ସୀମାରେ ଅନୁପ୍ରବେଶ : ରାସ୍ତା କାମ ଆରମ୍ଭ କଲାଣି ଆନ୍ଧ୍ର

ପାରଳାଖେମୁଣ୍ଡି : କୋରାପୁଟ ଜିଲ୍ଲାର କୋଟିଆ ପରେ ଏବେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଦୁର୍ଗମ ପଞ୍ଚାୟତ ଗଙ୍ଗାବାଡ଼ ଉପରେ ଆନ୍ଧ୍ରପ୍ରଦେଶର ନଜର ପଡ଼ିଛି। ସୀମାକୁ ଲାଗି ରହିଥିବା ଏହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆନ୍ଧ୍ରପ୍ରଦେଶ ଅନୁପ୍ରବେଶ ଆରମ୍ଭ କରିସାରିଛି। ଏଥିପାଇଁ ସମସ୍ତ ଗ୍ରାମରେ ରାସ୍ତା ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ଥିବା ଦେଖିବାକୁ ମିଳିଛି।

ଆନ୍ଧ୍ରପ୍ରଦେଶକୁ ଲାଗି ରହିଥିବା ଗଙ୍ଗାବାଡ଼ ପଞ୍ଚାୟତ ଗଜପତି ଜିଲ୍ଲାର ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଭାବେ ପରିଚିତ। ଏହି ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ବିକାଶମୂଳକ ଯୋଜନା ଅପହଞ୍ଚ ହୋଇଥିବା ବେଳେ କୌଣସି ଗ୍ରାମକୁ ପକ୍କା ରାସ୍ତା ନାହିଁ। ଯୋଗାଯୋଗରେ ସମସ୍ୟା ଯୋଗୁଁ ଗ୍ରାମବାସୀ ସୀମାନ୍ତ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଏହାର ସୁଯୋଗରେ ଆନ୍ଧପ୍ରଦେଶ ଅନୁପ୍ରବେଶ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ଉକ୍ତ ଜିଲ୍ଲାର ସାବାକୋଟା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତର ଚମ୍ପାପୁର, ମାଣିକପାଟଣା ଓ ମାଦିଆଖାଲ ଗ୍ରାମ ସହ ସଂଯୋଗ କରିବାକୁ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି। ଏଥିପାଇଁ ଖାଲଢିପ ଜମିକୁ ସମତଳ କରିବା, ପାହାଡ଼ କାଟିବାକୁ ଶ୍ରୀକାକୁଲମ୍‌ ଜିଲ୍ଲା ପ୍ରଶାସନ ପୂରା ଦମ୍‌ ଲଗାଇଛନ୍ତି। ସରକାରୀ ପାଣ୍ଠି ଏଥିରେ ଖର୍ଚ୍ଚ ହେଉଛି। ଆଉ ଠିକାଦାର ଆସି ନିୟମିତ ରାସ୍ତା କାମର ତଦାରଖ କରି ଫେରିବା ଚିତ୍ର ଓ ତଥ୍ୟ ହସ୍ତଗତ ହୋଇଛି। ଜେସିବି ବି ରଖାଯିବା ସହ ଆନ୍ଧ୍ରର ଶ୍ରମିକ ମାନେ ନିୟୋଜିତ ହୋଇଛନ୍ତି। ସେହିପରି ଗଙ୍ଗାବାଡ଼ ପଞ୍ଚାୟତ ମାଦିଆଖାଲ ଗ୍ରାମବାସୀଙ୍କୁ ସୀମାନ୍ତ ଆନ୍ଧ୍ରର ଦୁଇ ଗ୍ରାମ ସିଙ୍ଗିପୁର ଓ ସାବାକୋଟାର ଜନପ୍ରତିନିିଧି ମାନେ ପ୍ରଭାବିତ କରି ସୋଲାର ଲାଇଟ୍‌ ବଣ୍ଟନ କରିବା ସହ ଆଧାର କାର୍ଡ, ସ୍ୱାସ୍ଥ୍ୟ କାର୍ଡ କରିବା ସହ ବିଭିନ୍ନ ଯୋଜନାରେ ସାମିଲ କରିଛନ୍ତି।

ସମ୍ବନ୍ଧିତ ଖବର