ହାତରୁ ଖସୁଛି କୋଟିଆ

ସରକାର ନିଷ୍କ୍ରିୟ: ମନ୍ତ୍ରୀ କହିଲେ ରିପୋର୍ଟ ମାଗୁଛୁ
ଗୃହ କମିଟି ବି ନିୟମିତ ବସୁନାହିଁ

କୋରାପୁଟ/ଭୁବନେଶ୍ୱର : ସୀମାନ୍ତ କୋଟିଆକୁ ଅକ୍ତିଆର କରିବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛି ଆନ୍ଧ୍ର ପ୍ରଦେଶ। ଓଡ଼ିଶା ହାତରୁ ଏହି ଅଂଚଳକୁ ଛଡାଇ ନେବା ପାଇଁ ରଚିଛି ସାଂଘାତିକ ଷଢଯନ୍ତ୍ର। ବିଜୟନଗରମର ଖୋଦ୍‌ ଜିଲ୍ଲାପାଳ ଏହି ଅଂଚଳକୁ ଆସି ଲୋକଙ୍କୁ ଟଙ୍କା ଓ କମ୍ବଳ ବାଣ୍ଟିଛନ୍ତି। କେବଳ ଏତିକି ନୁହେଁ, ଏହି ଅଂଚଳର ବିକାଶ ପାଇଁ ଖୁବ୍‌ଶୀଘ୍ର ଆନ୍ଧ୍ର ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆନ୍ଧ୍ରର ଅଯାଚିତ ସାହାଯ୍ୟରେ କୋଟିଆର ଲୋକମାନେ ପ୍ରଭାବିତ ହୋଇଥିଲା ବେଳେ ଏହି ଅଂଚଳ ଏବେ ଓଡ଼ିଶା ହାତରୁ ଖସିବାକୁ ବସିଛି। ତଥାପି ରାଜ୍ୟ ସରକାର ଏହାକୁ ଯେତିକି ଗୁରୁତ୍ୱ ଦେବା କଥା ଦେଉ ନାହାନ୍ତି।

ଆଜି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, କୋଟିଆକୁ ଆନ୍ଧ୍ର ସରକାର ଦଖଲ କରୁଥିବା ନେଇ ଗଣମାଧ୍ୟମର ସୂଚନା ଉପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି। ଜିଲ୍ଲାପାଳଙ୍କ ରିପୋର୍ଟ ମିଳିବା ପରେ ରାଜ୍ୟ ସରକାର ତୁରନ୍ତ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ କରି ଆବଶ୍ୟକ ପଦକ୍ଷେପ ନେବେ। ଅନ୍ୟପକ୍ଷରେ ଏ ସଂକ୍ରାନ୍ତ ବିଧାନସଭା ଗୃହ କମିଟି ବୈଠକରେ ଏ ନେଇ ତନାଘନା ହେବାର ଆବଶ୍ୟକତା ଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମତପ୍ରକାଶ ପାଇଛି। ସୀମା ବିବାଦ ଭିତରେ ଓଡ଼ିଶା ଘାଣ୍ଟି ହେଉଥିଲେ ହେଁ ନା ନିୟମିତ ଭାବେ ବିଧାନସଭା କମିଟି ବସି ସ୍ଥିତି ସମୀକ୍ଷା କରୁଛନ୍ତି ନା ମୁଖ୍ୟମନ୍ତ୍ରୀ ଅଥବା ରାଜସ୍ୱ ବିଭାଗ। ଓଡ଼ିଶା ସରକାରଙ୍କ ଉଦାସୀନତାର ଫାଇଦା ନେଇ ଆନ୍ଧ୍ର ସରକାର ସକ୍ରିୟ ହେଉଥିବା କୁହାଯାଉଛି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମ ପଞ୍ଚାୟତ ଆନ୍ଧ୍ର ସୀମାରେ ରହିଛି। ସୀମାନ୍ତରେ ଥିବା ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ୧୯୬୮ ମସିହାରୁ ବିବାଦ ଚାଲିଛି। ଏଥିନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ର ବାରମ୍ବାର ଉଦ୍ୟମ କରୁଛି। ତେବେ ଏହି କିଛି ଦିନ ହେଲା ଏଥିନେଇ ଏକ ବଡ ଧରଣର ଯୋଜନା ଚଳାଇଛି ଆନ୍ଧ୍ର।

ମଙ୍ଗଳବାର ଦିନ ବିଜୟନଗରମ ଜିଲ୍ଲାପାଳ ବିବେକ ଯାଦବ, ପୂର୍ବତନ ବିଧାୟକ ଆର.ପି.ଭଂଜରାଜ ଦେବ, ତହସିଲଦାର ପି.ଜନାର୍ଦ୍ଦନ ରାଓ, ଅତିରିକ୍ତ ତହସିଲଦାର ଏସ.କିଶନ ରାଜୁ ପ୍ରମୁଖ କୋଟିଆରେ ଆସି ପହଞ୍ଚିଥିଲେ। ଓଡ଼ିଶା ଦେଇ ସେମାନେ ଆସିବା ପରେ କୋଟିଆ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଏହି ପଞ୍ଚାୟତର ତଳ ଗଂଜେଇ ପଦର ଗ୍ରାମରେ ବୈଠକ କରିଥିଲେ। ଆନ୍ଧ୍ର ସରକାରଙ୍କ ପକ୍ଷରୁ ତଳ ଗଂଜେଇ ପଦର ଏକ ପଞ୍ଚାୟତ ହୋଇଥିଲା ବେଳେ ଏଠାରେ ଜଣେ ନିର୍ବାଚିତ ସରପଞ୍ଚ ରହିଛନ୍ତି। ଆନ୍ଧ୍ର ଅଧିକାରୀମାନେ ଏହି ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନତି ମୂଳକ କାମର ସମୀକ୍ଷା କରିଥିଲେ। ଆନ୍ଧ୍ର ସରକାରଙ୍କ ଜନ୍ମଭୂମି କାର୍ଯ୍ୟକ୍ରମ ଅଧିନରେ ଲୋକଙ୍କ ଦୁଃଖସୁଖ ବୁଝିବା ସହ ସେମାନଙ୍କ ସହିତ ବିଭିନ୍ନ ଅଭାବ ଅସୁବିଧା ପଚାରି ବୁଝିଥିଲେ। ପରେ ଲୋକଙ୍କୁ ସୋଲାର ଲାଇଟ୍‌, କମ୍ବଳ ଓ ଶତାଧିକ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଭାବେ ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି ପଞ୍ଚାୟତର ବିକାଶ ପାଇଁ ଆନ୍ଧ୍ର ସରକାର ବ୍ଲୁ ପ୍ରିଣ୍ଟ ତିଆରି କରିଛି ଏବଂ ଖୁବ୍‌ଶୀଘ୍ର ଏହି ଅଂଚଳରେ ଭିତ୍ତିଭୂମିର ବିକାଶ କରାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି।

ଓଡ଼ିଶା ସୀମାରେ ଆନ୍ଧ୍ରର ଏପରି ବଦ୍‌ମାସି ପୁରୁଣା ହୋଇଥିଲେ ମଧ୍ୟ ଏମିତି ବଡ ଧରଣର କେବେ ହୋଇ ନ ଥିଲା। ଖୋଦ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ଏଠାରେ ଡେରା ପକାଇବା ଓ ସୁନେଲୀ ପ୍ରତିଶ୍ରୁତି ଦେଇ ଫେରିବା ପ୍ରଥମ ଘଟଣା। ଏଥିରୁ ଆନ୍ଧ୍ରର ଷଢଯନ୍ତ୍ର ସଂପର୍କରେ ସୁରାକ ମିଳୁଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତ ମାସକ ମଧ୍ୟରେ ଆନ୍ଧ୍ରର ନେତା ଓ ଅଧିକାରୀମାନେ ବାରମ୍ବାର କୋଟିଆ ଗସ୍ତରେ ଆସୁଛନ୍ତି। ଗତ ୫ତାରିଖରେ ସାଲୁର ବିଧାୟକ କୋଟିଆ ଓ ଆଖପାଖ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଏପରିକି ଆନ୍ଧ୍ର ସରକାର ଏହି ଅଂଚଳକୁ ଦଖଲ କରିବା ପରେ କ’ଣ କ’ଣ ବିକାଶ କରିବ ତାହାର ତାଲିକା ଦେଇ ଫେରିଥିଲେ। ତାଙ୍କ ସାଙ୍ଗରେ ବହୁ ନିର୍ବାଚିତ ପ୍ରତିନିଧି ମଧ୍ୟ ଥିଲେ। ଆନ୍ଧ୍ରର ଅଧିକାରୀ ଓ ଜନ ପ୍ରତିନିଧି ବାରମ୍ବାର କୋଟିଆ ଅଂଚଳର ବିବାଦୀୟ ୨୧ଟି ଗାଁକୁ ଆସି ଲୋକଙ୍କୁ ବିଭିନ୍ନ ଉପାୟରେ ପ୍ରଭାବିତ ଓ ପ୍ରଲୋଭିତ କରୁଛନ୍ତି। ଲୋକମାନେ ମଧ୍ୟ ଏଥିରେ ଭଳି ଯାଉଛନ୍ତି। ଏପଟେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଛନ୍ତି। ଆନ୍ଧ୍ରର ଅଧିକାରୀମାନେ ଏମିତି ଦାଦାଗିରି ସଂପର୍କରେ ଏମାନେ ଟେର୍‌ ପାଉ ନାହାନ୍ତି। ଏମିତିକି ଓଡ଼ିଶା ଭିତରେ ପାଖାପାଖି ୬୦କିଲୋମିଟର ଅତିକ୍ରମ କରି ଆନ୍ଧ୍ରର ଅଧିକାରୀମାନେ କୋଟିଆରେ ପହଞ୍ଚି ଥିଲେ ମଧ୍ୟ କୋରାପୁଟ ଜିଲ୍ଲା ପ୍ରଶାସନ ଏ ସଂପର୍କରେ ସାମାନ୍ୟ ସୁରାକ ପାଇ ନ ଥିଲା। ଖବର ପାଇ ଓଡ଼ିଶାର ଅଧିକାରୀମାନେ ପହଞ୍ଚିଲା ବେଳକୁ ସେମାନେ ଚାଲି ଯାଇଥିଲେ।

ସୀମାନ୍ତ କୋଟିଆ ଅଂଚଳରେ ଏ ପର୍ଯ୍ୟନ୍ତ ବିକାଶର ପାଦ ପଡିନି। ଅଧିକାଂଶ ଗାଁରେ ମୌଳିକ ସୁବିଧା ଏବେ ବି ଅପହଞ୍ଚ। ତେଣୁ ଆନ୍ଧ୍ରକୁ ଏହାର ଫାଇଦା ନେବାରେ ସୁବିଧା ହେଉଛି। ଆନ୍ଧ୍ର ସରକାର କିଛି ଗାଁକୁ ମାଗଣା ବିଜୁଳି ଦେଇଛି। ଆଉ କିଛି ଗାଁକୁ ରାସ୍ତା କରିବ ବୋଲି ଭିତ୍ତି ପ୍ରସ୍ତର ସ୍ଥାପନ କରିଛି। ପାଣି, ରାସ୍ତା ଓ ବିଜୁଳି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛି। ସବୁଠାରୁ ବଡ କଥା ହେଲା, ଅଧିକାରୀ ଓ ନେତାମାନେ ସେମାନଙ୍କ ପାଖରେ ପହଞ୍ଚୁଛନ୍ତି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏବେଠାରୁ ଧ୍ୟାନ ନ ଦେଲେ ହାତରୁ କୋଟିଆ ଖସିଯିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର