ଟାଙ୍ଗୀ : ଖୋର୍ଦ୍ଧା ଜିଲା ପ୍ରଶାସନର ଦାୟିତ୍ବହୀନତା ଯୋଗୁ ଚିଲିକା ଉପକୂଳର ଟାଙ୍ଗୀ ଥାନା ଅଧୀନସ୍ଥ ଭୁଷଣ୍ତପୁର, ବାଲିପାଟପୁର ଅଞ୍ଚଳରେ ଆଇନ ଉଲ୍ଲଘଂନକାରୀ ଆନ୍ଧ୍ର ମାଛମାଫିଆ ବେଶ୍ ସକ୍ରିୟ ହୋଇ ଉଠିଛନ୍ତି। ଆନ୍ଧ୍ର ମାଛ ମାଫିଆଙ୍କ ବେଆଇନ୍‌ କାରବାର ରୋକିବା ପାଇଁ ପ୍ରଶାସନ ଥରେ ମାତ୍ର ଚଢ଼ାଉ କରି କିଛି ମାଛ ପୋଖରୀ ଭାଙ୍ଗିଥିଲା। ମାତ୍ର ତା ପରେ ଅଦୃଶ୍ୟ ଚାପ ଆଗରେ ପ୍ରଶାସନ ନିରବ ହୋଇ ଯାଇଥିବା ଅଭିଯୋଗ ହେଉଛି।

Advertisment

ସୂଚନାଯୋଗ୍ୟ, ଆଜକୁ ପ୍ରାୟ ୧୦ ବର୍ଷ ତଳେ ସ୍ଥାନୀୟ ଦଲାଲଙ୍କ ମଧ୍ୟସ୍ଥିରେ ଚିଲିକା ଉପକୂଳରେ ଥିବା ଜମି ମାଲିକମାନଙ୍କ ଠାରୁ ଅସ୍ଥାୟୀ ୨୦ବର୍ଷୀୟା ଲିଜ୍ ସୂତ୍ରରେ ଜମି ନେଇ ଆନ୍ଧ୍ରର ମାଛ ମାଫିଆ ସେମାନଙ୍କ ବେପାର ଆରମ୍ଭ କରିଥିଲେ। ଧୀରେ ଧୀରେ ଏହି ମାଛ ମାଫିଆ ଲିଜ୍‌ ନେଇଥିବା ବ୍ୟକ୍ତିଗତ ଜମି ପାଖରେ ଥିବା ସରକାରୀ ଜମିକୁ ମଧ୍ୟ ଜବରଦଖଲ କରିନେଲେ। ସେହିସବୁ ଜମିରେ ବଡ଼ ବଡ଼ ପୋଖରୀ ଖୋଳି ମାଛ ଚାଷ ଆରମ୍ଭ କଲେ। ଆଉ ଅଳ୍ପ ଦିନ ଭିତରେ ବାହାରକୁ ମାଛ ଓ ଚିଙ୍ଗୁଡି ଚାଲାଣ କରି ପ୍ରଚୁର ଆର୍ଥିକ ଫାଇଦା ହାସଲ କରିବାକୁ ଲାଗିଲେ। ମାତ୍ର ମାଛ ଓ ଚିଙ୍ଗୁଡି ମାଛ ଯେପରି ଶୀଘ୍ର ବଢ଼ିବ ସେଥିପାଇଁ ସେମାନେ ପ୍ରୟୋଗ କରୁଥିବା ରାସାୟନିକ ଔଷଧ ଦ୍ବାରା ଚିଲିକାର ଜୈବ ବିବିଧତା ଉପରେ ଘୋର ପ୍ରଭାବ ପଡିଲା। ଏପରିକି ଚିଲିକା ଉପକୂଳରେ ମାଛମାନେ ମରି ଭାସୁଥିବାର ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଅଭିଯୋଗ କଲେ। ମାତ୍ର ସ୍ଥାନୀୟ ଅଞ୍ଚଳର ରାଜନେତାମାନଙ୍କୁ ବି କୁଆଡେ ଏହି ମାଛ ମାଫିଆ ହାତ କରି ନେବାରୁ ସେମାନଙ୍କ କାର୍ଯ୍ୟକୁ ବିରୋଧ କରିବା ପାଇଁ ଆଉ କେହି ବାହାରି ନ ଥିଲେ। ଫଳରେ ମତ୍ସ୍ୟଜୀବୀ ସଙ୍ଗଠନ ବହୁଧା ବିଭକ୍ତ ହୋଇଥିଲେ ମଧ୍ୟ ଏହା ବିରୋଧରେ ବିଭାଗୀୟ ଅଧିକାରୀଙ୍କୁ ଦରଖାସ୍ତ ଦେବା ବ୍ୟତୀତ ସେମାନଙ୍କ ପାଖରେ ଆଉ କୈାଣସି ବିକଳ୍ପ ନଥିଲା।

ଅଭିଯୋଗ ପାଇ ତତ୍‌କାଳୀନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଚିଲିକା କୂଳକୁ ଆସି ମତ୍ସ୍ୟଜୀବୀମାନଙ୍କ ଅସୁବିଧା ସମ୍ପର୍କରେ ବୁଝିବା ପରେ ପଦକ୍ଷେପ ନେବାକୁ ଘୋଷଣା କରିଥିଲେ। ମାତ୍ର ଏହି ଘୋଷଣା କେବଳ ଘୋଷଣାରେ ରହିଗଲା। ତେବେ ଗତ ଜୁନ୍ ମାସ ୧୬ତାରିଖ ଦିନ ଖୋର୍ଦ୍ଧା ଉପଜିଲାପାଳ,ଟାଙ୍ଗୀ ଓ ଚିଲିକା ତହସିଲଦାର ପ୍ରମୁଖ ଏହି ଆନ୍ଧ୍ର ମାଫିଆଙ୍କ ବେଆଇନ ଚିଙ୍ଗୁଡି ପୋଖରୀ ମଧ୍ୟରୁ କେତୋଟିକୁ ଜେସିବି ଲଗାଇ ଦିନତମାମ ଭଙ୍ଗାରୁଜା କରିବାରେ ଲାଗିପଡିଲେ। ଏହା ଆନ୍ଧ୍ର ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କଲା। ହେଲେ ପ୍ରଶାସନିକ ଦଳ ପରଦିନ ଆଉ ସେଠାକୁ ନ ଯାଇ ସୁନ୍ଦରପୁର ଅଞ୍ଚଳରେ କିଛି କାମ କଲେ। ଏହି ମାଫିଆମାନଙ୍କୁ କୁଆଡେ ୭ଦିନ ସମୟ ଦିଆଗଲା। ଏହି ସମୟ ମଧ୍ୟରେ ବେଆଇନ ନିର୍ମିତ ମାଛପୋଖରୀକୁ ସେମାନେ ସ୍ବତଃ ପ୍ରବୃତ ହୋଇ ନ ଭାଙ୍ଗିଲେ ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିବ। ସେହିଦିନ ଠାରୁ ସପ୍ତାହେ ନୁହେଁ ୮ ସପ୍ତାହ ବିତିଗଲାଣି। ମାତ୍ର ପ୍ରଶାସନ ଆଉ କୈାଣସି ପଦକ୍ଷେପ ଗ୍ରହଣ କରି ନାହିଁ।

ଏହି ଘଟଣା ସମ୍ପର୍କରେ ଟାଙ୍ଗୀ ତହସିଲଦାର ସୁନାଶୀର କିଷାନଙ୍କୁ ଯୋଗାଯୋଗ କରାଯାଇଥିଲା। ଚଳିତମାସ ୧୫ ତାରିଖ ପରେ ପୁଣି ଆନ୍ଧ ମାଫିଆମାନଙ୍କ ଚିଙ୍ଗୁଡି ପୋଖରୀ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ। ବିଳମ୍ବ ହେବାର କାରଣ ସମ୍ପର୍କରେ ଏହି ସବୁ ବେଆଇନ ଦଖଲ ଜମିଗୁଡିକ ଠିକ୍ ଭାବରେ ମାପ ଚିହ୍ନଟ ହୋଇନଥିବାରୁ ସେମାନଙ୍କୁ ଉଚ୍ଛେଦ କରିବା ସମ୍ଭବ ହୋଇପାରୁନାହିଁ ବୋଲି ଦର୍ଶାଇଥିଲେ। ଆନ୍ଧପ୍ରଦେଶର ମାଛ ମାଫିଆମାନେ ଓଡିଶାକୁ ଆସି ସେମାନଙ୍କର ମାଛ ବ୍ୟବସାୟର କାୟା ବିସ୍ତାର କରି ଚାଲିଥିବା ବେଳେ ଓଡିଆ ମତ୍ସ୍ୟଜୀବୀମାନେ କେବଳ ଦେଖଣାହାରୀ ପାଲଟିଛନ୍ତି। ସେମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟସରକାରଙ୍କର ମତ୍ସ୍ୟବିଭାଗ ନିରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ ହେଉଛି।