ସ୍ଥିର ହୋଇଥିଲା | ପିଲାଦିନରୁ ସ୍ଵପ୍ନ ଦେଖୁଥିବା ଓଏଏସ ପରୀକ୍ଷା ଓ ବିବାହ ତାରିଖ ପାଖାପାଖି ପଡୁଥିବା ବେଳେ ଚିନ୍ତାରେ ପଡିଯାଇଥିଲେ ଅନନ୍ୟା | ଠିକ ଏହି ସମୟରେ ଅନନ୍ୟାଙ୍କ ଭାବି ସ୍ୱାମୀ ଅନିସ କର ଦେଇଥିଲେ ସାହସ | କହିଥିଲେ ଗୋଟିଏ କଥା, ତୁମେ ପରୀକ୍ଷା ପାଇଁ ଲାଗିପଡ଼, ମୁଁ ତୁମ ପଛରେ ଅଛି, ଯଦି ହେବ ତାହା ହେଲେ ବିବାହ ଘୁଞ୍ଚାଇଦେବା | କାହାଠାରୁ ପ୍ରେରଣା ପାଇଲେ ପ୍ରଶ୍ନରେ ଅନନ୍ୟା କହିଥିଲେ ଯେ ବାପା ଆଶୁତୋଷ ତ୍ରିପାଠୀ, ମା ନଳିନୀ ପ୍ରଭା ନନ୍ଦ ତାଙ୍କୁ ପାଠ ପଢ଼ିବାର ଆଶା ଇନ୍ଧନ ଭାବେ ଯୋଗାଇଦେଇଥିଲେ | ବିଶେଷ କରି ଭୋରରୁ ଟ୍ରେନରେ ବାପା ଅଫିସ ଯିବା ଓ ନିଜ କାର୍ଯ୍ୟ ପ୍ରତି ଦେଖାଉଥିବା ନିଷ୍ଠା ତାଙ୍କୁ ପାଠ ପଢିବାକୁ ମାନସିକ ଭାବେ ସାହାଯ୍ୟ କରିଥିଲା | ସେହିପରି ଭଉଣୀ ଡାକ୍ତର ଆକାଂକ୍ଷା ତ୍ରିପାଠୀ ଓ ଭିଣୋଇ ଡାକ୍ତର ବିନୟ କୃଷ୍ଣ ରଥ ଓଏଏସ ପରୀକ୍ଷା ପାଇଁ ଜଣେ ଗାଇଡ଼ ଭାବରେ ଉତ୍ସାହିତ କରିଥିଲେ |

ସାକ୍ଷାତକାରରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରକୁ ନିଜ ଢଙ୍ଗରେ ଦେଇଥିଲେ | ସ୍ୱାସ୍ଥ୍ୟ କ୍ଷେତ୍ରରେ କେଉଁ ସବୁ ସମସ୍ୟା ଦେଖାଯାଏ, ଓଡ଼ିଶାର କେଉଁ ମହିଳାଙ୍କଠାରୁ ପ୍ରେରଣା ପାଇଛନ୍ତି ଏହା ଅନନ୍ୟାଙ୍କୁ ପଚରାଯାଇଥିଲା | ଏହା ସହ ହାଇସ୍କୁଲ ପରୀକ୍ଷାରେ ୯୧ ପ୍ରତିଶତ ମାର୍କ ପାଇଥିଲେ ବି ଯୁକ୍ତ ଦୁଇରେ କେଉଁ କାରଣ ଯୋଗୁଁ ୭୦ ପ୍ରତିଶତରେ ସୀମିତ ରହିଗଲା ସେହି ପ୍ରଶ୍ନ ବି ୩ ଜଣ ସାକ୍ଷାତ ନେଉଥିବା ପ୍ରଶ୍ନକର୍ତ୍ତା ପଚାରିଥିଲେ | ଏହି ପ୍ରଶ୍ନକୁ ଅତ୍ୟନ୍ତ ପ୍ରତ୍ୟୟର ସହ ଅନନ୍ୟା ଉତ୍ତର ଦେଇଥିଲେ | ହାଇସ୍କୁଲ ପରୀକ୍ଷାରେ ୯୧ ପ୍ରତିଶତ ମାର୍କ ପାଇବା ପରେ କିଭଳି ଅତି ଆତ୍ମବିଶ୍ୱାସ ବଢିଯାଇଥିଲା ଓ ସାଙ୍ଗଙ୍କ ଗହଳିରେ ବାଟବଣା ହୋଇଯାଇଥିଲେ ସେ ସବୁକୁ ସ୍ୱୀକାର କରିଥିଲେ |

ଏହା ପରେ ବିଡିଏସ୍ କରିବା ସମୟରେ କିଭଳି ନିଜକୁ ସୁଧାରିଥିଲେ ସେ କଥା ବି ପ୍ରଶ୍ନକର୍ତ୍ତାଙ୍କୁ ଅନନ୍ୟା କହିଥିଲେ | ସେହିପରି ଓଏଏସ ପରୀକ୍ଷାଫଳ ବାବଦରେ କିଏ ପ୍ରଥମେ କହିଥିଲେ ପ୍ରଶ୍ନର ଉତ୍ତରରେ ଅନନ୍ୟା କହିଥିଲେ ଯେ ମନ୍ଦିରରେ ଥିବା ସମୟରେ ସ୍ୱାମୀ ଫୋନ କରି ଖୁସି ଖବର ଦେଇଥିଲେ | ଡ଼ାକ୍ତର ହୋଇଥିଲେ ବି ଲୋକଙ୍କ ସେବା କରିବା ପାଇଁ ପ୍ରଶାସନିକ ସେବା ହିଁ ଏକ ବଳିଷ୍ଠ ମାଧ୍ୟମ ବୋଲି ଅନୁଭବ କରିଥିଲେ | ଡାକ୍ତର ହେଲେ କେବଳ ସ୍ୱାସ୍ଥ୍ୟ ସେବାରେ ସୀମିତ ରହିବାକୁ ପଡିବ, କିନ୍ତୁ ପ୍ରଶାସନିକ ଅଧିକାରୀ ହେଲେ ଲୋକଙ୍କର ସବୁ ପ୍ରକାରର ସାମାଜିକ, ମୌଳିକ ସମସ୍ୟାକୁ ସମାଧାନ କରି ହେବ ବୋଲି ଅନନ୍ୟା ବିଶ୍ୱାସ କରନ୍ତି |


ସେହିପରି ଜଣେ ଦାନ୍ତ ଡାକ୍ତର ଭାବେ ପାନ, ଗୁଟଖା ଓ ତମ୍ବାଖୁ ଖାଇବା ଦ୍ଵାରା ମୁଖ କର୍କଟ ଯୋଗୁଁ କିଭଳି ଅନେକ ପରିବାରର ରୋଜଗାରିଆ ବ୍ୟକ୍ତି ଜୀବନ ହାରୁଛନ୍ତି ତାହା ତାଙ୍କୁ ଢେର କଷ୍ଟ ଦେଇଛି | ନିଜର ଖାଲି ସମୟରେ ସେ ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ବଢାଇବାକୁ ପ୍ରୟାସ କରିବେ ବୋଲି କହିଛନ୍ତି |

(ମୋନାଲିସା ପରିଡା ଓ ବୋୖଦ୍ଧାୟନ ଆଚାର୍ଯ୍ୟଙ୍କ ରିପୋର୍ଟ)

ସମ୍ବନ୍ଧିତ ଖବର