ଗଙ୍ଗାବାଡ଼ରେ ଆନ୍ଧ୍ରର ଅନୁପ୍ରବେଶ ପ୍ରସଙ୍ଗ : ସୀମାରେ ହେବ ମାପଚୁପ

ପାରଳାଖେମୁଣ୍ଡି : ଦୁର୍ଗମ ଗଙ୍ଗାବାଡ଼ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ଘଟଣାରେ ଗଜପତି ଜିଲ୍ଲା ପ୍ରଶାସନର ଚେତା ପଶିଛି। ସୀମାରେ ମାପଚୁପ ହେବ ବୋଲି ଜିଲ୍ଲାପାଳ ଅନୁପମ ସାହା ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଜିଲ୍ଲାପାଳ ଶ୍ରୀ ସାହା କହିଛନ୍ତି ଯେ, ଗତ ସୋମବାର ଦିନ ଏହି ପଞ୍ଚାୟତକୁ ସେ ସପ୍ତାହିକ ଅଭିଯୋଗ ଶୁଣାଣି ପାଇଁ ଯାଇଥିଲେ। ପରବର୍ତ୍ତୀ ସମୟରେ ଆନ୍ଧ୍ର ସରକାର ରାସ୍ତା ନିର୍ମାଣ କରୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୁଣି ପଦାଧିକାରୀଙ୍କ ସହ ଉକ୍ତ ଅଞ୍ଚଳକୁ ଗସ୍ତ କରିଥିଲେ। ସେଠାରେ ରାଜସ୍ୱ ବିଭାଗ ଅଧିକାରୀ ଓ ବନବିଭାଗ କର୍ମଚାରୀମାନେ ଗଙ୍ଗାବାଡ଼ ସୀମାନ୍ତ ଅଞ୍ଚଳରେ ମାପଚୁପ୍‌ କରିଥିଲେ। ମାଦିଆଖାଲ ଗ୍ରାମଟି ସମ୍ପୂର୍ଣ୍ଣ ଭାବେ ଓଡ଼ିଶାରେ ଥିବା ସ୍ପଷ୍ଟ ହୋଇଥିଲା। ଏହି ସୀମାନ୍ତ ଅଞ୍ଚଳରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ମାପଚୁପ କରିଥିବା ଜଣାପଡ଼ିଥିଲା। ଫଳରେ ସୀମା ନିର୍ଦ୍ଧାରଣ ପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀକାଲକୁମ୍‌ ଜିଲ୍ଲା ପ୍ରଶାସନ ସହଯୋଗରେ ମାପଚୁପ ହେବ। ଏହା ପରେ ସବିଶେଷ ତଥ୍ୟ ସାମ୍ନାକୁ ଆସିବ। କିନ୍ତୁ ଏଥିରେ କିଛି ବ୍ୟସ୍ତ ହେବାର ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ଅନ୍ୟପକ୍ଷରେ ମାଦିଆଖାଲ ଅଞ୍ଚଳରେ ଆନ୍ଧ୍ର ସରକାର ଆଧାର କାର୍ଡ, ଭୋଟର କାର୍ଡ ଓ ରାସନ କାର୍ଡ ପ୍ରଦାନ କରିଥିବା ବେଳେ ଆନ୍ଧ୍ର ପ୍ରଦେଶର ବିଦ୍ୟୁତ ବିଭାଗ ପକ୍ଷରୁ ସୋଲାର ଲାଇଟ ଲୋକଙ୍କୁ ସୁବିଧା ଦିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର