କୋଟିଆରେ ଆନ୍ଧ୍ର ଚଲାଇଛି ରାସ୍ତା କାମ : ପ୍ରଶାସନ ଜାଣି ବି ଅଜଣା!

କୋରାପୁଟ : ବିବାଦୀୟ କୋଟିଆରେ ପୁଣି ଆନ୍ଧ୍ରର ରାଜୁତି। ଓଡ଼ିଶାର ନିଷ୍କ୍ରିୟତାର ଫାଇଦା ନେଇ ଆନ୍ଧ୍ରପ୍ରଦେଶ ଏଠାରେ ରାସ୍ତା କାମ ଆରମ୍ଭ କରିଛି। ଏହି ବାଟ ଦେଇ କୋଟିଆ ଧୀରେଧୀରେ ଓଡ଼ିଶା ହାତରୁ ଖସିଯିବାକୁ ବସିଥିବାବେଳେ ଜିଲ୍ଲା ପ୍ରଶାସନ ଚୁପ୍‌ ହୋଇ ବସି ରହିଛି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମ ପଞ୍ଚାୟତ ଆନ୍ଧ୍ର ସୀମାରେ ରହିଛି। ସୀମାନ୍ତରେ ଥିବା ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ୧୯୬୮ ମସିହାରୁ ବିବାଦ ଚାଲିଛି। ଏଥିନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ର ବାରମ୍ବାର ଉଦ୍ୟମ କରୁଛି। ଗତ ଜାନୁଆରୀ ୯ତାରିଖରେ ବିଜୟନଗରମର ଜିଲ୍ଲାପାଳ ଓ ତାଙ୍କର ଡଜନେ ଅଧିକାରୀ କୋଟିଆ ଅଂଚଳକୁ ଆସି ତାଙ୍କ ରାଜ୍ୟର ସରକାରୀ ସହାୟତା ବଣ୍ଟନ କରିଥିଲେ। ଖାଲି ଏତିକି ନୁହେଁ, ଏହି କୋଟିଆ ଅଂଚଳର ବିକାଶ ପାଇଁ ସରକାର ରୋଡ୍‌ମ୍ୟାପ ପ୍ରସ୍ତୁତ କରିଥିବା କହିଥିଲେ। କୋଟିଆ ଅଂଚଳକୁ ବିକଶିତ କରିବା ପାଇଁ ଆନ୍ଧ୍ର ସରକାର ଟଙ୍କା ବର୍ଷା କରିବେ ବୋଲି ପ୍ରତିଶ୍ରୁତି ଦେଇ ସେମାନେ ଫେରିବା ପରେ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗିଥିଲା। କୋଟିଆର ବିକାଶ ପାଇଁ ଜିଲ୍ଳା ପ୍ରଶାସନ ଅଣ୍ଟା ଭିଡିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ ଓ ବିଦ୍ୟୁତୀକରଣ କରାଯାଇଥିଲା। ଓଡ଼ିଶା ସରକାର ମଧ୍ୟ ଏଥିରେ ମୁଣ୍ଡ ପୂରାଇଥିଲେ। ଉଚ୍ଚସ୍ତରୀୟ ଟିମ କୋଟିଆକୁ ପଠାଇ ସ୍ଥିତି ଅନୁଧ୍ୟାନ କରିଥିଲେ। କୋଟିଆର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଯୋଜନା ପରେ ଯୋଜନା ଘୋଷଣା କରିଥିଲେ। ଓଡ଼ିଶା ସରକାର ଏମିତି ଅନୁଧ୍ୟାନ ଓ ଯୋଜନାରେ ଅଟକି ଯାଇଥିଲାବେଳେ ଆନ୍ଧ୍ର ବିବାଦୀୟ କୋଟିଆରେ ଧସେଇ ପଶି ବିଭିନ୍ନ ନିର୍ମାଣ କାମ ଚଳାଇଛି। ଏହି କିଛି ଦିନ ହେଲା କୋଟିଆ ପଞ୍ଚାୟତର ଫାଟୁ ସିନେରୀ, ଫଗୁଣ ସିନେରୀ, ଦୋଳିଆମ୍ବ ଓ ସଲପଗୁଡାକୁ ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର। ପାହାଡ କାଟି ଏହି ଗାଁ ଗୁଡିକୁ ରାସ୍ତା କରାଯାଉଛି। ରାସ୍ତା ନିର୍ମାଣରେ ବହୁ ମେସିନ ଲଗାଇ କାମକୁ ଜୋରଦାର କରିଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଏହି ୮କିଲୋ ମିଟର ରାସ୍ତା କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲାବେଳେ ଓଡ଼ିଶା ସରକାର ଚୁପ ବସିଛି।

ଏ ସମ୍ପର୍କରେ ଆମ କୋଟିଆ ସଂଗଠନର ଆବାହକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି ଯେ, କୋଟିଆର ବିକାଶ ହେବ ହେବ କହି ଓଡ଼ିଶା ସରକାର ବସି ପଡିଛନ୍ତି। ଫଳରେ ଆନ୍ଧ୍ର ମାଡି ମାଡି ତା’ କାମ ଚଳାଇଛି।

ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ମଧ୍ୟ ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ସରକାର କେବଳ ଯୋଜନା କରିଦେଲେ ହବନି। ତୃଣମୂଳ ସ୍ତରରେ କେମିତି ଠିକ ଭାବେ କାମ ହେବ ଏବଂ ଲୋକଙ୍କୁ ଏହାର ଫାଇଦା ମିଳିବ ସେ ଦିଗରେ ଧ୍ୟାନ ଦେବାକୁ ପଡିବ। ନ ହେଲେ ଓଡ଼ିଶା ହାତରୁ କୋଟିଆ ସବୁଦିନ ପାଇଁ ଖସିଯିବା ଅସମ୍ଭବ ନୁହେଁ ବୋଲି ପାଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର