୪୦ ବର୍ଷ ହେବ ରାସ୍ତା ଉପରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର; ରାସ୍ତା କଡ଼ରେ ପିଲା ଖାଉଛନ୍ତି ମଧ୍ୟାହ୍ଣ ଭୋଜନ

କେନ୍ଦୁଝର:  ମାସେ କି ବର୍ଷେ ନୁହେଁ ଦୀର୍ଘ  ୪୦ ବର୍ଷ ହେବ ରାସ୍ତା ଉପରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । ହେଲେ ଏଥିପ୍ରତି କାହାର କାହାର ନଜର ନାହିଁ । ସବୁଠାରୁ ବିଡମ୍ବନାର ବିଷୟ ହେଲା ଏମିତି ଖବର ଆସିଛି କେନ୍ଦୁଝର ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଓଏମସି ଖଣି ସଂଲଗ୍ନ ଅଂଚଳରୁ । ଖଣି ପାଇଁ ସର୍ବାଧିକ କ୍ଷତିଗ୍ରସ୍ତ ଗ୍ରାମ ତାଲିକାରେ ରହିଛି ଏହି ଅଂଚଳ । ହେଲେ ଏଠି ବିକାଶ ଅପହଂଚ । ଖଣି ପ୍ରଭାବିତ ଅଂଚଳର ସର୍ବାଙ୍ଗୀନ ବିକାଶ ପାଇଁ ଅର୍ଥର ଅଭାବ ନ ଥିବା ବେଳେ ପ୍ରଶାସନିକ ଉଦାସୀନତା ବେଶ ବାରି ହୋଇପଡୁଛି ।

କୁନି କୁନି ପିଲା ରାସ୍ତା ଉପରେ ବସି ପାଠ ପଢୁଛନ୍ତି, ସେହି ରାସ୍ତା କଡରେ ବସି ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟ ବି ଖାଉଛନ୍ତି । ୧୯୮୧ ମସିହାରୁ ଏମିତି ଚାଲିଛି କେନ୍ଦୁଝର ବାଂଶପାଳ ବ୍ଲକ ଶୁଆକାଟୀ ଗନ୍ଧମାର୍ଦ୍ଦନ ଖଣି ସଂଲଗ୍ନ ଉରୁମୁଣ୍ଡା ଅଙ୍ଗନୱାଡି କେନ୍ଦ୍ର । ନିଜସ୍ୱ ଘରଟିଏ ନଥିବାରୁ କେନ୍ଦ୍ର ଖୋଲିବା ଦିନରୁ ପିଲାମାନେ ରାସ୍ତା ଉପରେ ବସି ପାଠ ପଢୁଥିବା ବେଳେ କେନ୍ଦ୍ରର ପାଚିକା ନିଜ ଘରେ ରୋଷେଇ କରି ଆଣନ୍ତି ମଧ୍ୟାହ୍ନ ଭୋଜନ । ଆଉ ରାସ୍ତା ଉପରେ ବସି ଖାଆନ୍ତି ଛାତ୍ରଛାତ୍ରୀ । ଉରୁମୁଣ୍ଡା ଅଙ୍ଗନୱାଡି କେନ୍ଦ୍ର ପାଇଁ ଘର ଟିଏ କରି ଦେବାକୁ ଜିଲ୍ଲାପାଳ ଓ ଓଏମସି ଖଣି ଅଧିକାରୀଙ୍କୁ ଅନୁରୋଧ କରାଯାଇଛି, ହେଲେ କେହି ଶୁଣୁନଥିବା କହିଛନ୍ତି ଅଙ୍ଗନବାଡି କର୍ମୀ ଓ ସ୍ଥାନୀୟ ବାସିନ୍ଦା ।

ଖଣି ପ୍ରଭାବିତ ଅଂଚଳର ବିକାଶ ପାଇଁ ବହୁ ପୁର୍ବରୁ ସିଏସଆର ଅର୍ଥ ସହ ଏବେ ଡିଏମ୍ଏଫ ପାଣ୍ଠି ରହିଛି । ଆଉ ଏହି ପାଣ୍ଠିରେ ଲକ୍ଷ ଲକ୍ଷ ଟଙ୍କା ବି ରହିଛି । କିନ୍ତୁ ଖଣି ସଂଲଗ୍ନ ଗାଁ ବିକଳ ଚିତ୍ର ଦେଖିଲେ ଯେକେହି ବି ପ୍ରଶାସନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବ । ସେପଟେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କହିଛନ୍ତି ଯେ, ୪୦ବର୍ଷର ଏହି ସମସ୍ୟା ବାବଦରେ ସରକାର ଅବଗତ ଅଛନ୍ତି । ଯଥାଶୀଘ୍ର ପଦକ୍ଷେପ ନେଇ ନିଜସ୍ୱ ଘର ନିର୍ମାଣ କରାଯିବ ବୋଲ କହିଛନ୍ତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ।

ସମ୍ବନ୍ଧିତ ଖବର