ନକ୍ସଲଗଡ଼କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ପୁଲିସ ପ୍ରସ୍ତୁତ କରୁଛି ରଣନୀତି ! ଏ ନେଇ ବିଶାଖାପାଟଣାରେ ହେବାକୁ ଯାଉଛି ଜରୁରୀକାଳିନ ବୈଠକ

ଭୁବନେଶ୍ୱର : ବାରମ୍ବାର ହିଂସାକାଣ୍ଡ ଘଟାଉଥିବା ମାଓବାଦୀମାନଙ୍କୁ ଦମନ କରିବା ପାଇଁ ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଥିଲେ ମଧ୍ୟ ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼ରେ ଲାଲବାହିନୀର ଆତଙ୍କ ଜାରି ରହିଛି। ଏହାକୁ ଦମନ କରିବା ସହ ନକ୍ସଲଗଡ଼କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ରଣନୀତି। ଏ ନେଇ ବିଶାଖାପାଟଣାରେ ହେବାକୁ ଯାଉଛି ଜରୁରୀକାଳିନ ବୈଠକ।

ଗତ ଦୁଇଦିନ ମଧ୍ୟରେ ଓଡ଼ିଶାରେ ଦୁଇ ଦୁଇଟି ଏନ୍‌କାଉଣ୍ଟର କରି ୭ ଜଣ ମାଓବାଦୀଙ୍କୁ ନିପାତ କରିବା ପରେ ଦୃଢ଼ ହୋଇଛି ପୁଲିସର ମନୋବଳ। ନକ୍ସଲଗଡ଼କୁ ମାଟିରେ ମିଶାଇବାକୁ ବିଶାଖାପାଟଣାରେ ହେବାକୁ ଯାଉଛି ଜରୁରୀକାଳିନ ବୈଠକ। ଆନ୍ଧ୍ର, ଓଡ଼ିଶା ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏକତ୍ର ମିଶି କରିବେ ନକ୍ସଲ ବିରୋଧୀ ଅଭିଯାନ। ଗୁଇନ୍ଦା ତଥ୍ୟ ବିନିମୟ ଠାରୁ ଆରମ୍ଭ କରି ପରସ୍ପର ସହ ସମନ୍ଵୟ ରଖିବା ଓ ମିଳିତ ଆକ୍ରମଣ ପାଇଁ ପ୍ରସ୍ତୁତ କରାଯିବ ବ୍ଲୁ-ପ୍ରିଂଟ। ବିଶାଖାପାଟଣା ବୈଠକରେ ସାମିଲ ହେବେ ଉଭୟ ରାଜ୍ୟର ଡିଜି, ବିଏସଫ, ଏସଓଜି, ଗ୍ରେ-ହାଉଣ୍ଡ ଓ ଗୃହ ମନ୍ତ୍ରଣାଳୟର ଅଧିକାରୀ।

ସେପଟେ ପୂର୍ବତନ ଡିଜି କହିଛନ୍ତି, ଅଧିକାଂଶ ଟପ୍‌ ମାଓ କମାଣ୍ଡରଙ୍କ ବୟସ ୬୦ ଟପିଲାଣି ଏବଂ ଲାଲବାହିନୀଙ୍କୁ ଆଉ ନୂଆ କ୍ୟାଡର ଆସୁନାହାନ୍ତି । ଆଉ ଯୁବପିଢି ପସନ୍ଦ କରୁନାହାନ୍ତି ଏହି ସଂଗଠନରେ ସାମିଲ ହେବାକୁ । ଗୋଟିଏ ପଟେ ଦୁର୍ବଳ ହେଉଛି ଲାଲବାହନୀ, ଅନ୍ୟପଟେ ମାଓବାଦୀଙ୍କଠାରୁ ଏକେ ୪୭ ଭଳି ଘାତକ ବନ୍ଧୁକ ଜବତ ହେବା ଚିନ୍ତା ବଢାଇ ଦେଇଛି ପୁଲିସର। କିପରି ଏକେ ୪୭ ମାଓବାଦୀଙ୍କ ହାତକୁ ଆସିଲା, ଏନେଇ ତନାଘନା କରୁଛି ପୁଲିସ ।

ଆଉ ଏହି ସମୟରେ ମାଓ ଦମନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ। ମାଓ ଦମନ କ୍ଷେତ୍ରରେ ସମନ୍ଵୟ ରକ୍ଷା କରି ରାଜ୍ୟ ସରକାର ପାଇଥିବା ସଫଳତାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର