ପାରାଦୀପରେ ଆନ୍ଧ୍ର ପୁଲିସ ହଟହଟା

ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଲେ ଗ୍ରାମବାସୀ

ଜଗତସିଂହପୁର : ପାରାଦୀପଗଡ଼ ଗାଁରେ ଆନ୍ଧ୍ର ପୁଲିସକୁ ହଟହଟା ହେବାକୁ ପଡ଼ିଛି। ଜଣେ ୱାରେଣ୍ଟିକୁ ଗିରଫ କରିବାକୁ ଆସି ପୁଲିସ ସମସ୍ୟାରେ ପଡ଼ିଯାଇଛି। ସାଦା ପୋଷାକରେ ଆସି ହଠାତ୍ ୱାରେଣ୍ଟି ଥିବା ଲୋକଙ୍କ ଘରେ ପୁଲିସ ଚଢ଼ଉ କରୁଥିବା ସମୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ଉପୁଜିଥିଲା। ଏ ନେଇ ଗ୍ରାମବାସୀ ପାରାଦୀପ ଲକ୍ ଥାନାରେ ଓଲଟା ପୁଲିସ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିବା ପରେ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଲକ୍‌ଥାନା ଅଧୀନ ପାରାଦୀପଗଡ଼ ଗାଁର ତାପସ ମହାରଥୀଙ୍କ ନାଁରେ ଆନ୍ଧ୍ରରେ ଏକ ଚେକ୍ ବାଉନ୍‌ସ୍ ମାମଲା ରହିଥିଲା। ଏଣୁ କୋର୍ଟରୁ ୱାରେଣ୍ଟି ଆସିବା ପରେ ଆନ୍ଧ୍ରରୁ ପାଞ୍ଚ ଜଣ ପୁଲିସ ଅଧିକାରୀ ଗତକାଲି ବିଳମ୍ବିତ ରାତିରେ ପାରାଦୀପଗଡ଼ ଗାଁରେ ରହୁଥିବା ତାପସଙ୍କ ଘରେ ଚଢ଼ଉ କରିଥିଲେ। ଏହି ସମୟରେ ଚଢ଼ଉରେ ଆସିଥିବା ସମସ୍ତ ପୁଲିସ ଅଧିକାରୀ ସାଦା ପୋଷାକରେ ଥିଲେ। ଏଣୁ ତାପସଙ୍କ ପରିବାର ଲୋକ ଏହି ପୁଲିସ ଅଧିକାରୀମାନଙ୍କୁ ଚୋର ବୋଲି ଭାବି ସେମାନଙ୍କୁ ବିରୋଧ କରିଥିଲେ। ଏଣୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା। ଘର ଲୋକଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ମଧ୍ୟ ଉଠିଥିଲେ। ଧୀରେ ଧୀରେ ସମସ୍ତ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ହୋହଲ୍ଲା କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଜୋରଦାର ଧସ୍ତାଧସ୍ତି ହୋଇଥିଲାା ଏଣୁ ଉଭୟ ପକ୍ଷରୁ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି। ପରେ ଗ୍ରାମବାସୀ ଏହି ପାଞ୍ଚ ଜଣଙ୍କୁ କାବୁ କରିନେଇ ଲକ୍ ଥାନାକୁ ହସ୍ତାନ୍ତର କରିଥିଲେ। ପୁଲିସ ଯାଞ୍ଚରୁ ଜଣାପଡ଼ିଲା ଯେ ଏମାନେ ସମସ୍ତେ ଆନ୍ଧ୍ର ପୁଲିସ।

ବର୍ତ୍ତମାନ ଏହି ଘଟଣା ଭିନ୍ନ ଏକ ରୂପ ନେଇଛି। ସାଦା ପୋଷାକରେ ଥିବାରୁ ଏମାନଙ୍କୁ ପୁଲିସ ବୋଲି ଜାଣିବା ମୁସ୍କିଲ ଥିଲା। ଏମାନେ ଘରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅନ୍ୟପଟେ ଲକ୍ ଥାନା ପୁଲିସର ବିନା ଅନୁମତିରେ ଚଢ଼ଉ କରିବା ଘଟଣାକୁ ଚତୁରତାର ସହ ଆନ୍ଧ୍ର ପୁଲିସ ଏଡ଼ାଇଦେବାକୁ ପ୍ରୟାସ କରିଛି। ଅଭିଯୁକ୍ତକୁ ଗିରଫ କରାଯିବା ପରେ ଥାନାକୁ ଆଣିଥାନ୍ତୁ ବୋଲି ସେମାନଙ୍କ ପକ୍ଷରୁ ସଫେଇ ଦିଆଯାଇଛି। ରିପୋର୍ଟ ଲେଖା ହେବା ବେଳକୁ ଏହି ଘଟଣାର କୌଣସି ସମାଧାନ ବାହାରି ପାରିନାହିଁ। ପୁଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ବୁଝାଶୁଝା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର