ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ

ବ୍ରହ୍ମଗିରି : ଶ୍ରୀନୀଳକନ୍ଦର ନିବାସୀ ଚତୁର୍ଦ୍ଧା ମୂର୍ତ୍ତି ଅଣସର ପିଣ୍ଡିକୁ ବିଜେ ପରେ ଆଜି ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ଶୁକ୍ରବାର ବଡ଼ି ଭୋର ଚାରିଟାରେ ମନ୍ଦିର ଖୋଲାଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି ହୋଇ ଶ୍ରୀଜିଉଙ୍କ ଗୋପାଳ ବଲ୍ଲଭ ଉଠିଥିଲା। ପୂର୍ବ ନିର୍ଦ୍ଧାରିତ ନୀତିଠାରୁ ଏକ ଘଣ୍ଟା ସଅଳ ନୀତି ବଢ଼ିଥିଲା। ସକାଳ ୬ଟା ବେଳକୁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ବ୍ୟାରିକେଡ୍‌ରେ ଭକ୍ତ ଲମ୍ବା ଧାଡ଼ିରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଭୋର ଚାରିଟା ବେଳକୁ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ସାରିଥିଲା। ପାଗ ଅନୁକୂଳ ଥିବାରୁ ଭକ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା।

ମଧ୍ୟ୍ୟାହ୍ନ ସାଢେ ୧୨ଟାରେ ସକାଳ ଧୂପ ଉଠିବା ପରେ ପରେ ମଧ୍ୟ୍ୟାହ୍ନ ସାଢ଼େ ଗୋଟାଏରେ ଦ୍ୱିପ୍ରହର ଧୂପ ଉଠିଥିଲା। ସଂଧ୍ୟାରେ ସଂଧ୍ୟା ଆଳତି, ମଇଲମ ନୀତି ବଢି ସର୍ବସାଧାରଣ ଦର୍ଶନ ହୋଇଥିଲା। ଆଜି ଠାକୁରଙ୍କ ସମସ୍ତ ନୀତି ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟଠାରୁ ଏକ ଘଣ୍ଟା ସଅଳ ହୋଇଥିବା ଜଣାପଡ଼ିଛି। ଭକ୍ତଙ୍କ ସୁରକ୍ଷା ପାଇଁ ଅତିରିକ୍ତ ଏସ୍‌ପିଙ୍କ ତତ୍ତ୍ୱାବଧାନରେ ୯ ପ୍ଲାଟୁନ୍‌ ପୁଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ସଂଧ୍ୟା ସୁଦ୍ଧା ୧୫ ହଜାରରୁ ଅଧିକ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରି ଫେରିଛନ୍ତି। ଦେବସ୍ନାନ ନୀତି ପରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ଅଣସର ପିଣ୍ଡିକୁ ବିଜେ କରିଥାନ୍ତି। ଏହି ସମୟରେ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରାନଥଙ୍କ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ଭକ୍ତ ମହଲରେ ବିଶ୍ୱାସ ରହିଛି। ଏଥିପାଇଁ ଅଲାରନାଥଙ୍କ ପୀଠରେ ଅଣସର ୧୫ ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ।

ସମ୍ବନ୍ଧିତ ଖବର